ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ କରିବା ଓ ଦଳୀୟ କର୍ମୀଙ୍କ ତୁଷ୍ଟୀକରଣ ପାଇଁ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ୨୦୧୮ ମସିହାର ‘ଆମ ଗାଁ ଆମ ବିକାଶ’ ଯୋଜନାର ସଂଶୋଧିତ ରୂପରେଖକୁ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁରେ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ୍ ଆଜି ଏହି ନୂତନ ସଂଶୋଧିତ ରୂପରେଖକୁ ମଞ୍ଜୁରୀ ଦେବା ସହ ୨୦୨୩-୨୪ ଆର୍ଥିକ ବର୍ଷରେ ୪ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଅନୁମତି ଦେଇଛନ୍ତି । ପ୍ରତ୍ୟେକ ପଂଚାୟତକୁ ଗ୍ରାମାଂଚଳ ଭିତ୍ତିଭୂମି ସୁଧାର ପାଇଁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ ଏବଂ ପ୍ରତ୍ୟେକ ପ୍ରକଳ୍ପର ପରିମାଣର ଅଢ଼େଇ ଲକ୍ଷରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । ପଂଚାୟତ ସମିତି ଦ୍ୱାରା ବିଭାଗୀୟସ୍ତରରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଅର୍ଥାତ୍ ବିଭାଗୀୟ ଯନ୍ତ୍ରୀମାନଙ୍କ ନାଁରେ ପ୍ରକଳ୍ପର କାମ ରହିବ, ଯାହାକୁ ସ୍ଥାନୀୟ ଶାସକ ଦଳର କର୍ମୀମାନେ କରିବେ । ଏହି ପ୍ରସ୍ତାବ ସମେତ ମୋଟ ୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ‘ଆମ ଗାଁ ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଏକ ନୂଆ ରୂପରେଖରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାମକ ଅଭିନବ ପ୍ରୟାସ କରିଛନ୍ତି । ଗ୍ରାମାଂଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଂଚାଇ ରଖିବା, ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ମହିଳା,ଯୁବକ ସଶକ୍ତିକରଣ ହାସଲ ପାଇଁ ଭିତ୍ତିଭୂମି ବିକାଶ, କ୍ରୀଡ଼ାର ବିକାଶ, ବ୍ୟାଙ୍କିଙ୍ଗ ସେବା ତଥା ଡିଜିଟାଲ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମିର ଉନ୍ନତିକରଣ ନିମନ୍ତେ ଏହି ଅର୍ଥ ଖର୍ଚ୍ଚ ହେବ । ପ୍ରତ୍ୟେକ ପଂଚାୟତ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇବେ । ଏହି ଅର୍ଥରେ ଅଧିକ ସଂଖ୍ୟକ ତୀର୍ଥ ଯାତ୍ରୀଙ୍କ ସମାଗମ ହେଉଥିବା ଉପାସନାସ୍ଥଳୀ ବା ଧାର୍ମିକ ପୀଠରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ବ୍ୟୟ କରାଯାଇପାରିବ । ପଂଚାୟତୱାରି ପ୍ରକଳ୍ପ ତାଲିକାକୁ ବ୍ଲକସ୍ତରରେ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସଭାପତିଙ୍କ ଦସ୍ତଖତରେ ସରକାରଙ୍କ ଅନୁମୋଦନ ପାଇଁ ପଂଚାୟତିରାଜ ବିଭାଗକୁ ପଠାଯିବ । ଏହା ମାଧ୍ୟମରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ମୂଲ୍ୟ ୨.୫୦ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ରହିବ । ଆବଶ୍ୟକସ୍ଥଳେ ଏହି ପରିମାଣକୁ ପରିବର୍ତ୍ତନ କରାଯିବ । ଏହି ପ୍ରକଳ୍ପଗୁଡ଼ିକ ଉପଯୁକ୍ତ ପ୍ରକ୍ରିୟା ଅନୁସାରେ ପଂଚାୟତସମିତି ଦ୍ୱାରା ବିଭାଗୀୟ ଭାବେ କାର୍ଯ୍ୟକାରୀ ହେବ । ପ୍ରକଳ୍ପର ସ୍ୱଚ୍ଛତା ରଖିବାକୁ ବିଭାଗ ପକ୍ଷରୁ ଏକ ୱେବଆଧାରିତ ଏମଆଇଏସ୍ ଓ ମୋବାଇଲ ଆପ୍ ବିକଶିତ ହେବ ତଥା ପ୍ରତ୍ୟେକ ପ୍ରକଳ୍ପର ଜିଆଇଏସ୍ ଟ୍ୟାଗିଂ କରାଯିବ ।
ଚଳିତ ଆର୍ଥିକ ବର୍ଷରେ ପଂଚାୟତରେ ହେବାକୁ ଥିବା ଏହି ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟକୁ ପଂଚାୟତସମିତି ଦ୍ୱାରା ବିଭାଗୀୟ ଯନ୍ତ୍ରୀମାନଙ୍କ ଦ୍ୱାରା କରାଇବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଅର୍ଥାତ୍ ଦୀର୍ଘବର୍ଷ ଧରି ଗ୍ରାମସଭା, ପଲ୍ଲୀସଭାକୁ ପଙ୍ଗୁ କରି ରଖିଥିବା ବିଜେଡି ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭାଗୀୟ ଯନ୍ତ୍ରୀମାନଙ୍କ ନାଁରେ ପ୍ରକଳ୍ପ କାର୍ଯ୍ୟକୁ ରଖି ବାସ୍ତବ କ୍ଷେତ୍ରରେ ଦଳୀୟ କର୍ମୀମାନଙ୍କୁ ଏସବୁର କାର୍ଯ୍ୟ କରିବାକୁ ଅନୁମତି ଦେବେ । ଯାହାକି ଖୋଲାଖୋଲି ଭାବେ କର୍ମୀ ତୁଷ୍ଟୀକରଣ ପାଇଁ ଉଦ୍ଦିଷ୍ଟ ବୋଲି ଜଳଜଳ ଦୃଶ୍ୟମାନ ହେଉଛି । ‘ଆମ ଗାଁ ଆମ ବିକାଶ ଯୋଜନା’ର ପ୍ରକଳ୍ପ କାର୍ଯ୍ୟକୁ ସମାନ ଢଙ୍ଗରେ ରାଜ୍ୟର ବିଜେଡି ସରକାର ୨୦୧୯ ସାଧାରଣ ର୍ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ କର୍ମୀମାନଙ୍କୁ ବଂଟନ କରିଥିଲେ । ଏହି ଯୋଜନାରେ ପ୍ରାୟ ୧୮୦୦କୋଟି ଟଙ୍କା ବ୍ୟୟ କରିଥିବା ରାଜ୍ୟ ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୪ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । କେବଳ ଦଳୀୟ କର୍ମୀ ତୁଷ୍ଟୀକରଣ ନୀତି ଯୋଗୁ ୨୦୧୮ ମସିହାରେ ମଞ୍ଜୁରୀ ପାଇଥିବା ପ୍ରକଳ୍ପ(ଆମ ଗାଁ ଆମ ବିକାଶ)ର ପ୍ରାୟ ୪୦ ପ୍ରତିଶତ ଏବେବି ଅଧୁରା ରହିଥିବା ଜଣାପଡ଼ିଛି ।