ପିପିଲିରେ ସହଜ ହେବନି ବିଜେଡି ଅଙ୍କ, ବିଜେପି ଦେବ କଡ଼ା ଟକ୍କର

ଭୁବନେଶ୍ୱର(ପ୍ରକାଶ ସେଠୀ): ପିପିଲି ଉପନିର୍ବାଚନ ପାଇଁ ଦିବଂଗତ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରିବାର ସଦସ୍ୟ ପୁଣିଥରେ ପ୍ରାର୍ଥୀ ହେବାକୁ ରୋକଠୋକ୍ ମନା କରି ଦେବାପରେ ବିଜେଡିର ଅଙ୍କ ଏପଟେସେପଟ ହୋଇଯାଇଛି । ମଙ୍ଗରାଜ ପରିବାରରୁ କେହି ପ୍ରାର୍ଥୀ ହୋଇଥିଲେ ବିଜେଡିକୁ ଭୋଟ ବିଭାଜନର ଫାଇଦା ମିଳିବାର ସମ୍ଭାବନା ଅଧିକ ରହିଥିଲା। ଏପରିକି ପୂର୍ବରୁ କଂଗ୍ରେସର ଟିକେଟ ଆଶାୟୀ ଥିବା ଜଣେ ନେତା ଏବେ ବିଜେଡି ସହ ଗୁପ୍ତ ବୁଝାମଣାରେ ରହିଥିବାରୁ ତାଙ୍କୁ ମଧ୍ୟ ପ୍ରାର୍ଥୀ କରିବ […]

pipili by bypoll

Ordigital Desk
  • Published: Thursday, 22 April 2021
  • , Updated: 23 April 2021, 04:12 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ପିପିଲି ଉପନିର୍ବାଚନ ପାଇଁ ଦିବଂଗତ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରିବାର ସଦସ୍ୟ ପୁଣିଥରେ ପ୍ରାର୍ଥୀ ହେବାକୁ ରୋକଠୋକ୍ ମନା କରି ଦେବାପରେ ବିଜେଡିର ଅଙ୍କ ଏପଟେସେପଟ ହୋଇଯାଇଛି । ମଙ୍ଗରାଜ ପରିବାରରୁ କେହି ପ୍ରାର୍ଥୀ ହୋଇଥିଲେ ବିଜେଡିକୁ ଭୋଟ ବିଭାଜନର ଫାଇଦା ମିଳିବାର ସମ୍ଭାବନା ଅଧିକ ରହିଥିଲା। ଏପରିକି ପୂର୍ବରୁ କଂଗ୍ରେସର ଟିକେଟ ଆଶାୟୀ ଥିବା ଜଣେ ନେତା ଏବେ ବିଜେଡି ସହ ଗୁପ୍ତ ବୁଝାମଣାରେ ରହିଥିବାରୁ ତାଙ୍କୁ ମଧ୍ୟ ପ୍ରାର୍ଥୀ କରିବ ନାହିଁ ବୋଲି କଂଗ୍ରେସ ସ୍ପଷ୍ଟ କରିଛି। ଆଉ କଂଗ୍ରେସର ଏଭଳି ଆଭିମୁଖ୍ୟ ପରେ ଦଳ ସପକ୍ଷରେ ସହାନୁଭୂତି ବା ଅନୁକମ୍ପା ଭୋଟ ମିଳିବାର ସମ୍ଭାବନା କ୍ଷୀଣ ଥିବାରୁ ବିଜେଡି ପାଇଁ ପିପିଲି ନିର୍ବାଚନ ବେଶ୍ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ଆଜି ସନ୍ଧ୍ୟା ସୁଦ୍ଧା ନିଜର ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରି ଏଆଇସିସି ପାଖକୁ ପଠାଇବ। ଆଜି କିମ୍ବା ଆସନ୍ତାକାଲି ଦଳୀୟ ପ୍ରାର୍ଥୀଙ୍କ ନାଁ ଆନୁଷ୍ଠାନିକ ଭାବେ କଂଗ୍ରେସ ଘୋଷଣା କରିବ। ତେବେ ଦିବଂଗତ ଅଜିତ୍ ମଙ୍ଗରାଜଙ୍କ ପରିବାରର କୌଣସି ସଦସ୍ୟ କିମ୍ବା ପୂର୍ବରୁ ଟିକେଟ୍ ଆଶାୟୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ଦଳ ପ୍ରାର୍ଥୀ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଏପଟେ ଅଜିତ୍ ମଙ୍ଗରାଜଙ୍କ ପତ୍ନୀ କିମ୍ବା ଭାଇଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲେ ତାଙ୍କ ସପକ୍ଷରେ କିଛି ସହାନୁଭୂତି ଭୋଟ୍ ପଡ଼ିବାର ସମ୍ଭାବନା ରହିଥିଲା। ଆଉ ସେହି ଭୋଟଗୁଡ଼ିକ ବିଜେପିର ଭୋଟ ହାର କମାଇବାରେ ସହାୟକ ହୋଇଥିଲା। ଯେଉଁଥିପାଇଁ ମଙ୍ଗରାଜ ପରିବାରରୁ କେହି ଜଣେ ପ୍ରାର୍ଥୀ ହେଉ ବୋଲି ବିଜେଡି ଅଙ୍କ କଷିଥିଲା। କିନ୍ତୁ ଏବେ ପରିବର୍ତ୍ତିତ ପରିସ୍ଥିତିରେ ପିପିଲି ନିର୍ବାଚନମଣ୍ଡଳୀର ପ୍ରଭାବଶାଳୀ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ଅଘୋଷିତ ଭାବେ ବିଜେଡି ଆଡ଼କୁ ଢ଼ଳିଥିବାବେଳେ ତାଙ୍କ ପୁଅ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇସାରିଛନ୍ତି। ସେହିପରି କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ବିଜେଡି ସହ ଯୋଗସୂତ୍ରରେ ରହିଥିବାରୁ ଟିକେଟ୍ ସମ୍ପର୍କରେ ଆଲୋଚନାବେଳେ ତାଙ୍କ ସହ କୌଣସି ଯୋଗାଯୋଗ କରାଯାଇ ନାହିଁ ବୋଲି ପ୍ରାର୍ଥୀ ଚୂଡ଼ାନ୍ତ କରୁଥିବା କମିଟି ସଦସ୍ୟ ସୂଚନା ଦେଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କର ଏପ୍ରିଲ ୧୪ତାରିଖରେ ମୃତ୍ୟୁ ପରେ ଇତିମଧ୍ୟରେ ସାନି ନିର୍ବାଚନ ତାରିଖ ଘୋଷଣା ହୋଇଛି। ଭୋଟ ଗ୍ରହଣ ମେ’ ୧୬ ଓ ଗଣତି ୧୯ରେ ହେବ ବୋଲି ଆଜି ସଂଶୋଧିତ କାର୍ଯ୍ୟସୂଚୀ ଘୋଷଣା ହୋଇଥିବାବେଳେ କୌଣସି ନିର୍ବାଚନୀ ସଭା ଓ ର‌୍ୟାଲି ନକରିବାକୁ ମଧ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଅବଶ୍ୟ ଭର୍ଚୁଆଲ ମୋଡରେ ନିର୍ବାଚନ ପ୍ରଚାର କରିବାକୁ କମିଶନ ଅନୁମତି ଦେଇଥିବାବେଳେ ଘରକୁ ଘର ପ୍ରଚାରବେଳେ ସର୍ବାଧିକ ୫ଜଣ ରହିପାରିବେ ବୋଲି କହିଛନ୍ତି। ପିପିଲି ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଚାର ସମ୍ପୂର୍ଣ୍ଣ ଭାବେ ଭୁବନେଶ୍ୱରରେ ରହୁଥିବା ନେତାମାନଙ୍କ ଦ୍ୱାରା ସଂଚାଳିତ ହେଉଥିବାବେଳେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପ୍ରାର୍ଥୀତ୍ୱକୁ ଏବେବି ତୃଣମୂଳସ୍ତରର ଦଳର କିଛି ନେତା ସହଜରେ ହଜମ କରିପାରୁନାହାନ୍ତି।

