ସରକାରଙ୍କ ନିର୍ଦ୍ଦେଶକୁ ପ୍ରଭାତଙ୍କ ବିରୋଧ, ଦାମ ବି ମୁହଁ ଖୋଲିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପାର୍ବଣ ପାଇଁ ଏସଓପିକୁ ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ ବିରୋଧ କରିଥିବାବେଳେ ପଂଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତିକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନାପସନ୍ଦ କରିଛନ୍ତି। ଉଭୟ ନେତା ରାଜ୍ୟର କ୍ଷମତାସୀନ ବିଜେଡି ସହ ପରୋକ୍ଷରେ ଜଡ଼ିତ ଥିବାବେଳେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାର ଓ ଦଳର ନୀତିକୁ ବିରୋଧ କରିବାକୁ ନେଇ ରାଜନୀତିକ  ଉଷ୍ମତା ପ୍ରକାଶ ପାଇଛି। ବିଜେଡି ନେତା ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା […]

prabhat-tripathy

Ordigital Desk
  • Published: Tuesday, 10 August 2021
  • , Updated: 10 August 2021, 09:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପାର୍ବଣ ପାଇଁ ଏସଓପିକୁ ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ ବିରୋଧ କରିଥିବାବେଳେ ପଂଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତିକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନାପସନ୍ଦ କରିଛନ୍ତି। ଉଭୟ ନେତା ରାଜ୍ୟର କ୍ଷମତାସୀନ ବିଜେଡି ସହ ପରୋକ୍ଷରେ ଜଡ଼ିତ ଥିବାବେଳେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାର ଓ ଦଳର ନୀତିକୁ ବିରୋଧ କରିବାକୁ ନେଇ ରାଜନୀତିକ  ଉଷ୍ମତା ପ୍ରକାଶ ପାଇଛି।
ବିଜେଡି ନେତା ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଧାସଳଖ ରାଜ୍ୟ ସରକାରଙ୍କ ଦ୍ୱାରା ପାର୍ବଣ ପାଇଁ ଜାରି ଏସଓପି ଉପରେ ଆପତ୍ତି ଉଠାଇଛନ୍ତି।  କଟକ ମହାନଗର ପୂଜା କମିଟି ସମ୍ପାଦକ ଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତବର୍ଷର ଅଭିଜ୍ଞତାକୁ ବିଚାରକୁ ନନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମୂର୍ତ୍ତିର ଉଚ୍ଚତା କମିଲେ କରୋନା କିପରି କମିବ ତାହା ସେ ବୁଝିପାରୁନାହାନ୍ତି। ଦୁଗାଙ୍କ ମୂର୍ତ୍ତି ୩ରୁ ୪ଫୁଟ ମଧ୍ୟରେ ସୀମିତ ରହିବ, ପୂର୍ଣ୍ଣାୟବ ହେବ ନାହିଁ। ଏହା କୋଭିଡକୁ କିଭଳି ସାହାଯ୍ୟ କରିବ ତାହା ସେ ବୁଝିପାରୁନାହାନ୍ତି। ଧର୍ମୀୟ ଭାବନାକୁ ବିଚାରକୁ ନେଇ ସରକାର ନିଷ୍ପତ୍ତି ନିଅନ୍ତୁ। ଶାନ୍ତି କମିଟି କ’ଣ ଭାବିଛି ସେ ଜାଣନ୍ତି ନାହିଁ । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଗତବର୍ଷର ନିଷ୍ପତ୍ତିକୁ ଏଥର ଦୋହରାଯାଇଛି । ଏବର୍ଷ ଏହା ଉପରେ ଟିକିଏ ବିଚାର କରିବାର ଥିଲା। କଟକ ସହରର ସବୁ ପୂଜା ମଣ୍ଡପ ଓ ପୂଜା କମିଟି ପକ୍ଷରୁ ସରକାରଙ୍କ ପାଖରେ ଏନେଇ ଆପତ୍ତି କରାଯିବ ବୋଲି ସେ କହିଛନ୍ତି।

ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିନା ଅନୁମତିରେ ସରକାରରେ କୌଣସି ନିଷ୍ପତ୍ତି ହେଉନଥିବାବେଳେ ବିଜେଡିର ବରିଷ୍ଠ ନେତା ଶ୍ରୀ ତ୍ରିପାଠୀଙ୍କ ଏହି ବିରୋଧକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି।
ସେହିପରି, ପଂଚାୟତ ନିର୍ବାଚନ ପାଇଁ ଏବେ ରାଜନୀତିକ ଦଳଗୁଡ଼ିକ ଯେଭଳି ପ୍ରସ୍ତୁତି ଚଳାଇଛନ୍ତି ତାକୁ ନାପସନ୍ଦ କରି ପୂର୍ବତନ ପଂଚାୟତିରାଜ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଦଳୀୟ ଭିତ୍ତିରେ ହେବ ନାହିଁ ବୋଲି ବିଜୁବାବୁ ଆଇନ ପ୍ରଣୟନ କରିଥିଲେ। କିନ୍ତୁ ବିଜେଡି ଏବେ ବିଜୁବାବୁଙ୍କ ସ୍ୱପ୍ନକୁ ଚୂରମାର କରି ପଂଚାୟତ ରଣାଙ୍ଗନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି କରୁଛି। ବିଜେଡି ଏବେ ସରକାରରେ ଅଛି। ମୁଖ୍ୟମନ୍ତ୍ରୀ ନିଜେ ସବୁ ଦଳର ନେତାମାନଙ୍କୁ ଡାକି ପଂଚାୟତ ନିର୍ବାଚନକୁ ଦଳୀୟ ଭିତ୍ତିରେ ନକରି ଯୋଗ୍ୟ ପ୍ରାର୍ଥୀ ଯେମିତି ନିର୍ବାଚିତ ହୋଇ ଆସିବେ ତାହା ଉପରେ ଗୁରୁତ୍ୱ ଦିଅନ୍ତୁ।

ଦଳୀୟ ଭିତ୍ତିରେ ନିର୍ବାଚନ ହେଲେ ଯୋଗ୍ୟ ଲୋକେ କିଭଳି ପଂଚାୟତର ନେତୃତ୍ୱ ନେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଦଳୀୟ ଭିତ୍ତିରେ ନିର୍ବାଚନ ଯୋଗୁ ଏବେ ଗାଁ ଗହଳିରେ ମନରେଗା ଯୋଜନାରେ ଗରିବ ଲୋକେ କାମ ପାଉନାହାନ୍ତି ଓଲଟା ମେସିନ୍ କାମ କରୁଛି। ଆବାସ ଯୋଜନାରେ ଦୁର୍ନୀତି ହେଉଛି। ତେଣୁ ପଂଚାୟତ ନିର୍ବାଚନକୁ ଦଳୀୟ ଭିତ୍ତିରେ କରିବା ପାଇଁ ଯେଉଁ ପ୍ରସ୍ତୁତି ଚାଲିଛି ତାକୁ ଶାସକ ଦଳ ହିସାବରେ ବିଜେଡି ପୁନଃର୍ବିଚାର କରୁ ଓ ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରୁ ବୋଲି ଡାକ୍ତର ରାଉତ କହିଛନ୍ତି।
ଦୀର୍ଘଦିନ ଧରି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉନଥିବା ଡାକ୍ତର ରାଉତ ଆଜି ପଂଚାୟତ ନିର୍ବାଚନ ଆଳରେ ବିଜେଡି ସରକାରକୁ ସମାଲୋଚନା କରିବାକୁ ନେଇ ରାଜନୀତିକ ଉଷ୍ମତା ପ୍ରକାଶ ପାଇଛି । ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ଏବେ ପାରାଦୀପରୁ ବିଜେଡି ବିଧାୟକ ଥିବାବେଳେ ଡାକ୍ତର ରାଉତ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି ।

Related story