ପ୍ରଦେଶ କଂଗ୍ରେସ ମୁଖ୍ୟଙ୍କୁ ମୋକିମଙ୍କ ଆହ୍ୱାନ: ଦାୟିତ୍ୱ ଛାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କଂଗ୍ରେସ ଦାୟିତ୍ୱରେ ଥିବା ମୁଖିଆମାନେ ସିଟ୍ ଛାଡ଼ନ୍ତୁ। ଅବସର ନିଅନ୍ତୁ। ତାଙ୍କ ମୁହଁ ଦେଖିବାକୁ ଲୋକେ ଆଉ ଚାହୁଁନାହାନ୍ତି। ସେମାନେ ଆକର୍ଷଣ ହରାଇ ସାରିଲେଣି। ୟୁପି ଓ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ କଂଗ୍ରେସ ଦଳ ମୂଳପୋଛ ହେବାକୁ ବସିଛି। ଆଜି ଏଭଳି କହିଛନ୍ତି କଂଗ୍ରେସ ନେତା ତଥା କଟକ ବିଧାୟକ ମହମ୍ମଦ ମୋକିମ୍। ସେ ଗଣମାଧ୍ୟମକୁ କହିଛନ୍ତି, ବାରମ୍ବାର ଉପନିର୍ବାଚନ ଓ ନିର୍ବାଚନ ପରାଜୟ ପରେ କଂଗ୍ରେସ ମୁଖ୍ୟଙ୍କୁ ଗୁରୁତର ସହ ଚିନ୍ତା […]

Mokim

  • Published: Friday, 09 December 2022
  • , Updated: 09 December 2022, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କଂଗ୍ରେସ ଦାୟିତ୍ୱରେ ଥିବା ମୁଖିଆମାନେ ସିଟ୍ ଛାଡ଼ନ୍ତୁ। ଅବସର ନିଅନ୍ତୁ। ତାଙ୍କ ମୁହଁ ଦେଖିବାକୁ ଲୋକେ ଆଉ ଚାହୁଁନାହାନ୍ତି। ସେମାନେ ଆକର୍ଷଣ ହରାଇ ସାରିଲେଣି। ୟୁପି ଓ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ କଂଗ୍ରେସ ଦଳ ମୂଳପୋଛ ହେବାକୁ ବସିଛି। ଆଜି ଏଭଳି କହିଛନ୍ତି କଂଗ୍ରେସ ନେତା ତଥା କଟକ ବିଧାୟକ ମହମ୍ମଦ ମୋକିମ୍।

ସେ ଗଣମାଧ୍ୟମକୁ କହିଛନ୍ତି, ବାରମ୍ବାର ଉପନିର୍ବାଚନ ଓ ନିର୍ବାଚନ ପରାଜୟ ପରେ କଂଗ୍ରେସ ମୁଖ୍ୟଙ୍କୁ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଯାଇଛି। ଯେଉଁମାନେ ଓଡ଼ିଶାରେ କଂଗ୍ରେସ ଦଳର ନେତୃତ୍ୱ ନେଉଛନ୍ତି ତଥା ଯେଉଁମାନେ ଦିଲ୍ଲୀରୁ କଂଗ୍ରେସ ଦଳକୁ ମନିଟର କରିବା ପାଇଁ ଆସୁଛନ୍ତି ସେମାନଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ସାଧାରଣ କଂଗ୍ରେସ କର୍ମୀଙ୍କ ଭିତରେ ପ୍ରଶ୍ନ ଉଠିଛି ଯେ, ବିଗତ ୫ ବର୍ଷ ଧରି ବାରମ୍ବାର ଯେତେ ଉପନିର୍ବାଚନ ବା ନିର୍ବାଚନ ହେଉଛି ଦଳୀୟ ଭୋଟ ହାର ୨ରୁ ୩ ପ୍ରତିଶତକୁ ପହଞ୍ଚି ଗଲାଣି। ନୋଟା ସହିତ କଂଗ୍ରେସର ଭୋଟ ହାର ସମାନ ହୋଇଗଲାଣି।

