ଭାବମୂର୍ତ୍ତି ସୁଧାରିବାକୁ ମିଳୁନି ‘ମୁଣ୍ଡ’: ଅଫିସରଙ୍କୁ ଜୁ’ ପାଉନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତିବେଳେ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ ଏବେ ନବୀନ ପଟ୍ଟନାୟକ ସରକାରକୁ ଅଡ଼ୁଆରେ ପକାଇଛି। କରୋନା ମୁକାବିଲାକୁ ନେଇ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ଭିତରେ ସାମଗ୍ରୀ କିଣା ଦୁର୍ନୀତି ନବୀନ ପଟ୍ଟନାୟକ ସରକାରର ଭାବମୂର୍ତ୍ତିକୁ ସଙ୍କଟରେ ପକାଇଛି। କରୋନା ପରିଚାଳନା କାର୍ଯ୍ୟରୁ ଆରମ୍ଭରୁ ଦଳୀୟ ନେତା ଓ ବିଧାୟକମାନଙ୍କୁ ଦୂରେଇ ରଖିଥିବା ବିଜେଡି ସରକାର ନିଜର ବ୍ଲୁ-ଆଏଡ୍ ଅଫିସର ଗୋଷ୍ଠୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ […]

naveen

Ranjit Kumar Jena
  • Published: Thursday, 11 June 2020
  • , Updated: 12 June 2020, 08:17 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତିବେଳେ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ ଏବେ ନବୀନ ପଟ୍ଟନାୟକ ସରକାରକୁ ଅଡ଼ୁଆରେ ପକାଇଛି। କରୋନା ମୁକାବିଲାକୁ ନେଇ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ଭିତରେ ସାମଗ୍ରୀ କିଣା ଦୁର୍ନୀତି ନବୀନ ପଟ୍ଟନାୟକ ସରକାରର ଭାବମୂର୍ତ୍ତିକୁ ସଙ୍କଟରେ ପକାଇଛି।

କରୋନା ପରିଚାଳନା କାର୍ଯ୍ୟରୁ ଆରମ୍ଭରୁ ଦଳୀୟ ନେତା ଓ ବିଧାୟକମାନଙ୍କୁ ଦୂରେଇ ରଖିଥିବା ବିଜେଡି ସରକାର ନିଜର ବ୍ଲୁ-ଆଏଡ୍ ଅଫିସର ଗୋଷ୍ଠୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ନେତାମାନଙ୍କୁ ଆଗକୁ ଆଣିଛନ୍ତି। ଆଉ ଅନିୟମିତତାର ଦସ୍ତାବିଜ୍ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବାବେଳେ ହାତଗଣତି ବିଜେଡି ନେତାଙ୍କ ସଫେଇ ସରକାରଙ୍କୁ କ୍ଲିନଚିଟ୍ ଦେବାରେ ସକ୍ଷମ ହୋଇପାରୁନି। ଆଉ ସେପଟେ, ଦୁର୍ନୀତି ଅଭିଯୋଗ ଆସିଲେ ‘ମୁଣ୍ଡ’ ଗଡ଼ାଇବାରେ ମାହିର ବିଜେଡି ନେତୃତ୍ୱ ଏଥର କିନ୍ତୁ ‘ଅଫିସର ଗୋଷ୍ଠୀ’ଙ୍କୁ ଛୁଇଁବାକୁ ସାହାସ କରିପାରୁନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କରୋନା ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିରୋଧୀ ଦଳ ଓ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଅଭିଯୋଗ ଆସିବାପରେ ରାଜ୍ୟ ସରକାର ତରବରିଆ ଭାବେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ କୋଭିଡ୍ ସାମଗ୍ରୀ କିଣା କମିଟିର ମୁଖ୍ୟ ପଦରୁ ଅପସାରଣ କରିନେଇଥିଲେ। ତାଙ୍କ ସହିତ ଅନ୍ୟ ୯ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ମଧ୍ୟ କରୋନା ମୁକାବିଲା କାର୍ଯ୍ୟରୁ କାଢ଼ି ଦେଇଥିଲେ।

