‘ତାରା ଅବିଭକ୍ତ କୋରାପୁଟ ଜିଲ୍ଲାରେ କିଙ୍ଗ ହେବାକୁ ଚାହୁଁଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅବିଭକ୍ତ କୋରାପୁଟ ଜିଲ୍ଲାରେ କିଙ୍ଗ ହେବାକୁ ଚାହାଁଛନ୍ତି। ସେଥିପାଇଁ ସେ ଦଳିତ ଓ ଆଦିବାସୀ ନେତାଙ୍କୁ ବିରୋଧ କରୁଛନ୍ତି। ଆଉ କଂଗ୍ରେସରେ ରହି ବିଜେଡି ପାଇଁ ସେ ଓ ତାଙ୍କ ପତ୍ନୀ କାମ କରୁଛନ୍ତି” ବୋଲି ଅଭିଯୋଗ କରିଛନ୍ତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୈଳାସ କଲେସିକା। କୈଳାସ କଲେସିକା କହିଛନ୍ତି-“ଯେଉଁମାନେ କଂଗ୍ରେସରେ ରହି ବିଜେଡିର କାମ କରିଛନ୍ତି, ସେଥିରେ କୋରାପୁଟ ଜିଲ୍ଲା ସଭାପତି […]

Tara-and-Kailash

Manoranjan Sial
  • Published: Tuesday, 31 August 2021
  • , Updated: 31 August 2021, 04:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଅବିଭକ୍ତ କୋରାପୁଟ ଜିଲ୍ଲାରେ କିଙ୍ଗ ହେବାକୁ ଚାହାଁଛନ୍ତି। ସେଥିପାଇଁ ସେ ଦଳିତ ଓ ଆଦିବାସୀ ନେତାଙ୍କୁ ବିରୋଧ କରୁଛନ୍ତି। ଆଉ କଂଗ୍ରେସରେ ରହି ବିଜେଡି ପାଇଁ ସେ ଓ ତାଙ୍କ ପତ୍ନୀ କାମ କରୁଛନ୍ତି” ବୋଲି ଅଭିଯୋଗ କରିଛନ୍ତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୈଳାସ କଲେସିକା।

କୈଳାସ କଲେସିକା କହିଛନ୍ତି-“ଯେଉଁମାନେ କଂଗ୍ରେସରେ ରହି ବିଜେଡିର କାମ କରିଛନ୍ତି, ସେଥିରେ କୋରାପୁଟ ଜିଲ୍ଲା ସଭାପତି ଓ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ହାତ ରହିଛି। ଏ ନେଇ ମୁଁ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇଥିଲି। ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ପରବର୍ତ୍ତୀ ସମୟରେ ମୋତେ ବୁଝାଇ ଦିଆଗଲା। ଆଉ କୁହାଗଲା, ଦଳରେ ରହି କାମ କରନ୍ତୁ।”

ପିସିସି ସଭାପତିଙ୍କୁ ବାହିନୀପତି ଦମ୍ପତି ସମାଲୋଚନା କରିବା ନେଇ ଶ୍ରୀ କୁଲେସିକା କହିଛନ୍ତି-“ମିଡିଆରୁ ଶୁଣିବାକୁ ପାଇଛି ସେ(ତାରା) କୁଆଡ଼େ ପିସିସିଙ୍କୁ କ୍ଷମା ମାଗିଛନ୍ତି। ଯଦି ଜଣେ ଭୁଲ୍‌ କରି କ୍ଷମା ମାଗିଦେବ ଓ ତାଙ୍କୁ କ୍ଷମା କରିଦିଆଯିବ, ତାହାହେଲେ ମୁଁ ମଧ୍ୟ ଭୁଲ୍‌ କରି କ୍ଷମା ମାଗିଦେବି। ଏବେବି ମୁଁ ଦାବି କରୁଛି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।”

କୁଲେସିକା ଆହୁରି କହିଛନ୍ତି- “ଅବିଭକ୍ତ କୋରାପୁଟ ଜିଲ୍ଲାରେ ତାରା ହେଉଛନ୍ତି ବିଜେଡିର ଭିତିରିଆ କର୍ମୀ। ବିଜେଡି ସଲାସୁତୁରାରେ ରହି କଂଗ୍ରେସ ନେତାଙ୍କୁ ହରାଇ କୋରାପୁଟ ଜିଲ୍ଲାରେ କିଙ୍ଗ ହେବାକୁ ଚାହୁଁଛନ୍ତି। ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁ ଦଳିତ ଓ ଆଦିବାସୀ ନେତାଙ୍କୁ ବିରୋଧ କରନ୍ତି। କିଏ ସମର୍ଥନ କରୁ ବା ନକରୁ ଏବେ ମୁଁ କଂଗ୍ରେସ ପାଇଁ କାମ କରିବି। ୨୦୦୯ ମସିହାରୁ ତାଙ୍କ(ତାରା) ପତ୍ନୀ ଜିଲ୍ଲା ସଭାପତି ହୋଇଛନ୍ତି। ହେଲେ ଥରୁଟିଏ ବି ମୋ’ ନିର୍ବାଚନମଣ୍ଡଳୀକୁ ପ୍ରଚାର କରିବାକୁ ଆସିନାହାନ୍ତି। କେବଳ ସେ କୋରାପୁଟରେ ଚେୟାରରେ ବସନ୍ତି ଓ ଜୟପୁରରେ କାମ କରନ୍ତି। ସେ କେବେବି ମୋତେ ସହଯୋଗ କରିବେ ନାହିଁ, ଏକଥା ମୁଁ ଭଲଭାବେ ଜାଣିଛି।”

ତାରା ବାହିନୀପତିଙ୍କ ମନ୍ତବ୍ୟକୁ କୁଲେସିକା କହିଛନ୍ତି-“ଜିଲ୍ଲା ସଭାପତି ଚାହିଁଥିଲେ ୨୦୧୯ ମସିହାରେ ବିବାଦର ସମାଧାନ କରିପାରି ଥାଆନ୍ତେ। ଏବେ କିନ୍ତୁ ସମୟ ଗଡ଼ି ଯାଇଛି। ଏବେ ଯଦି ତାରା କହୁଛନ୍ତି ମିଳିମିଶି କାମ କରିବେ, ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ କଥା। କିନ୍ତୁ ସେ ବିଶ୍ୱାସ ମୋର ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଜିଲ୍ଲା ସଭାପତିଙ୍କୁ ହଟା ଯାଉ। ନହେଲେ ଦଳ ଭାଗ ଭାଗ ହୋଇଯିବ। କାରଣ ସେ (ଜିଲ୍ଲା ସଭାପତି) କେବଳ ଦଳକୁ ଭାଗ ଭାଗ କରୁଛନ୍ତି। ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡ଼ିବ।”

https://youtu.be/E9vtBZPvouA

Related story