ସାରର କୃତ୍ରିମ ଅଭାବ କରି ଚାଷୀଙ୍କୁ ଠକୁଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟକୁ ଆବଶ୍ୟକ ପରିମାଣର ସାର ଯୋଗାଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ଓ ବିଜେଡି ସାଂସଦମାନେ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି। ରାଜ୍ୟରେ ସାରର କୃତ୍ରିମ ଅଭାବ ସୃଷ୍ଟି କରି ଚାଷୀଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାରଙ୍କ ପାଖରେ ପ୍ରସଙ୍ଗ ନଥିବାରୁ ସାରକୁ ପ୍ରସଙ୍ଗ କରି କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି। କେନ୍ଦ୍ର […]

pradeep-purohit

Ordigital Desk
  • Published: Saturday, 31 July 2021
  • , Updated: 31 July 2021, 10:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟକୁ ଆବଶ୍ୟକ ପରିମାଣର ସାର ଯୋଗାଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ଓ ବିଜେଡି ସାଂସଦମାନେ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି। ରାଜ୍ୟରେ ସାରର କୃତ୍ରିମ ଅଭାବ ସୃଷ୍ଟି କରି ଚାଷୀଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାରଙ୍କ ପାଖରେ ପ୍ରସଙ୍ଗ ନଥିବାରୁ ସାରକୁ ପ୍ରସଙ୍ଗ କରି କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି। କେନ୍ଦ୍ର ସରକାର ଆବଶ୍ୟକତାଠୁ ଅଧିକ ସାର ଦେଉଛନ୍ତି ବୋଲି ବିଜେପି କହିଛି।

