ବିଜୟନ୍‌ଙ୍କ ପରେ ନବୀନ: କୋଭିଡ୍ ଟିକା ପାଇଁ ଚାପ, ଲୋଡ଼ିଲେ ସବୁ ରାଜ୍ୟର ସହଯୋଗ

ଭୁବନେଶ୍ୱର(ପ୍ରକାଶ ସେଠୀ): ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ମାଗଣା ସାମୁହିକ ଟିକାକରଣ ମାଧ୍ୟମରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆହ୍ୱାନ କରିଥିବା ଗ୍ଲୋବାଲ ଟେଣ୍ଡର ପ୍ରତି କମ୍ପାନୀଗୁଡ଼ିକର ଅନାଗ୍ରହ ଏବେ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। କେନ୍ଦ୍ର ସରକାର କୋଭିଡ୍ ଟିକା କ୍ରୟ କରନ୍ତୁ ଓ ରାଜ୍ୟ ଏହାର ଆର୍ଥିକ ବୋଝ ଉଠାଇବ ବୋଲି ଲିଖିତ ଭାବେ ରାଜ୍ୟ ସରକାର ଜଣାଇବାର ୨୪ଘଣ୍ଟା ନପରୁଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ […]

Naveen Pattnaik

Ordigital Desk
  • Published: Wednesday, 02 June 2021
  • , Updated: 02 June 2021, 08:44 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ମାଗଣା ସାମୁହିକ ଟିକାକରଣ ମାଧ୍ୟମରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆହ୍ୱାନ କରିଥିବା ଗ୍ଲୋବାଲ ଟେଣ୍ଡର ପ୍ରତି କମ୍ପାନୀଗୁଡ଼ିକର ଅନାଗ୍ରହ ଏବେ ଓଡ଼ିଶା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। କେନ୍ଦ୍ର ସରକାର କୋଭିଡ୍ ଟିକା କ୍ରୟ କରନ୍ତୁ ଓ ରାଜ୍ୟ ଏହାର ଆର୍ଥିକ ବୋଝ ଉଠାଇବ ବୋଲି ଲିଖିତ ଭାବେ ରାଜ୍ୟ ସରକାର ଜଣାଇବାର ୨୪ଘଣ୍ଟା ନପରୁଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସର୍ବୋଚ୍ଚ ପ୍ରାଥମିକତା ଓ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣକୁ ରାଜ୍ୟ ସରକାରମାନେ ଗ୍ରହଣ ନକରିବା ଯାଏ କେହି ନିରାପଦ ନୁହଁନ୍ତି ବୋଲି କହବା ସହ ଭାରତ ସରକାର ନିଜେ ଟିକା କ୍ରୟ କରି ରାଜ୍ୟଗୁଡ଼ିକ ବଣ୍ଟନ କରନ୍ତୁ, ଯାହାକି ନାଗରିକମାନଙ୍କର ତ୍ୱରିତ୍ ଟିକାକରଣ ସମ୍ଭବପର କରାଇବାର ଏକମାତ୍ର ବିକଳ୍ପ ବୋଲି ନବୀନ କହିଛନ୍ତି।

ଏହାସହିତ ପରୋକ୍ଷରେ ରାଜ୍ୟ ଡାକିଥିବା ଗ୍ଲୋବାଲ ଟେଣ୍ଡର ଫେଲ୍ ମାରିଲା ବୋଲି ସରକାର ସ୍ୱୀକାର କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଏହି ଟିକା କ୍ରୟ ପ୍ରସଙ୍ଗରେ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଓଡ଼ିଶା ସମେତ ୧୧ଟି ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିବାର ୩ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳମତନିର୍ବିଶେଷରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଟିକା କ୍ରୟ ପାଇଁ ରାଜ୍ୟଗୁଡ଼ିକ ନିଜ ଭିତରେ ପ୍ରତିଯୋଗିତା ନକରି ପରୋକ୍ଷରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ଅଧିକ ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ଇସାରା ଦେଇଛନ୍ତି।

ସୂଚନା ଅନୁସାରେ, ଓଡ଼ିଶା ସରକାର କୋଭିଡ୍ ଟିକା ପାଇଁ ଡାକିଥିବା ଗ୍ଲୋବାଲ ଟେଣ୍ଡର ସର୍ତ୍ତକୁ କୋହଳ କରିବା ସହ ଟେଣ୍ଡର ଦାଖଲ ଅବଧିକୁ ଜୁନ୍ ୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ମଧ୍ୟ ତା’ ପୂର୍ବରୁ ଗତକାଲି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କୌଣସି ଉତ୍ପାଦନକାରୀ କମ୍ପାନୀ ଆଗ୍ରହ ଦେଖାଉନଥିବା ସ୍ପଷ୍ଟ କରିଥିଲେ। ଏହାସହିତ ଗ୍ଲୋବାଲ ଟେଣ୍ଡର ଫେଲ୍ ମାରୁଥିବା ନେଇ ମଧ୍ୟ ପରୋକ୍ଷରେ ସୂଚନା ଦେଇ କେନ୍ଦ୍ର ସରକାର ଟିକା କ୍ରୟ କରି ରାଜ୍ୟକୁ ଦିଅନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଗତକାଲି ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରସ୍ତାବ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଟିକାକରଣ ଓ ଗ୍ଲୋବାଲ ଟେଣ୍ଡର ପ୍ରସଙ୍ଗରେ ଆଲୋଚନା କରିବା ପରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ସ୍ୱାଧୀନତା ପରେ କରୋନା ମହାମାରୀ ସମଗ୍ର ଦେଶ ଆଗରେ ଏକ ବିରାଟ ଚ୍ୟାଲେଞ୍ଜ ପାଲଟିଛି । ରାଜନୀତିକ ଓ ଅନ୍ୟ ଯାହାବି ମତଭେଦ ରହିଥିଲେ ମଧ୍ୟ ଲୋକଙ୍କ ମୂଲ୍ୟବାନ ଜୀବନ ଓ ସେମାନଙ୍କର କଷ୍ଟଲବ୍ଧ ଜୀବିକାକୁ ବଂଚାଇବା ପାଇଁ ସମସ୍ତେ ସଂଘୀୟ ସହଭାଗିତାର ବାସ୍ତବ ମନୋଭାବ ନେଇ ଏକଜୁଟ ହେବେ ବୋଲି ମୁଁ ନିଶ୍ଚିତ । ଏବେସୁଦ୍ଧା କରୋନା ମହାମାରୀର ଦୁଇଟି ଲହରୀକୁ ଦେଶ ସମ୍ମୁଖୀନ ହୋଇଛି । ତେଣୁ ଭବିଷ୍ୟତରେ ଲୋକଙ୍କୁ ସୁରକ୍ଷା ଦେବାର ବାଟ ହେଉଛି ସେମାନଙ୍କର ଟିକାକରଣ କରାଇବା।

