୧୦ବର୍ଷ ବିତିଲା, ଶିଖିପାରିଲେନି ମନ୍ତ୍ରୀ-ବିଧାୟକ: ଏବେପୁଣି ଗୁରୁମନ୍ତ୍ର, ରିଲସ୍ କର, ଆକ୍ଟିଭ ରୁହ

ରିଲସ୍ , ସର୍ଟସ ଆଦି କରି ଫେସବୁକ୍ , ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଆକ୍ଟିଭ ରହି ସବୁବର୍ଗର ଲୋକଙ୍କ ଦୃଷ୍ଟିକୁ ଆସିବା ଦିଗରେ କାର୍ଯ୍ୟ କରିବାକୁ ଦଳ ପକ୍ଷରୁ ଆଜି ତାଗିଦ୍ କରାଯାଇଥିବା ଜଣାପଡ଼ିଛି ।

Representational Image

  • Published: Thursday, 23 November 2023
  • , Updated: 23 November 2023, 10:12 PM IST

ବିଜେଡି ବିଧାୟକମାନଙ୍କୁ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ପାଇଁ ପୁଣି ଗୁରୁମନ୍ତ୍ର ଦେଇଛି ଦଳ। ପ୍ରାୟ ୧୦ବର୍ଷ ତଳେ ଏଭଳି ଗୁରୁମନ୍ତ୍ର ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନ ଗଡ଼ିଲା, କିନ୍ତୁ ବିଜେଡିର ମନ୍ତ୍ରୀ-ବିଧାୟକ ଏବେବି ଶିଖିପାରିଲେନି ସୋସିଆଲ ମିଡିଆରେ ସକ୍ରିୟ ରହିବାର କଳା । ଆଗକୁ ନିର୍ବାଚନ ଥିବାରୁ ବିଜେଡି ପୁଣିଥରେ ନିଜର ବିଧାୟକମାନଙ୍କୁ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ପାଇଁ ତାଗିଦ୍ କରିଛି । ରିଲସ୍ , ସର୍ଟସ ଆଦି କରି ଫେସବୁକ୍ , ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଆକ୍ଟିଭ ରହି ସବୁବର୍ଗର ଲୋକଙ୍କ ଦୃଷ୍ଟିକୁ ଆସିବା ଦିଗରେ କାର୍ଯ୍ୟ କରିବାକୁ ଦଳ ପକ୍ଷରୁ ଆଜି ତାଗିଦ୍ କରାଯାଇଥିବା ଜଣାପଡ଼ିଛି । ଏପରିକି ସୋସିଆଲ ମିଡିଆରେ କିଭଳି ଆକ୍ଟିଭ ରହିବେ ସେ ନେଇ ବିଧାୟକମାନଙ୍କୁ ୪୭ପୃଷ୍ଠାର ଏକ ବୁକଲେଟ୍ ମଧ୍ୟ ବଣ୍ଟାଯାଇଛି ।

