ଅପରାଜିତାଙ୍କ ପ୍ରଶ୍ନ, ରାଜ୍ୟ ସରକାର କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି? ପାଣି ନିଷ୍କାସନ ପାଇଁ କାହିଁକି ବ୍ୟବସ୍ଥା ହୋଇନାହିଁ? କାହିଁକି ୧୧୦ କୋଟି ଟଙ୍କା ଠିକ୍‌ ଭାବେ ଖର୍ଚ୍ଚ ହୋଇନାହିଁ? ଜଣେ ନାଗରିକ ହିସାବରେ ମୋର ପଚାରିବାର ଅଧିକାର ରହିଛି। ମୋ’ ପରି ସବୁ ଭୁବନେଶ୍ୱରବାସୀଙ୍କର ପଚାରିବାର ଅଧିକାର ଅଛି। ଏହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ପଚାରିଛନ୍ତି। ସେ କହିଛନ୍ତି-“ଆଜି ମୁଁ ଭୁବନେଶ୍ୱରରେ ବହୁ ଅଞ୍ଚଳ ବୁଲି […]

Aparajita Sarangi

Manoranjan Sial
  • Published: Monday, 13 September 2021
  • , Updated: 13 September 2021, 06:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି? ପାଣି ନିଷ୍କାସନ ପାଇଁ କାହିଁକି ବ୍ୟବସ୍ଥା ହୋଇନାହିଁ? କାହିଁକି ୧୧୦ କୋଟି ଟଙ୍କା ଠିକ୍‌ ଭାବେ ଖର୍ଚ୍ଚ ହୋଇନାହିଁ? ଜଣେ ନାଗରିକ ହିସାବରେ ମୋର ପଚାରିବାର ଅଧିକାର ରହିଛି। ମୋ’ ପରି ସବୁ ଭୁବନେଶ୍ୱରବାସୀଙ୍କର ପଚାରିବାର ଅଧିକାର ଅଛି। ଏହାର ଉତ୍ତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ପଚାରିଛନ୍ତି।

ସେ କହିଛନ୍ତି-“ଆଜି ମୁଁ ଭୁବନେଶ୍ୱରରେ ବହୁ ଅଞ୍ଚଳ ବୁଲି ଲୋକଙ୍କ ସ୍ଥିତି ଦେଖିଛି। ସେମାନଙ୍କ ଶୋଇବା ଘରେ ଓ ରୋଷେଇ ଘରେ ପଶିଛି ନର୍ଦ୍ଦମା ପାଣି। ସେମାନେ ରୋଷେଇ କରି ଖାଇପାରି ନାହାନ୍ତି। ଲୋକମାନେ ବହୁ ଅସୁବିଧାରେ ରହିଛନ୍ତି। ନର୍ଦ୍ଦମା ପାଣି ଉଛୁଳି ରାସ୍ତାରେ ପ୍ରବାହିତ ହେଉଛି। କୌଣସି ନର୍ଦ୍ଦମାରେ ପାଣି ଯାଇପାରୁ ନାହିଁ। କାରଣ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ଭାବେ ତିଆରି ହୋଇନାହିଁ। ଯେଉଁଥିପାଇଁ ଘରେ ନର୍ଦ୍ଦମା ପାଣି ପଶୁଛି। ଏପରି ସମୟରେ ଶାସକ ଦଳର ନେତା ଓ ପ୍ରଶାସକମାନେ ଲୋକଙ୍କ ପାଖରେ ଠିଆ ହେବା କଥା। ମାତ୍ର ସେମାନଙ୍କର ଦେଖାନାହିଁ। ଲୋକଙ୍କ ଘରେ କାହିଁକି ପାଣି ପଶିଲା? ଏହାର ଉତ୍ତର ସରକାର ଦିଅନ୍ତୁ। ବର୍ତ୍ତମାନ ଆରୋପ ଓ ପ୍ରତ୍ୟାରୋପ କରିବାର ସମୟ ନୁହେଁ। ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ। ଲୋକଙ୍କର ସମସ୍ୟା ସମାଧାନ କରାଯାଉ।”

ଶ୍ରୀମତୀ ଷଡଙ୍ଗୀ ଆହୁରି କହିଛନ୍ତି-“ଭୁବନେଶ୍ୱରରେ ଡ୍ରେନେଜ୍‌ ସମସ୍ୟା ସମାଧାନ ନେଇ ୨୦୨୦ ଜାନୁଆରୀ ମାସରେ ପୂର୍ବତନ ବିଏମ୍‌ସି କମିଶନରଙ୍କ ସହିତ ମୋର ଆଲୋଚନା ହୋଇଥିଲା। ୧୩ଟା ଷ୍ଟର୍ମ ୱାଟର ଡ୍ରେନେଜ୍‌ ସିଷ୍ଟମର କେମିତି ମରାମତି ହେବ? ଏଥିପାଇଁ ରାଜ୍ୟ ସରକାରଙ୍କର କଣ ଆଭିମୁଖ୍ୟ ଅଛି? ସେ ସମ୍ପର୍କରେ ମୋତେ କୁହନ୍ତୁ। ସେ(ପୂର୍ବତନ କମିଶନର) ସେତେବେଳେ କହିଥିଲେ, ଆମେ ମାଷ୍ଟର ପ୍ଲାନ୍‌ କିଛି କରିନାହୁଁ। କିନ୍ତୁ ରାଜ୍ୟ ସରକାର ୧୧୦ କୋଟି ଟଙ୍କା ଦେଉଛନ୍ତି। ଯେଉଁସ୍ଥାନରେ ସମସ୍ୟା ଅଛି, ସେଠାରେ ଏହି ଅର୍ଥ ଖର୍ଚ୍ଚ କରାଯାଇ ମରାମତି କରାଯିବ। ତେବେ ବର୍ତ୍ତମାନ କଥା ଉଠୁଛି, ଏହି ୧୧୦ କୋଟି ଟଙ୍କା ଗଲା କେଉଁଠି? ଯଦି ଠିକ୍‌ ଭାବେ ମରାମତି ହୋଇଥାଆନ୍ତା, ତାହାହେଲେ ଆଜି ଏ ଅବସ୍ଥା ହୋଇନଥାଆନ୍ତା।”

ସୂଚନାରୁ ପ୍ରକାଶ, ଗତ ଦୁଇ ଦିନ ଧରି ହୋଇଥିଲା ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ ହେଉଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। କେଉଁଠି କାର୍‌ ବୁଡ଼ିଗଲାଣି ତ ଆଉ କେଉଁଠି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତି ଦେଖି ସାଂସଦ ଶ୍ରୀମତୀ ଷଡଙ୍ଗୀ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସମସ୍ୟା ନେଇ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ପରିଦର୍ଶନ ବେଳେ ଡ୍ରେନେଜ୍‌ ସମସ୍ୟା ଥିବା ଜଳଜଳ ଦେଖାଯାଉଥିବା ଶ୍ରୀମତୀ ଷଡଙ୍ଗୀ ଗଣମାଧ୍ୟମକୁ କହିଛନ୍ତି।

Related story