ଯେଉଁସବୁ ଦେଶ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସେଠାରେ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିଛି। ଟିକାକରଣକୁ ସର୍ବୋଚ୍ଚ ପ୍ରାଥମିକତା ଓ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ ନକଲେ ରାଜ୍ୟଗୁଡ଼ିକ ନିରାପଦ ନୁହଁନ୍ତି। ତେଣୁ ଟିକା କ୍ରୟ ପାଇଁ ରାଜ୍ୟଗୁଡ଼ିକ ନିଜ ପ୍ରତିଯୋଗିତା କରିବା ଅନୁଚିତ୍। ନବୀନ ନିଜ ରାଜ୍ୟର ଗ୍ଲୋବାଲ ଟେଣ୍ଡର ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଘରୋଇ ଟିକା ଉତ୍ପାଦନକାରୀ କମ୍ପାନୀ ଏତେ ସଂଖ୍ୟକ ଟିକା ଯୋଗାଣ କରିବାରେ ପ୍ରତିବଦ୍ଧ କି ସକ୍ଷମ ନୁହଁନ୍ତି। ବିଦେଶୀ ଟିକା କମ୍ପାନୀଗୁଡ଼ିକ ରାଜ୍ୟ ସରକାରଙ୍କୁ ଟିକା ଯୋଗାଣ କରିବାକୁ ଅନିଚ୍ଛୁକ। ସେମାନେ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି।

ତେଣୁ ଏଭଳି ସ୍ଥିତିରେ ସବୁଠୁ ଭଲ ଉପାୟ ହେଉଛି ଭାରତ ସରକାର ଟିକା ନିଜେ କ୍ରୟ କରି ରାଜ୍ୟଗୁଡ଼ିକ ବଣ୍ଟନ କଲେ ନାଗରିକମାନଙ୍କର ତୁରନ୍ତ ଟିକାକରଣ ହୋଇପାରିବ। ଏହାସହିତ ଟିକାକରଣ କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକ ପାଇଁ କେତେକ ସର୍ତ୍ତାବଳୀକୁ କୋହଳ କରିବାର ଆବଶ୍ୟକତା ରହିଛି। ପାହାଡ଼ିଆ ଅଂଚଳରେ ଇଣ୍ଟରନଟେ ନଥିବାରୁ ଅନଲାଇନ ପଞ୍ଜିକରଣକୁ କୋହଳ କରିବା, ଆଦିବାସୀ ବର୍ଗଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବା ଆଦି ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିବା ଦର୍ଶାଇ ନବୀନ ସମସ୍ତ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ଓ ସମସ୍ୟାର ଆଗୁଆ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି। ତୃତୀୟ ଲହର ଆସିବା ପୂର୍ବରୁ ତୁରନ୍ତ କାର୍ଯ୍ୟ କରିବାର ଆବଶ୍ୟକତା ଥିବା ନବୀନ କହିଛନ୍ତି।

ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନ ଆଜି ଏହି ଚିଠି ଲେଖିଛନ୍ତି। ଚିଠିରେ ଟିକା କିଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କଥା ସିଧାସଳଖ ଉଲ୍ଲେଖ ନଥିଲେ ମଧ୍ୟ ପରୋକ୍ଷରେ ନବୀନ ରାଜ୍ୟଗୁଡ଼ିକୁ ଏକଜୁଟ କରାଇ ଟିକା ପାଇଁ ପ୍ରତିଯୋଗିତା ନକରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ଏହି ବିପତ୍ତି ସମୟରେ ସମସ୍ତ ରାଜ୍ୟ ସରକାର ଯେଭଳି ଦଳମତ ନିର୍ବିର୍ଶେଷରେ ଏକଜୁଟ ହେବେ ସେଥିପାଇଁ ମଧ୍ୟ ଉଦ୍ୟମ କରିଛନ୍ତି। ଆଉ ପରୋକ୍ଷରେ ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡରର ଭବିଷ୍ୟତ ଅନ୍ଧକାରମୟ ବା ଫେଲ୍ ମାରିବାକୁ ଯାଉଥିବା ଗତକାଲି ଓ ଆଜିର ଚିଠିରୁ ସ୍ପଷ୍ଟ ହୋଇଛି।

Related story