ସୂଚନା ଅନୁସାରେ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଦଳର ବିଧାୟକମାନଙ୍କ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ଦଳର ସମସ୍ତ ବିଧାୟକ ଓ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସେମାନେ କିଭଳି ଆକ୍ଟିଭ ରହିବେ ଓ ଦଳ ସବୁବର୍ଗର ଭୋଟରଙ୍କ ପାଖରେ ପହଂଚିବ ସେଥିପାଇଁ ଗୁରୁମନ୍ତ୍ର ଦିଆଯାଇଛି । ବିଶେଷକରି ରାଜ୍ୟ ସରକାରଙ୍କ ଦୁଇଟି ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଓ ‘ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ’ ମାଧ୍ୟମରେ ଭୋଟରଙ୍କ ନିକଟତର ହେବାକୁ ଦଳ ପକ୍ଷରୁ ମନ୍ତ୍ରୀ ଓ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ସରକାର ‘ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ’ରେ ରାଜ୍ୟର ପ୍ରାୟ ୨ହଜାରରୁ ଅଧିକ କଲେଜରେ ନଭେମ୍ବର ୧୫ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ କ୍ରୀଡ଼ା ପ୍ରତିଯୋଗିତା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ୧୦୦ରୁ ଅଧିକ ପିଲା ପଢ଼ୁଥିବା ପ୍ରତ୍ୟେକ କଲେଜକୁ ରାଜ୍ୟ ସରକାର ଏଥିପାଇଁ ଦେଢ଼ ଲକ୍ଷରୁ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି । ପ୍ରତ୍ୟେକ ଛାତ୍ରଛାତ୍ରୀ ଯେଭଳି ଯେକୌଣସି ଗୋଟିଏ ପ୍ରତିଯୋଗିତାରେ ସାମିଲ ହେବେ ତାହା ସୁନିଶ୍ଚିତ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏହି କଲେଜ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକମାନେ ଭାବେ ସାମିଲ ହେବାକୁ ଦଳ ପରାମର୍ଶ ଦେଇଛି । ଯାହାଫଳରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ କଲେଜରେ ଥିବା ନୂଆ ଭୋଟରଙ୍କୁ ଆକୃଷ୍ଟ କରିହେବ ବୋଲି ଦଳ କହିଛି । ସେହିପରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କାର୍ଯ୍ୟକ୍ରମ ଗାଁ ଗହଳିରେ ବୁଲି କରିବା ପାଇଁ ବିଧାୟକମାନଙ୍କ କୁହାଯାଇଛି । ଏହି ଦୁଇଟି କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମର ସ୍ୱଳ୍ପ ଅବଧିର ଭିଡିଓ, ରିଲସ୍ ଆଦି କରି ଫେସବୁକ, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଛାଡ଼ିବାକୁ ଦଳ ପରାମର୍ଶ ଦେଇଛି ।

ଅନେକ ବିଧାୟକ ଏପର୍ଯ୍ୟନ୍ତ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ସକ୍ରିୟ ନଥିବା ଓ ଅନେକ ବିଧାୟକଙ୍କର ୟୁଟ୍ୟୁବରେ ଆକାଉଣ୍ଟ ନଥିବାକୁ ନେଇ ଦଳ ଚିନ୍ତା ବ୍ୟକ୍ତ କରିଛି । ଯୁବବର୍ଗ ଓ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ସୋସିଆଲ ମିଡିଆରେ କିଭଳି ଆକ୍ଟିଭ ରହିହେବ ସେ ନେଇ ଦଳ ପକ୍ଷରୁ ଏକ ବୁକଲେଟ୍ ଆଜି ସମସ୍ତ ବିଧାୟକ ଓ ନେତାମାନଙ୍କୁ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ୨୦୧୪ ଜୁଲାଇ ମାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକମାନଙ୍କୁ ଡାକି ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ପରାମର୍ଶ ଦେଇଥିଲେ । ୨୦୧୬ ମାର୍ଚ୍ଚ ୨୭ତାରିଖରେ ଦଳୀୟ ପଦାଧିକାରୀ, ବିଧାୟକ ଓ ମନ୍ତ୍ରୀମାନଙ୍କ ପାଇଁ ଦଳ ପକ୍ଷରୁ ସୋସିଆଲ ମିଡିଆ ପ୍ରଶିକ୍ଷଣର ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଗତ ୨୦୨୩ ଏପ୍ରିଲ ମାସରେ ଦଳ ପକ୍ଷରୁ ଇନଷ୍ଟାଗ୍ରାମରେ କିଭଳି ସକ୍ରିୟ ରହିହେବ ତା’ର ପ୍ରଶିକ୍ଷଣ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଦିଆଯାଇଥିଲା । ଏସବୁ ସତ୍ତ୍ୱେ ବିଜେଡିର ପ୍ରାୟ ୪୦ପ୍ରତିଶତରୁ ଅଧିକ ବିଧାୟକ ସୋସିଆଲ ମିଡିଆରେ ସକ୍ରିୟ ହୋଇପାରିନାହାନ୍ତି ।