କରୋନା ସଂକ୍ରମଣ ମାଡ଼ି ଚାଲିଥିବାବେଳେ ବିକଳ୍ପ ବ୍ୟବସ୍ଥା ନକରି ଏହି ଅଫିସରମାନଙ୍କୁ ଦାୟିତ୍ୱମୁକ୍ତ କରିବା ହିଁ ସାମଗ୍ରୀ କିଣାକୁ ନେଇ ହେଉଥିବା ଅଭିଯୋଗ ଉପରେ ପରୋକ୍ଷରେ ସରକାରୀ ସ୍ୱୀକୃତି ଲଗାଇଥିଲା। ଯଦିଓ ଏନେଇ ପ୍ରଥମଥର ପାଇଁ ଜୁନ୍ ୬ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ କୋଭିଡ୍ ମୁଖପାତ୍ର ସୁବ୍ରତୋ ବାଗଚୀ ସଫେଇ ଦେଇଥିଲେ କିନ୍ତୁ ତାହା ରାଜ୍ୟ ସରକାରଙ୍କ ଭୂମିକାକୁ ଅଧିକ ବିବାଦୀୟ କରିଦେଇଥିଲା।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ମାସ୍କ ୧୦ଟଙ୍କା ଓ ୧୬ଟଙ୍କାରେ କିଣା ଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିବା ସହ ଅଧିକ କିଛି ପ୍ରଶ୍ନ ଥିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପଚାରିବାକୁ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କର ସାମ୍ବାଦିକ ସମ୍ମିଳନୀର ୩ଘଣ୍ଟା ନପୁରୁଣୁ ଶ୍ରୀ ବାଗଚୀ ସଫେଇ ଦେଇ କହିଥିଲେ ଯେ, ଅଫିସରମାନେ କ୍ଲାନ୍ତ ହୋଇପଡ଼ିଥିବାରୁ ସେମାନଙ୍କ ସ୍ଥାନରେ ନୂଆ ଅଫିସରମାନଙ୍କୁ ଦାୟିତ୍ୱ ଦେବାକୁ ଏହି ପ୍ରଶାସନିକ ଅଦଳବଦଳ ହୋଇଛି। କୌଣସି ପ୍ରକାରର ଦୁର୍ନୀତି ହୋଇନି। ମାତ୍ର ଯେଉଁ ଦସ୍ତାବିଜ ଆଧାରରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି ତାକୁ ଖଣ୍ଡନ କରିବାକୁ ଶ୍ରୀ ଦାସ ଓ ବାଗଚୀଙ୍କ ଏହି ସଫେଇ କାମ ଦେଇନଥିଲା। କାରଣ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସଚିବ ବୟାନ ଦେଲେନି କି ନୂଆ ଅଫିସରଙ୍କୁ କରୋନା ପରିଚାଳନା ଦାୟିତ୍ୱ ବି ମିଳିଲାନି।

ସେପଟେ ଦେବୀ ମିଶ୍ର, ଶଶୀଭୂଷଣ ବେହେରା, ପ୍ରମିଳା ମଲ୍ଲିକଙ୍କ ଭଳି ବରିଷ୍ଠ ନେତାଙ୍କ ମାଧ୍ୟମରେ ମାସ୍କ କିଣାରେ ଦୁର୍ନୀତି ହୋଇନଥିବା କୁହାଇଥିବା ବିଜେଡି ନେତୃତ୍ୱ ଆଜି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମଇଦାନକୁ ଓହ୍ଲାଇଥିଲେ। କରୋନା ସାମଗ୍ରୀ କିଣାରେ ଅନିୟମିତତା ହୋଇନି କହି ‘ଅର୍ଥନୀତିର ଡିମାଣ୍ଡ ଓ ସପ୍ଲାଇ’ର ପାଠ ପଢ଼ାଇ ଗୁଜୁରାଟ ଓ ଅନ୍ୟ ରାଜ୍ୟଗୁଡ଼ିକରେ ମାସ୍କ ଦରକୁ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ । ସରକାରଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ତଥ୍ୟପ୍ରମାଣ ସହ ଖଣ୍ଡନ କରିବା ପରିବର୍ତ୍ତେ ଏହାକୁ ଅଧିକ ଜଟିଳ କରିଦେଇଥିଲେ। ‘ସେ ଚୋରି କରୁଛି ତେଣୁ ଆମେ କଲୁ’ ଯୁକ୍ତିରେ ଶ୍ରୀ ପାତ୍ର ବିଜେଡି ସରକାରକୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ରିଟେଲ ଓ ହୋଲସେଲ୍ ଦର ଭିତରେ ପାର୍ଥକ୍ୟ କିଭଳି ଜାଣିପାରିଲେନି?

