ବିଜେପି ଖେଳିଲା ‘ପଶ୍ଚିମ ଓଡ଼ିଶା’ କାର୍ଡ ’, ୨୮ରେ ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପୂର୍ବରୁ ବିଜେପି ନିଜର ସଂଗଠନକୁ ସକ୍ରିୟ କରିବା ପାଇଁ ଏବେ ସରକାର ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛି। ଗତ ୨୧ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରମ୍ବାର ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରି ଆସିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଭୀମସାରରେ ଏକମୋ ମେସିନ ଲଗାଇବା […]

BJP

Ordigital Desk
  • Published: Saturday, 24 July 2021
  • , Updated: 24 July 2021, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପୂର୍ବରୁ ବିଜେପି ନିଜର ସଂଗଠନକୁ ସକ୍ରିୟ କରିବା ପାଇଁ ଏବେ ସରକାର ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛି। ଗତ ୨୧ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରମ୍ବାର ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରି ଆସିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଭୀମସାରରେ ଏକମୋ ମେସିନ ଲଗାଇବା ଦାବିରେ ବିଜେପି ଆସନ୍ତା ୨୮ତାରିଖରେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛି।

ଆଜି ଦଳର ୩ଜଣ ବିଧାୟକ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଶଙ୍କର ଓରାମ, ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ, ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାମାନେ ପଶ୍ଚିମଓଡ଼ିଶାର ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ବିଜେପି ନେତାମାନେ କହିଛନ୍ତି ଯେ, ଗତ ୨୧ବର୍ଷ ଶାସନ କାଳ ଭିତରେ ବାରମ୍ବାର ପଶ୍ଚିମ ଓଡ଼ିଶାକୁ ନବୀନ ପଟ୍ଟନାୟକ ସରକାର ସବୁ କ୍ଷେତ୍ରରେ ଅବହେଳା କରିଛନ୍ତି। ପଶ୍ଚିମଓଡ଼ିଶାକୁ ସାବତପୁଅ ଭଳି ଆଚରଣ କରୁଛନ୍ତି । କଟକସ୍ଥିତ ବଡ଼ମେଡିକାଲରେ ଏକମୋ ମେସିନ୍ ଲଗାଉଥିବା ସରକାର କାହିଁକି ବୁର୍ଲାର ଭୀମସାରରେ ଏହି ମେସିନ୍ ଲଗାଉନାହାନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଭୀମସାର ନିର୍ଦ୍ଦେଶକଙ୍କୁ ସରକାର କି ଅଟୋନୋମି ଦେଇଛନ୍ତି ବୋଲି ସେ ପ୍ରଶ୍ନ କରଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକକୁ ଘର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କର ଅବହେଳା ଓ ଯୋଜନା ନଥିବା କାରଣରୁ ଆଜି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ପକ୍କା ଘର ମିଳିଲା ନାହିଁ।

ସେହିପରି ଗତ କରୋନାର ଦ୍ୱିତୀୟ ଲହରରେ ବିଶେଷ ଭାବରେ ସବୁଠୁ ବେଶୀ କ୍ଷତି ପଶ୍ଚିମ ଓଡ଼ିଶାରେ ହେଲା। ଗୋଟିଏପଟେ ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛି କହି ଓଡିଶା ସରକାରଙ୍କର ବାହାପିଆ ସ୍ୱାସ୍ଥ୍ୟମନ୍ତ୍ରୀ ଯେଉଁ ତଥ୍ୟ ବାରମ୍ବାର କହୁଛନ୍ତି ସେ ତଥ୍ୟ କେବଳ ମୁହଁରେ କହୁଛନ୍ତି କିନ୍ତୁ ବାସ୍ତବରେ କୌଣସି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇନାହିଁ । ସର୍ବଦା ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି। ବୁର୍ଲାର ଭୀମସାର୍ ପାଇଁ ରାଜ୍ୟ ସରକାରଙ୍କର ବଜେଟରେ କିଛି ବ୍ୟବସ୍ଥା ଅଛି କି? ପଶ୍ଚିମ ଓଡିଶାରେ ସବୁଠୁ ବେଶୀ କ୍ୟାନସର ରୋଗୀ ଥିବା ବେଳେ ଭିମସାରରେ ଯେଉଁ କ୍ୟାନସର ବିଭାଗ ଅଛି ତାହା ଏବେ ଜର୍ଜରିତ ଅବସ୍ଥାରେ ପଡ଼ିରହିଛି। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପାଇଁ ପଶ୍ଚିମଓଡ଼ିଶାବାସୀଙ୍କୁ ଭୁବନେଶ୍ୱର, କଟକ, ବିଶାଖାପାଟଣାର ମେଡିକାଲ ଉପରେ ନିର୍ଭର କରୁଛନ୍ତି । ଭୀମସାରରେ ମାତ୍ର ୨୦ଟି ଆଇସିୟୁ ବେଡ୍ ଅଛି । ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଏଭଳି ଚରମ ଅବହେଳା ପ୍ରଦର୍ଶନକୁ ପଶ୍ଚିମ ଓଡ଼ିଶାବାସୀ ଆଦୌ ବରଦାସ୍ତ କରିବେ ନାହିଁ। ଚାଷୀମାନଙ୍କର ସମସ୍ୟାକୁ ନେଇ ଯେଉଁ ପ୍ରକାର ଆନ୍ଦୋଳନ ହୋଇଥିଲା ଏବେ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ପୁଣିଥରେ ଆନ୍ଦୋଳନ ହେବ। ଭୀମସାରରେ ଏକମୋ ମେସିନ ଲଗାଇବା ଦାବିରେ ଆସନ୍ତା ଜୁଲାଇ ୨୮ ତାରିଖରେ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ସଦର ମହାକୁମାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେହିପରି ଅଗଷ୍ଟ ୨ତାରିଖରେ ଜିଲ୍ଲା ତରଫରୁ ଆରଡିସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯିବ ବୋଲି ବିଜେପି ସୂଚନା ଦେଇଛି।

Related story