କାହିଁକି ଏ ବାବଦରେ ସମୀକ୍ଷା ହେଉନି? ଯେଉଁମାନଙ୍କୁ ଦିଲ୍ଲୀରୁ ଦାୟିତ୍ୱ ଦିଆଯାଇଛି ସେମାନେ ଏଠାରେ ରହି କାହିଁକି କଂଗ୍ରେସ ଦଳକୁ ତିଆରି କରିବାକୁ ପ୍ରଚେଷ୍ଟା କରୁନାହାନ୍ତି? ଯଦି ଭାରତ ବର୍ଷର ପ୍ରଧାନମନ୍ତ୍ରୀ ୫୪ କିଲୋମିଟର ରୋଡ୍ ଶୋ କରିପାରୁଛନ୍ତି ଓ ଗୋଟାଏ ରାଜ୍ୟରେ ନିର୍ବାଚନ ଜିତାଇବା ପାଇଁ ବାରମ୍ବାର ଗସ୍ତ କରିପାରୁଛନ୍ତି ତାହା ହେଲେ ଏଠାରେ ଯେଉଁମାନେ ପ୍ରଭାରି ଅଛନ୍ତି ଓ ଯେଉଁମାନେ ଦଳ ଦାୟିତ୍ୱରେ ଅଛନ୍ତି ନିର୍ବାଚନକୁ ପର୍ଯ୍ୟଟନ ସ୍ଥଳ ବୁଲିବା ଭଳି କାହିଁକି ଭାବୁଛନ୍ତି?

ଏବେ ତଳସ୍ତରରେ କଂଗ୍ରେସ କର୍ମୀମାନେ ହତୋତ୍ସାହିତ ହୋଇ ଯାଇଛନ୍ତି। ଯେଉଁମାନେ ସମ୍ମୁଖରେ ବସିଛନ୍ତି, ଦାୟିତ୍ୱ ସମ୍ପନ୍ନ ବରିଷ୍ଠ ନେତା ତଥା ଶୋ’ କଲ୍‌ଡ ସିନିୟର ଲିଡରଙ୍କ ମୁହଁ ଦେଖି ଲୋକେ ଆଉ ଭୋଟ ଦେବାକୁ ଚାହୁଁ ନାହାନ୍ତି। ସେମାନେ କଂଗ୍ରସ ପାଇଁ ସମ୍ପତ୍ତି(ଆସେଟ୍) ନୁହେଁ ବୋଝ(ଲାଇବିଲିଟି) ହୋଇଯାଇଛନ୍ତି।

ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଭଳି ଭାବେ ତାଙ୍କ ଦଳ ପାଇଁ ନିଷ୍ପତ୍ତି ନେଉଛନ୍ତି କଂଗ୍ରେସ ତାକୁ ଅନୁସରଣ କରିବା ଉଚିତ୍। ଯେଉଁମାନଙ୍କ ସମୟ ହୋଇଗଲାଣି, ଯେଉଁମାନଙ୍କ ପ୍ରତି ଲୋକଙ୍କ ଆକର୍ଷଣ ନାହିଁ, ସେମାନେ ଅବ୍ୟାହତି ନେବା ଉଚିତ୍। ନୂଆ ଯୁବକଙ୍କୁ ଓ ନୂଆ ଲୋକଙ୍କୁ ସାମ୍ନାକୁ ଆଣିବା ଉଚିତ୍। ଯଦି ମଞ୍ଚ ଉପରେ ସେହି ନେତାମାନେ ବସିବେ ଲୋକ ତାଙ୍କ ପ୍ରତି ଆକୃଷ୍ଟ ହେଉନାହାନ୍ତି। କଂଗ୍ରେସକୁ ଭୋଟ ଦେଉନାହାନ୍ତି। ତେଣୁ କଂଗ୍ରେସ ବାରମ୍ବାର ବିଫଳତାର ସ୍ୱାଦ ଚାଖୁଛି।