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ଆବଶ୍ୟକ ଅନୁଯାୟୀ ସାର ମହଜୁଦ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇମାନଙ୍କୁ ବିଭ୍ରାନ୍ତି କରିବା ପାଇଁ ଏକ ଚିଠି ଲେଖୁଛନ୍ତି ଏବଂ ଅନ୍ୟପଟେ ବିଜେଡ଼ି ଦଳର ସାଂସଦମାନେ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଦେଖା କରିଛନ୍ତି। ଏହା ବିଜେଡିର ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ସଦୃଶ ହୋଇଛି । ବାସ୍ତବରେ ବିଜେଡ଼ି ସରକାର ସାର ବିକ୍ରିର କୁତ୍ରିମ ଅଭାବ ସୃଷ୍ଟି କରି ଚାଷୀ ଭାଇ ମାନଙ୍କ ମନରେ ବିଭ୍ରାନ୍ତ କରୁଛନ୍ତି । ନିଜର ଅପାରଗତାକୁ ଘୋଡ଼ାଇବା ପାଇଁ ଅନ୍ୟ ଉପରେ ଦୋଷ ଲଦିବା ଏହା ବିଜେଡ଼ି ଦଳର ପାରମ୍ପରିକ ଅଭ୍ୟାସ । ନିଜେ ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା ନୀତି ଧରିଛନ୍ତି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାକୁ ଚାଷ କ୍ଷେତ୍ର ହେଉ କିମ୍ୱା ସାର ଯୋଗାଣ ଦିଗରେ ସର୍ବଦା ପ୍ରଧାନ୍ୟ ମିଳୁଛି । ବିଗତ ୩ ବର୍ଷର ତଥ୍ୟକୁ ବିଶ୍ଳେଷଣ କଲେ ଓଡ଼ିଶାକୁ ଧାର୍ଯ୍ୟ ଆବଂଟିତ ସାର ପରିମାଣ ଠାରୁ ଅଧିକ ସାର ଯୋଗାଇ ଦିଆଯାଇଛି । ଓଡ଼ିଶା ସରକାର ଧାର୍ଯ୍ୟ ଆବଂଟିତ ପରିମାଣର ସାର ଠାରୁ କମ୍ ସାର ଦିଆଯାଇଥିବା କହି କେନ୍ଦ୍ରକୁ ଯେଉଁ ପତ୍ର ଲେଖିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ନିଜର ଅପାରଗତାକୁ ଲୁଚାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦିବାର ଆଉ ଏକ ଉଦାହରଣ । ଚଳିତ ଖରିଫ ଋତୁରେ ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ରହିଛି । ରାଜ୍ୟ ସରକାର ଯେଉଁ ପ୍ରସଙ୍ଗ ଉଠାଇ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା କେବଳ ଲୋକଦେଖାଣିଆ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ତଥ୍ୟ ଆଧାରରେ ଆବଶ୍ୟକତା ଠାରୁ ରାଜ୍ୟ ପାଖରେ ଅଧିକ ସାର ଉପଲବ୍ଧ ରହିଛି । ଚଳିତ ଜୁଲାଇ ମାସ ପାଇଁ ରାଜ୍ୟକୁ ୦.୯୦ ଲକ୍ଷ ମେଟ୍ରିକ୍ ଟନ ୟୁରିଆ ଆବଶ୍ୟକ ଥିବାବେଳେ କେନ୍ଦ୍ର ସାର ବିଭାଗ ୦.୯୦ ଲକ୍ଷ ମେଟ୍ରିକ୍ ଟନ ୟୁରିଆ ରାଜ୍ୟକୁ ଯୋଗାଇ ଦେବାର ଯୋଜନା ରଖିଛି । ୩୦ ଜୁଲାଇ ସୁଦ୍ଧା ରାଜ୍ୟ ପାଖରେ ୨.୨୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଉପଲବ୍ଧ ରହିଛି । ଏହି ସମୟ ମଧ୍ୟରେ ୦.୯୨ ଲକ୍ଷ ମେଟ୍ରିକ୍ ଟନର ୟୁରିଆ ବିକ୍ରି ହାଇଛି । ୩୦ଜୁଲାଇ ୨୦୨୧ ସୁଦ୍ଧା ରାଜ୍ୟ ପାଖରେ ୧.୨୮ ଲକ୍ଷ ମେଟ୍ରିକ୍ ଟନର ଆବଶ୍ୟକୀୟ ୟୁରିଆ ମହଜୁଦ୍ ଅଛି । ଜୁଲାଇ ମାସ ପାଇଁ ରାଜ୍ୟକୁ ୦.୬୫ ଲକ୍ଷ ମେଟ୍ରିକ୍ ଟନ୍ ଡ଼ିଏପି ସାର ଆବଶ୍ୟକ ଥିବାବେଳେ କେନ୍ଦ୍ର ସାର ବିଭାଗ ୦.୬୬ ଲକ୍ଷ ମେଟ୍ରିକ୍ ଟନ ଡ଼ିଏପି ସାର ରାଜ୍ୟକୁ ଯୋଗାଇ ଦେବାର ଯୋଜନା ରଖିଛି । ଏହି ସମୟରେ ୦.୫୫ ଲକ୍ଷ ମେଟ୍ରିକ୍ ଟନ ଡ଼ିଏପି ସାର ବିକ୍ରି ହାଇଛି । ରାଜ୍ୟ ପାଖରେ ଜୁଲାଇ ୩୦ ସୁଦ୍ଧା ରାଜ୍ୟ ପାଖରେ ୦.୪୫ ଲକ୍ଷ ମେଟ୍ରିକ୍ ଟନ ଡ଼ିଏପି ସାର ଉପଲବ୍ଧ ରହିଛି । ସେହିପରି ଜୁଲାଇ ମାସ ପାଇଁ ରାଜ୍ୟକୁ ୦.୩୦ ଲକ୍ଷ ମେଟ୍ରିକ୍ ଟନ୍ ଏମଓପି ଆବଶ୍ୟକ ଥିବାବେଳେ କେନ୍ଦ୍ର ସାର ବିଭାଗ ୦.୩୦ ଲକ୍ଷ ମେଟ୍ରିକ୍ ଟନ ଏମଓପି ରାଜ୍ୟକୁ ଯୋଗାଇ ଦେବାର ଯୋଜନା ରଖିଛି । ଏହି ସମୟରେ ୦.୨୫ ଲକ୍ଷ ମେଟ୍ରିକ୍ ଟନ ଏମଓପି ସାର ବିକ୍ରି ହାଇଛି । ଜୁଲାଇ ୩୦ ସୁଦ୍ଧା ରାଜ୍ୟ ପାଖରେ ୦.୪୬ ଲକ୍ଷ ମେଟ୍ରିକ୍ ଟନ ଏମଓପି ଉପଲବ୍ଧ ରହିଛି । ଏହା ଦର୍ଶାଉଛି ଯେ ରାଜ୍ୟ ପାଖରେ ଆବଶ୍ୟକୀୟ
ଏମଓପି ମଧ୍ୟ ମହଜୁଦ୍ ଅଛି ।

ତେଣୁ ବିଜେଡ଼ିର ସାଂସଦମାନେ ସାରର ମାସିକ ଯୋଗାଣ ଉପରେ ଆଧାର କରି କେନ୍ଦ୍ର ଉପରେ ଦୋଷ ନ ଲଦି ବିଗତ ବର୍ଷର ହିସାବ ଦେଖନ୍ତୁ । ରାଜ୍ୟରେ ପୂର୍ବରୁ ଷ୍ଟକ୍ ଥିବା ସାରକୁ ଉପଯାଗ ନକରି କେନ୍ଦ୍ର ଉପରେ ଦୋଷ ଲଦିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ସାର ବିକ୍ରୟ କେନ୍ଦ୍ରରେ କୃତ୍ରିମ ଅଭାବ ସୃଷ୍ଟି ନକରି ଚାଷୀଙ୍କ ପାଖରେ କେମିତି ସାର ପହଂଚିପାରିବ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ୍ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

Related story