Advertisment

Nuapada By-election : ବିଜେଡି ଜଳକା; ବିଜେପିରେ ମିଶିଲେ ଜୟ

ଗତ ସେପ୍ଟେମ୍ବର ୮ରେ ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପରଲୋକ ହୋଇଥିଲା। ସେଥିପାଇଁ ସେଠାରେ ଉପନିର୍ବାଚନ କରାଯାଉଛି।  ଆସନ୍ତା ନଭେମ୍ବର ୧୧ତାରିଖରେ ଭୋଟଗ୍ରହଣ କରାଯିବ।

author-image
Jitendra Garnayak
Jay

ଜୟ ଢୋଲକିଆ

ନୂଆପଡ଼ା ଉପ-ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ବଡ଼ ଝଟକା। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଏକପ୍ରକାର ଚୂଡ଼ାନ୍ତ କରିସାରିଥିଲା। ହେଲେ ଆଜି ଜୟ ବିଜେପିରେ ମିଶିଛନ୍ତି। ଭୁବନେଶ୍ୱରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ନୂଆପଡ଼ାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି। ଏହା ସହିତ ଜୟ ଢୋଲକିଆ ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ। ଖାଲି ଘୋଷଣା ବାକି ରହିଛି।

Advertisment

ଜୟ ବିଜେପିରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପିତା ରାଜୁ (ରାଜେନ୍ଦ୍ର) ଢୋଲକିଆଙ୍କ ଅଧୂରା ସ୍ବପ୍ନକୁ ପୁଅ ଜୟ ପୂରଣ କରିବେପୂର୍ବ ସରକାରରେ ରାଜୁ ଢୋଲକିଆ ଅସହାୟ ମନେ କରୁଥିଲେ। ଚାରି ଚାରି ଥର ବିଧାୟକ ଓ ମନ୍ତ୍ରୀ ଥିଲେ ବି ଅସହାୟ ମନେ କରୁଥିଲେ। ୩ଟି ଟର୍ମରେ ମୁଁ ତାଙ୍କ ସହ ବିଧାନସଭାରେ ଏକାଠି କାମ କରିଥିଲି। ରାଜୁ ଢୋଲକିଆଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଥିଲେ, କେହି ଶତ୍ରୁ ନ ଥିଲେ। ଆଜି ତାଙ୍କ ପୁଅ ଜୟ ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇଛନ୍ତି। ସବୁ ନେତୃବୃନ୍ଦଙ୍କ ସହମତିରେ ଜୟଙ୍କୁ ବିଜେପିରେ ସାମିଲ କରାଯାଇଛି। ସେ ନୂଆପଡ଼ାରେ ବିକାଶର ମଙ୍ଗ ଧରିବେ ବୋଲି ଆଶା କରୁଛି।

ସେହିଭଳି ଜୟ କହିଛନ୍ତି, ଦଳ ଯାହା ଦାୟିତ୍ୱ ଦେବ ତାହାକୁ ପାଳନ କରିବି। ରାଜ୍ୟରେ ଚାଲିଥିବା ବିକାଶ ଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ବାପାଙ୍କ ଅଧୂରା ସ୍ୱପ୍ନ ପୂରଣ ଓ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରିବି।

Advertisment

ଏମିତି ନୁହେଁ ଯେ, ଜୟ ଏମିତି କିଛି ପଦକ୍ଷେପ ନେଇ ପାରନ୍ତି ବୋଲି ବିଜେଡି ଆଦୌ ଜାଣି ନଥିଲା। ବେଶ୍ କିଛି ଦିନ ହେବ ଏଭଳି ଆଲୋଚନା ହେଉଥିଲା। କୁହାଯାଉଛି, ସେଥିପାଇଁ ଦଳ ଜୟଙ୍କୁ ପ୍ରାର୍ଥୀ କରିବାକୁ ଏକପ୍ରକାର ଚୂଡ଼ାନ୍ତ କରିସାରିଥିଲେ ହେଁ ଘୋଷଣା କରିନଥିଲା। କାରଣ ଜୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଯଦି ସେ ବିଜେପି ପଳାଇବେ ତା’ହେଲେ ଦଳ ପ୍ରତି ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା ହୋଇଥା’ନ୍ତା। 

ଗତ ସେପ୍ଟେମ୍ବର ୮ରେ ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଥିଲା। ସେଥିପାଇଁ ସେଠାରେ ଉପନିର୍ବାଚନ କରାଯାଉଛି।  ଆସନ୍ତା ନଭେମ୍ବର ୧୧ତାରିଖରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଅକ୍ଟୋବର ୧୩ ତାରିଖରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୨୦ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ।

