Advertisment

ନବ ଦାସଙ୍କ ହତ୍ୟାର ଷଡ଼ଯନ୍ତ୍ର କିଏ କରିଛି ଜଳଜଳ ଦିଶିଲାଣି: ବିଜେପି

ଶାସକ ବିଜେଡି ଯେଉଁ ଭଳି ଭାବରେ ସାମ୍ବାଦିକ ସମ୍ମିଳନୀ କରି ଭୁଲ ତଥ୍ୟ ଦେଉଛି ଏଥିରୁ ନବ ଦାସଙ୍କ ହତ୍ୟାକାଣ୍ଡର ଅସଲ ଷଡ଼ଯନ୍ତ୍ରକାରୀ କିଏ ତାହା ସ୍ପଷ୍ଟ ପ୍ରମାଣିତ ହେଉଛି ।

author-image
Ordigital Desk
Pitambar Acharya

Pitambar Acharya

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜି ୨୫ ଦିନ ହେଲାଣି । ଏହିଭଳି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ତାହା କ୍ରାଇମବ୍ରାଂଚ ତଦନ୍ତରୁ ଜଣାପଡ଼ିନଥିଲେ ମଧ୍ୟ ଶାସକ ବିଜେଡି ଯେଉଁଭଳି ଭାବେ ସାମ୍ବାଦିକ ସମ୍ମିଳନୀ କରି ବାରମ୍ବାର ଭୁଲ୍ ତଥ୍ୟ ଦେଉଛି, ସେଥିରୁ ଏହି ଘଟଣାର ଷଡ଼ଯନ୍ତ୍ର କିଏ କରିଛି ତାହା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ବିଜେପି ଅଭିଯୋଗ କରିଛି । ତେବେ ଏହି ଷଡ଼ଯନ୍ତ୍ର କିଏ କରିଛି ଓ କାହିଁକି କରୁଛନ୍ତି ତାହା ତଦନ୍ତ ହେବା ଜରୁରୀ ବୋଲି ବିଜେପି ଦାବି କରିଛି ।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର କ୍ରାଇମବ୍ରାଂଚର ତଦନ୍ତ ଆଜି ସମ୍ପୂର୍ଣ୍ଣ ଦିଗହରା ହୋଇଛି । ବୋଧହୁଏ ଓଡ଼ିଶା ସରକାରଙ୍କର ନିଜ ତଦନ୍ତ ବ୍ୟବସ୍ଥା ଉପରେ ବିଶ୍ୱାସ ନାହିଁ ସେଥିପାଇଁ ଗୁଜରାଟ, ଭାରତ ସରକାର ଓ ଏଫବିଆଇ ଉପରେ ଭରସା କରୁଛନ୍ତି । ଶାସକ ଦଳ ପୂର୍ବରୁ ଏହି ତଦନ୍ତକୁ କୋର୍ଟଙ୍କ ତଦାରଖରେ ତଦନ୍ତ ବୋଲି ପ୍ରଚାର କରୁଥିଲା । ତେବେ ଏନେଇ ହାଇକୋର୍ଟଙ୍କର କୌଣସି ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ପାଖରେ ଅଛି କି ବୋଲି ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଉତ୍ତର ଆସିଲା ନାହିଁ କି ଚିଠି ସାର୍ବଜନୀନ ହେଲାନି । ହାଇକୋର୍ଟ ଏଭଳି କିଛି ଅର୍ଡର ପାସ୍ କରିନାହାନ୍ତି ବୋଲି ଆମେ ଆଜି ମଧ୍ୟ ଦୋହରାଉଛୁ । ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ଆଇନଗତ ପରାମର୍ଶଦାତା ନୁହନ୍ତି । ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ସର୍ଭିସ ରିଭଲବଲରୁ ଗୁଳି କରି ହତ୍ୟା କଲା । କେଉଁମାନେ ଷଡ଼ଯନ୍ତ୍ର କରିଥିଲେ ସେମାନଙ୍କୁ କ୍ରାଇମବ୍ରାଂଚ ତଦନ୍ତ ପରିସରଭୁକ୍ତ କରିନାହିଁ । ଓଡ଼ିଶା ସରକାରଙ୍କର ଏଭଳି ଦୁର୍ବଳ ମୁହୂର୍ତ୍ତ ଏବଂ ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଘୃଣ୍ୟ ଷଡ଼ଯନ୍ତ୍ର ଓଡ଼ିଶା ଇତିହାସରେ କେବେ ଦେଖିବାକୁ ମିଳିନଥିଲା ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ବିଜୁ ଜନତା ଦଳର ସସ୍ମିତ ପାତ୍ର ଆଜି ଦିଲ୍ଲୀରେ ପ୍ରେସ ମିଟ୍ କରି ଯେଉଁ ତଥ୍ୟ ରଖିଛନ୍ତି ତାହା ମିଥ୍ୟା । ଓଡ଼ିଶାବାସୀଙ୍କ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର । ଯେଉଁ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ସୁରକ୍ଷିତ ନୁହନ୍ତି, ସେଠି ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ତାହା ଅନୁମେୟ । ଶାସକ ବିଜେଡି ଯେଉଁ ଭଳି ଭାବରେ ସାମ୍ବାଦିକ ସମ୍ମିଳନୀ କରି ଭୁଲ ତଥ୍ୟ ଦେଉଛି ଏଥିରୁ ନବ ଦାସଙ୍କ ହତ୍ୟାକାଣ୍ଡର ଅସଲ ଷଡ଼ଯନ୍ତ୍ରକାରୀ କିଏ ତାହା ସ୍ପଷ୍ଟ ପ୍ରମାଣିତ ହେଉଛି । ତେଣୁ ଏହି ଷଡ଼ଯନ୍ତ୍ର କେଉଁମାନେ କରୁଛନ୍ତି ଓ କାହିଁକି କରୁଛନ୍ତି ତା’ର ତଦନ୍ତ ହେବା ଜରୁରୀ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