କିଛି ବିଧାୟକ ବିଧିବଦ୍ଧ ଭାବେ ଘରୋଇ ଏଜେନ୍ସୀ ସହାୟତାରେ ନିଜର ଆକାଉଣ୍ଟ ପରିଚାଳନା କରୁଥିବା ଦେଖାଦେଇଛି । ତେବେ ସାଧାରଣ ନିର୍ବାଚନରେ ଡିଜିଟାଲ ଓ ସୋସିଆଲ ମିଡିଆର ପ୍ରଭାବ ବେଶ୍ ଅଧିକ ରହିବାର ସମ୍ଭାବନା ଥିବାରୁ ବିଜେଡି ଦଳୀୟ ନେତାମାନଙ୍କୁ ସେହି ଫର୍ମୂଲାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଇନଷ୍ଟାଗ୍ରାମରେ ୨୮ଲକ୍ଷ ଫଲୋଅର ଥିବାବେଳେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ୧.୩୯ଲକ୍ଷ , ବିଧାୟକ ପ୍ରଣବ ବଳବନ୍ତରାୟଙ୍କର ୫୩ହଜାର, ବିଜେଡି ମୁଖପାତ୍ର ତଥା ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ରଙ୍କ ଇନଷ୍ଟାଗ୍ରାମରେ ୫୧ହଜାର, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ୩୫ହଜାର, ପ୍ରତାପ ଜେନା ୨୬ହଜାର, ଯୁବ ସଭାପତି ବ୍ୟୋମକେଶ ରାୟଙ୍କର ୨୦ହଜାର, ଅରୁଣ ସାହୁ ୧୧ହଜାର, ପ୍ରଶାନ୍ତ ମୁଦୁଲି ୧୧ହଜାର, ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ୧୩ହଜାର, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କର ୧୩ହଜାର, ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମାତ୍ର ୧୬୧୫, ମନ୍ତ୍ରୀ ପ୍ରତାପ ଦେବଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାତ୍ର ୪୮୮ ଫଲୋଅର ରହିଛନ୍ତି ।

ତେବେ ବିଜେଡିର ଯେତେ ବିଧାୟକ ଓ ମନ୍ତ୍ରୀ ଅଛନ୍ତି ଇନଷ୍ଟାଗ୍ରାମରେ ସର୍ବାଧିକ ପୋଷ୍ଟ ଶ୍ରୀମୟୀ ମିଶ୍ରଙ୍କର ରହିଛି । ଶ୍ରୀମୟୀଙ୍କ ଆକାଉଣ୍ଟରେ ମୋଟ ୨୩୬୬ ପୋଷ୍ଟ ଥିବାବେଳେ, ପ୍ରଣବପ୍ରକାଶଙ୍କର ୮୭୮ଟି, ନବୀନଙ୍କ ୪୫୨ଟି, ଅରୁଣ ସାହୁଙ୍କ ୧୦୪୯ଟି, ଅତନୁଙ୍କ ୨୧୩ଟି, ପ୍ରଣବ ବଳବନ୍ତରାୟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାତ୍ର ୩୮୩ଟି, ପ୍ରଶାନ୍ତ ମୁଦୁଲିଙ୍କର ୨୦୫ଟି ଓ ବ୍ୟୋମକେଶ ରାୟଙ୍କର ମାତ୍ର ୨୭ଟି ପୋଷ୍ଟ ରହିଛି ।

ବାରମ୍ବାର ତାଗିଦ୍ ଓ ପ୍ରଶିକ୍ଷଣ ସତ୍ତ୍ୱେ ବିଜେଡି ନେତାମାନେ ସୋସିଆଲ ମିଡିଆରେ ସକ୍ରିୟ ହୋଇପାରୁନଥିବାରୁ ଦଳ ଏବେ ନିଜର ରଣନୀତି ବଦଳାଇଛି । କଲେଜ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ନିଜ ଅଂଚଳରେ ସୋସିଆଲ ମିଡିଆରେ ନିଜର ଚେହେରା ଦେଖାଇବେ ଓ ସେମାନଙ୍କ ମାଧ୍ୟମରେ ନିଜର ଅଧିକ ପ୍ରଚାର କରାଇବାକୁ ଦଳୀୟ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

Related story