ଏଥିସହ କଂଗ୍ରେସର ଯେଉଁ ବଡ଼ ପଣ୍ଡାମାନେ ଅଛନ୍ତି ସେମାନଙ୍କ ସମ୍ପର୍କରେ ଗୋଟାଏ ଧାରଣା ସୃଷ୍ଟି ହୋଇଛି ସେମାନଙ୍କ ପାଇଁ ଉପନିର୍ବାଚନ ଆମଦାନୀର ଏକ ସୁଯୋଗ ହୋଇଯାଇଛି। କିପରି ଭାବେ ଏଠାରେ କଂଗ୍ରେସକୁ ହରାଇ ଦିଆଯିବ ଓ ସେମାନେ ଭୋଟ ବିକ୍ରି କରିବାକୁ କେତେ ମୂଲଚାଲ କରିବେ। ଫଳତଃ ପରବର୍ତ୍ତି ଅବସ୍ଥାରେ କଂଗ୍ରେସ ମାତ୍ର ୨ ହଜାରରୁ ୩ ହଜାର ଭୋଟରେ ସୀମିତ ରହୁଛି। ତେଣୁ ଏନେଇ ସମୀକ୍ଷା ନୁହେଁ, ସେମାନଙ୍କ ଉପରେ ଉତ୍ତରଦାୟିତ୍ୱ ଫିକ୍ସ କରିବା ଜରୁରୀ।

ସେ କହିଛନ୍ତି ଯେ ଦିଲ୍ଲୀର ନେତାମାନଙ୍କ ଉପରେ ମଧ୍ୟ ସନ୍ଦେହ ହେଲାଣି। ସେମାନେ ମଧ୍ୟ ଏଥିରେ ସମ୍ପୃକ୍ତ ରହୁଛନ୍ତି। କାରଣ କଂଗ୍ରେସ ପ୍ରତି ଉପନିର୍ବାଚନରେ ବିଫଳତା ସ୍ୱାଦ ଚାଖୁଛି। ଏହାସତ୍ତ୍ୱେ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଅଗଣିତ କଂଗ୍ରେସ କର୍ମୀ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେମାନେ କଂଗ୍ରେସ ପତାକା ଧରିବେ ନା ଧରିବେନି? ତେଣୁ କଠୋର ନିଷ୍ପତ୍ତି ନେବାର ସମୟ ଅସିଯାଇଛି। ଯଦି ଏଭଳି ସ୍ଥିତି ଲାଗି ରହେ କଂଗ୍ରେସ ଦଳ ଓଡ଼ିଶାରୁ ବିଲୁପ୍ତ ହୋଇଯିବ। ଯାହା ୟୁପି ଓ ପଶ୍ଚିମବଙ୍ଗରେ ହୋଇଛି, ସମାନ ଦଶା ହେବ। ବେଳ ଥାଉଥାଉ ଏକ ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ। ଯେଉଁମାନେ ସାମ୍ନା ଚୌକିରେ ବସିଛନ୍ତି, ଗୋଲ୍‌ଡେନ୍ ହ୍ୟାଣ୍ଡସେକ୍ କରିବାକୁ ପଡ଼ିବ। ନୂଆ ପିଢ଼ିଙ୍କୁ ଯଦି ଆଗକୁ ଅଣା ନ ଯାଏ ଓ ଲୋକଙ୍କ ପାଖରେ ନ ପହଞ୍ଚାଯାଏ, ତେବେ କଂଗ୍ରେସ ଉଦ୍ଧାଇ ପାରିବ ନାହିଁ।