କାହାକୁ ଦୋଷ ଦେବ ବିଜେଡି
ଜୟ ବିଜେପିରେ ମିଶିବା ପରେ ଇତିହାସର ପୁନରାବୃତ୍ତି ଘଟିଛି ବୋଲି କୁହାଯାଉଛି। ମନେପକାନ୍ତୁ ୨୦୧୮ ବିଜେପୁର ଉପନିର୍ବାଚନ କଥା। ଲଗାତର ୩ଥର ଜିତିଥିବା ସୁବଳ ସାହୁଙ୍କର ଅକାଳ ବିୟୋଗ ଘଟିଗଲା। କଂଗ୍ରେସର ଟାଣୁଆ ନେତା ଥିଲେ ସୁବଳ। କ୍ରମାଗତ ଜିତି ଆସୁଥିବା ସୁବଳ ବିଜେପୁରରେ ନିଜର ଏକ ସ୍ୱତନ୍ତ୍ର ଭୋଟବ୍ୟାଙ୍କ ସୃଷ୍ଟି କରିଥିଲେ। ସୁବଳଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ସେଠାରୁ ଠିଆ କରି ନିଜ ସିଟ୍‌ ବଜାୟ ରଖିବାକୁ ଯୋଜନା କରିସାରିଥିଲା କଂଗ୍ରେସ। ଏତିକି ବେଳେ ଚାଲ୍‌ ଚଳାଇଲେ ବିଜେଡି ସୁପ୍ରିମୋ ନବୀନ ପଟନାୟକ। ରାତାରାତି ସୁବଳଙ୍କ ପତ୍ନୀ ରୀତାଙ୍କୁ ବିଜେଡିରେ ସାମିଲ କରି ଟିକେଟ ଦେଇଦେଲେ। ଆଉ ଫଳ ହେଲା ଏୟା, ସୁବଳଙ୍କ ଭୋଟ ବ୍ୟାଙ୍କକୁ ଆୟୁଧ କରି ବିଜେଡିକୁ ବିଜୟ ମୁକୁଟ ପିନ୍ଧାଇଦେଲେ ରୀତା। ସିଟିଂ ସିଟ୍‌ର ବିଧାୟକଙ୍କ ସଂପର୍କୀୟଙ୍କୁ ନିଜ ଆଡ଼କୁ ଟାଣିନେଇ ଟିକେଟ ଦେଇ ଜିତାଇବାର ଗଳାବାଟ ବିଜେଡି ସେତେବେଳେ ଅନ୍ୟମାନଙ୍କୁ ଶିଖାଇଥିଲା।

କେବଳ ସେତିକି ନୁହେଁ, ମନେପକାନ୍ତୁ୨୦୧୯ ନିର୍ବାଚନ ସମୟର କଥା । କାକଟପୁରରୁ ବିଜେପି ଟିକେଟ ପାଇଲେ ତୁଷାରକାନ୍ତି ବେହେରା । ଟିକେଟ ପାଇ ନୋମିନେସନ କରିବାକୁ ଦିନ ବି ଧାର୍ଯ୍ୟ କରିଦେଲେ ତୁଷାର । ସର୍ଭେ ତୁଷାରଙ୍କ ସପକ୍ଷରେ ଯାଉଥିବା ଦେଖି ଗୋଟି ଚଳାଇଲା ବିଜେଡି । ରାତାରାତି ତୁଷାରଙ୍କୁ ନିଜ ଆଡକୁ ଆଣି ଟିକେଟ ଧରାଇଦେଲେ ବିଜେଡି ସୁପ୍ରିମୋ । ଆନନ୍ଦପୁରରେ ବି ସେୟା ଘଟିଲା । ଭାଗିରଥୀ ସେଠୀ ବିଜେପିରୁ ଟିକେଟ ନେଇସାରିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ଟିକେଟ ଫେରାଇ ବିଜେଡିରୁ ଟିକେଟ ନେଇ ନିର୍ବାଚନ ଜିତିଗଲେ । 

ଗତ ୨୪ ବର୍ଷ ମଧ୍ୟରେ ଏମିତି ଅନେକ କାଣ୍ଡ କାରଖାନା କରିଛି ବିଜୁ ଜନତା ଦଳ । ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଛଡ଼ାଇ ଆଣିବାରେ ଏକ ପ୍ରକାର ମାହିର ହୋଇଯାଇଥିଲା ବିଜେଡି । ଆଉ ଆଜି ନିଜେ ସେହି ଫର୍ମୁଲାରେ ପଡ଼ିଯାଇଛି।