Advertisment

କ୍ରାଇମବ୍ରାଂଚ ଏସପି ହ୍ୱାଟସପ୍ ଗ୍ରୁପରେ ଆଡମିଟ୍ କରିଛନ୍ତି ଯେ, ଗୋପାଳ ଜଣେ ମାନସିକ ରୋଗୀ । ଗୋପାଳକୁ  ମାନସିକ ରୋଗୀ ପ୍ରମାଣିତ କରିବା ପାଇଁ ଜୋରସୋର ଚେଷ୍ଟା ଚଳାଇଛନ୍ତିି ରାଜ୍ୟ ସରକାର । ନାର୍କୋ ଆନାଲିସସ ଅଦାଲତ ବିଚାର ପ୍ରକ୍ରିୟାରେ ପ୍ରମାଣଯୋଗ୍ୟ ନୁହେଁ । ଗୋପାଳ ଯଦି ପାଗଳ ତାହାଲେ କ୍ରାଇମବ୍ରାଂଚ କିଭଳି ତାହାର ନାର୍କୋ ଆନାଲିସିସ କରିବାକୁ ପଠାଇଲା?

ତେଣୁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଆଗରେ ମିଥ୍ୟା ତଥ୍ୟ ରଖିବା ବନ୍ଦ କରନ୍ତୁ । ରାଜ୍ୟ ସରକାର ଏଫବିଆଇକୁ ବିଶ୍ୱାସ କରୁଛନ୍ତି । ରାଜ୍ୟ ସରକାର ନାର୍କୋ ଆନାଲିସସ୍ ପାଇଁ ବାହାର ରାଜ୍ୟ ଉପରେ ଭରସା କରୁଛନ୍ତି । ଯଦି ରାଜ୍ୟ ସରକାରଙ୍କ ନିଜ ଏଜେନ୍ସି ଉପରେ ଭରସା ନାହିଁ ତାହାଲେ ପୂରା ତଦନ୍ତ ସିବିଆଇକୁ କାହିଁକି ଦେଉନାହାନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ଦେଶରେ ବିଭିନ୍ନ ବଡ଼ ବଡ଼ ଅପରାଧ ମାମଲାରେ ବିଭିନ୍ନ ରାଜ୍ୟ ସରକାର ହୁଅନ୍ତୁ କି ବିଭିନ୍ନ ରାଜ୍ୟର ହାଇକୋର୍ଟ ହୁଅନ୍ତୁ ବା ସୁପ୍ରିମକୋର୍ଟ ହୁଅନ୍ତୁ ସେମାନେ ତଦନ୍ତ ପାଇଁ ସବୁବେଳେ ସିବିଆଇ ଉପରେ ଭରସା କରନ୍ତି । କାରଣ ସିବିଆଇ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଓ ଦକ୍ଷ ତଦନ୍ତକାରୀ ସଂସ୍ଥା । ସ୍ୱର୍ଗତଃ ନବ ଦାସଙ୍କ ହତ୍ୟାର ଷଡ଼ଯନ୍ତ୍ରକାରୀକୁ ଚିହ୍ନଟ କରିବା ପାଇଁ ବିଜେପି ଦାବି କରୁଛି । ଓଡ଼ିଶା ସରକାରଙ୍କ ପର୍ଯ୍ୟାପ୍ତ ଟେକ୍ନୋଲୋଜି ନାହିଁ ବୋଲି ଗୁଜରାଟ ଉପରେ ଭରସା କରୁଛି । ରାଜ୍ୟ ସରକାରଙ୍କ ମନମାନି, ଅନ୍ୟାୟ ଓ ଅନୀତି ବିରୋଧରେ ସାଧାରଣ ନାଗରିକଙ୍କ ଆଶା ଭରସା ହାଇକୋର୍ଟ । ହାଇକୋର୍ଟ କେବେ ବି କୌଣସି ନିତିଦିନିଆ ତଦନ୍ତକୁ ସୁପରଭାଇଜ୍ କିମ୍ବା ଚିଠା ମାଧ୍ୟମରେ ଉପଦେଶ ଦିଅନ୍ତି ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ ଓ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

BjD Bjp Naba Das Crime Branch Naba Das Murder