ନିର୍ବାତନ ପୂର୍ବରୁ ଓ ପରେ ଗଣମାଧ୍ୟମରେ ହାରିଗଲୁ ବୋଲି ଦାୟିତ୍ୱରେ ଥିବା ନେତା କହିଦେଲେ। ଗୋଟିଏ କାହାଣୀ କୁହାଗଲା, ଆମ ପାଖରେ ସମ୍ବଳ ନାହିଁ। ଆମେ ଲଢ଼ିବାକୁ ସକ୍ଷମ ହେଉନୁ। ବିଜେଡି ଓ ବିଜେପି ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରି ଭୋଟ କିଣି ନେଉଛନ୍ତି। ଯଦି ସମ୍ୱଳ ନାହିଁ ଓ କଂଗ୍ରେସ ଦଳ ଲଢ଼ିବାକୁ ନିଜକୁ ପ୍ରସ୍ତୁତ କରିପାରୁନି, ତେବେ ପ୍ରାର୍ଥୀ କାହିଁକି ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। କ’ଣ ଲୋକହସା ହେବା ପାଇଁ ? ଯଦି ପ୍ରାର୍ଥୀ ଦିଆଯାଉଛି କିନ୍ତୁ ଖର୍ଚ୍ଚ ତୁଲେଇପାରୁନାହାନ୍ତି ତେବେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଦାୟିତ୍ୱ ଛାଡ଼ି ଦିଅନ୍ତୁ। ଓଡ଼ିଶାରେ କଂଗ୍ରେସ ନେତା ବୋଲି ଏବେ ପରିଚୟ ଦେବା କଷ୍ଟ ହେଲାଣି। ଲୋକେ ଆଗେଇ ଆସି ଦଳର ଦାୟିତ୍ୱ ନେଇଥିବା ନେତାଙ୍କୁ ବିତାଡ଼ିତ କରନ୍ତୁ।

ଗୁଜରାଟରେ ପରାଜୟ ପରେ ସେଠାରେ ଦଳ ଦାୟିତ୍ୱରେ ଥିବା ମୁଖିଆ ସ୍ୱଇଚ୍ଛାରେ ଇସ୍ତଫା ଦେଇଛନ୍ତି। ତେଣୁ ଏଠାରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଅବ୍ୟାହତି ନିଅନ୍ତୁ। କାରଣ ସେମାନେ ନିର୍ବାଚନ ଲଢ଼ିବା ପାଇଁ ନୁହେଁ, ହୋଟେଲରେ ରହି ମଉଜ ମଜଲିସ୍ କରିବାକୁ ଯାଉଛନ୍ତି। ସେମାନେ ହିଁ ବିଶ୍ୱାସ ଘାତକତା କରୁଛନ୍ତି। ଢଗ କହିଲା ଭଳି ୯ରୁ ୯୦ କହିଲେ ହବନି। ପିସିସି ସଭାପତି କଥା ହାସ୍ୟାସ୍ପଦ।

ଧାମନଗରରେ ପରାଜୟ ପରେ ବିଜେଡି ପଦ୍ମପୁରରେ ବିଜୟ ନିମନ୍ତେ ତୃଣମୂଳ ସ୍ତରରେ ଉଦ୍ୟମ କରିଥିଲା। ୨୦୨୪ରେ ଏଭଳି ସ୍ଥିତି ରହିଲେ ନୋଟା ସହ ଲଢ଼ିବାକୁ ପଡ଼ିବ। ନିଜର ରାଜନୈତିକ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ଦିଲ୍ଲୀରୁ କଂଗ୍ରସ ମୁଖ୍ୟ କୌଣସି ଠୋସ୍ ପଦକ୍ଷେପ ନ ନେଲେ ଆମେ କଠିନ ନିଷ୍ପତ୍ତି ନେବୁ ବୋଲି ମୋକିମ୍ କହିଛନ୍ତି।

ସେପଟେ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବାରୁ ଦଳୀୟ ନେତାଙ୍କ କହିବା ମୁତାବକ ପଦ୍ମପୁର ଉପନିର୍ବାଚନରୁ ଦୂରେଇ ରହିଥିଲେ ମୋକିମ୍ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଓଡ଼ିଶାରେ କଂଗ୍ରେସ ନେତୃତ୍ୱ ଓ ପ୍ରଭାରିଙ୍କ ବିରୋଧରେ ମୋକିମ୍‌ଙ୍କ ଏଭଳି ବିଷୋଦ୍‌ଗାର ଏବେ ରାଜନୈତିକ ମହଲରେ ଅଲୋଚନାର ବିଷୟ ହୋଇଛି।

Related story