'କୋଟିଆ' ପାଇଁ ମିଳିତ ଉଦ୍ୟମ ଦରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରି ଓଡ଼ିଶାର ଅନେକ ଗାଁ ଏବଂ ପଞ୍ଚାୟତ ଉପରେ ଅଧିକାର ଜାହିର୍ କରିବା ଚିନ୍ତାର ବିଷୟ। କୋଟିଆ ଅଞ୍ଚଳକୁ ନେଇ ଆନ୍ଧ୍ର ସହ ଆମର ବିବାଦ ଦୀର୍ଘ ବର୍ଷର ରହିଆସିଛି। ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନହେବା ଚିନ୍ତାର ବିଷୟ ବୋଲି ଟ୍ୱିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। […]

dharmendra

Ranjit Kumar Jena
  • Published: Friday, 05 February 2021
  • , Updated: 05 February 2021, 05:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରି ଓଡ଼ିଶାର ଅନେକ ଗାଁ ଏବଂ ପଞ୍ଚାୟତ ଉପରେ ଅଧିକାର ଜାହିର୍ କରିବା ଚିନ୍ତାର ବିଷୟ। କୋଟିଆ ଅଞ୍ଚଳକୁ ନେଇ ଆନ୍ଧ୍ର ସହ ଆମର ବିବାଦ ଦୀର୍ଘ ବର୍ଷର ରହିଆସିଛି। ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନହେବା ଚିନ୍ତାର ବିଷୟ ବୋଲି ଟ୍ୱିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର କୋଟିଆରେ ଆନ୍ଧ୍ରର ନିର୍ବାଚନ ଘଟଣାକୁ ନେଇ ଓଡ଼ିଶାର ଗଣମାଧ୍ୟମ, ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ଉଦବେଗ ପ୍ରକାଶ କରୁଛନ୍ତି। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ କୋଟିଆ ପାଇଁ କିଛି ଯୋଜନା ଶୁଭାରମ୍ଭ କରିଛନ୍ତି ଓ ଖୁବ୍ ଶୀଘ୍ର କୋଟିଆ ଆସି ଏହାକୁ ଆଦର୍ଶ ପଞ୍ଚାୟତ କରିବେ ବୋଲି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କହିଛନ୍ତି। ବୋଧହୁଏ କୋଟିଆ ପ୍ରସଙ୍ଗକୁ ଯେତେ ଗୁରୁତ୍ୱର ସହ ନେବା କଥା ଆମେ ତାହା କରିବାରେ ସଫଳ ହୋଇନାହୁଁ। ଏହି ଅଞ୍ଚଳର ବିକାଶ ତଥା ସ୍ଥାନୀୟ ଭାଇ ଭଉଣୀମାନଙ୍କୁ ଭାବଗତ ଭାବରେ ଯୋଡ଼ି ରଖିବାକୁ ଯେତିକି ଗୁରୁତ୍ୱ ଦେବା କଥା ଆମେ ଦେଇନାହୁଁ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ପୂର୍ବରୁ ମୁଁ କୋଟିଆ ଯାଇଥିଲି ଏବଂ ସ୍ଥାନୀୟ ଲୋକଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଥିଲି। କୋଟିଆ ଓ ଅନ୍ୟାନ୍ୟ ସୀମା ବିବାଦ ପ୍ରସଙ୍ଗରେ ଆମ ରାଜ୍ୟର ରାଜ୍ୟର ରାଜନୈତିକ ଦଳ ଓ ସାମାଜିକ ସଂଗଠନ ମାନଙ୍କର ମିଳିତ ବୈଠକ କରି ଏହି ପ୍ରସଙ୍ଗ ପାଇଁ ସମସ୍ତେ ମିଶି ଉଦ୍ୟମ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି। ଏବେ ଯେତେବେଳେ ଆନ୍ଧ୍ରର ସରକାର କୋଟିଆ ଉପରେ ଅଧିକାର ଜାହିର୍ କରିବା ଆରମ୍ଭ କରିଛି ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ଓଡ଼ିଶାବାସୀ ଏକ ହୋଇ ଏହି ସମସ୍ୟାର ସମାଧାନ ବାହାର କରିବାକୁ ସମୟର ସୁଦୂପଯୋଗ ଜରୁରୀ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଆୟୋଜନ କରୁଛି। ପଞ୍ଚାୟତ ନିର୍ବାଚନ ପାଇଁ ୩ଟି ଗାଁରୁ ୧୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ଏବଂ କୋଟିଆ ଯିବେ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଟିଆକୁ ଆଦର୍ଶ ପଞ୍ଚାୟତରେ ପରିଣତ କରାଯିବ। କୋଟିଆ ଯିବି ଓ ଆପଣମାନଙ୍କୁ ଭେଟିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଲକାନଗିରିରୁ ମୟୂରଭଞ୍ଜ ସବୁ ଅଞ୍ଚଳର ବିକାଶ ପାଇଁ କାମ ଚାଲିଛି। ସବୁ ପରିବାର ପାଖରେ ବିକାଶ ପହଞ୍ଚାଇବାକୁ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story