କେନ୍ଦ୍ର ସରକାରଙ୍କ ଦ୍ୱାରା ମାର୍ଚ୍ଚ ୨୧ ଓ ୨୪ତାରିଖରେ ଧାର୍ଯ୍ୟ ରିଟେଲ ଦର(୧୦ ଓ ୧୬ଟଙ୍କା)ରୁ ବହୁ ଆଗକୁ ଯାଇ ଓଡ଼ିଶା ସରକାର ପ୍ରତ୍ୟେକ ଧାର୍ଯ୍ୟ ଦର ଉପରେ ଅତିରିକ୍ତ ୫୦% ଦର(ଅର୍ଥାତ୍ ୧୬+୮=୨୪ଟଙ୍କା) ସହ ପରିବହନ ଖର୍ଚ୍ଚ ଦେଉଥିଲେ। ସାମଗ୍ରୀ କିଣିବା ଆଳରେ ଘରୋଇ କମ୍ପାନୀଗୁଡ଼ିକୁ ମାତ୍ରାଧିକ ଅନୁକମ୍ପା ଦେବାରେ ଓଡ଼ିଶା ବୋଧହୁଏ ଏକମାତ୍ର ରାଜ୍ୟ,ସେକଥା ଶ୍ରୀ ପାତ୍ର ଭୁଲିଯାଇଛନ୍ତି। କରୋନା ସାମଗ୍ରୀ କିଣିବାକୁ ଅଫିସରମାନେ ‘ବ୍ଲାଙ୍କ୍ ଚେକ୍‌’ଧରି କୋଲାକାତା ଯାଇଥିଲେ କେମିତି,କିଏ ଅନୁମତି ଦେଇଥିଲା। ଯଦି ମିଛ ତେବେ ଏଭଳି କଥା କହିଥିବା ଆଇଏଏସ୍ ହେମନ୍ତ ଶର୍ମାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି?

କରୋନା ଓଡ଼ିଶା ଆସିବା ପୂର୍ବରୁ ଫେବୃୟାରୀ ୧୦ତାରିଖରେ ୨୦ହଜାର ପିପିଇ କିଟ୍ ଓ ୩୦ହଜାର ଏନ-୯୫ ମାସ୍କ କିଣିବା ପାଇଁ ଓଡ଼ିଶା ଔଷଧ ନିଗମ କରିଥିବା ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିଥିବାବେଳେ ସେହି ସାମଗ୍ରୀ କାର୍ହିକି ସମ୍ପୃକ୍ତ କମ୍ପାନୀଠୁ ଅଣାଗଲାନି ଓ ଜୁନ୍ ୮ତାରିଖରେ କାହିଁକି ଏହି ଟେଣ୍ଡରକୁ ପ୍ରଶାସନିକ କାରଣ ଦର୍ଶାଇ ବାତିଲ କରାଗଲା?

ସେହିପରି ମାର୍ଚ୍ଚ ୨୧ତାରିଖରେ ଗଠିତ ସ୍ୱାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟିକୁ ଅସୀମିତ ଅର୍ଥ ଖର୍ଚ୍ଚ କରିବା ଭଳି ହାତକାଟି ଲେଖିବାକୁ ସରକାର କାହିଁକି ଅନୁମତି ଦେଇଥିଲେ। ଶିଳ୍ପବିଭାଗର ସଚିବ ହେମନ୍ତ ଶର୍ମାଙ୍କର ଏହି କମିଟିରେ କାର୍ଯ୍ୟ କ’ଣ ଥିଲା?

ମାର୍ଚ୍ଚ ୨୬ରେ କ୍ଷମତାପ୍ରାପ୍ତ ମନ୍ତ୍ରିସ୍ତରୀୟ କମିଟି ୭୩୦କୋଟି ଟଙ୍କା ଖର୍ଚ୍ଚକୁ ଅନୁମୋଦନ କରିବାବେଳେ ତା’ର ଯଥାର୍ଥତା ଯାଂଚ କରିଥିଲା କି?

ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଅଫିସର ଗୋଷ୍ଠୀଙ୍କୁ ଛୁଇଁବା ସରକାରଙ୍କ ପକ୍ଷେ ସମ୍ଭବପର ହୋଇପାରୁନି। ଯେଉଁଥିପାଇଁ ଦୁର୍ନୀତି ଅଭିଯୋଗ ଆସିବାମାତ୍ରେ ତା’ର ତଦନ୍ତ ନିର୍ଦ୍ଦେଶ ଦେଉଥିବା ସରକାର ଏଥର ଚୁପ୍ ବସିବାକୁ ବାଧ୍ୟ ହୋଇଛନ୍ତି।

Related story