ପିପିଲିର ସମସ୍ତ ୨୫ ପଂଚାୟତ ଓ ଡେଲାଙ୍ଗର ୨୧ଟି ସବୁ ପଂଚାୟତରେ ବିଜେଡି ଏବେ ଦୁଇ ଭାଗ ହୋଇ ରହିଛି। ଦଳୀୟ କର୍ମୀମାନେ ପରସ୍ପର ବିରୁଦ୍ଧରେ ରହିଥିବାବେଳେ ୨୦୧୯ ମହାବାତ୍ୟା ‘ଫନି’ରେ ହଜାର ହଜାର କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ନମିଳିବା ମଧ୍ୟ ସାଧାରଣ ଲୋକଙ୍କ ଆକ୍ରୋଶକୁ ଉପସ୍ଥାପନ କରିବାର ଏକ ସୁଯୋଗ ଆଣି ଦେଇଛି । ଯାହାକୁ ସମ୍ମୁଖୀନ ହେବା ବିଜେଡି ନେତାଙ୍କ ପକ୍ଷରେ ସହଜ ହେଉନଥିଲା । ଯଦିଓ ପୂର୍ବରୁ ନିର୍ବାଚନ ପ୍ରଚାରବେଳେ ବିଜେଡି ନେତାମାନେ ଏଭଳି ପ୍ରଶ୍ନବାଣ ଓ କର୍ମୀଙ୍କ ଅସନ୍ତୋଷର ଶିକାର ହେଉଥିଲେ କିନ୍ତୁ ଗଣମାଧ୍ୟମରେ ଅଧିକ ପ୍ରଚାରପ୍ରସାର କରି ସେସବୁକୁ ଚପାଇ ଦେବାରେ ସକ୍ଷମ ହେଉଥିଲେ । ମାତ୍ର ଏବେ କଂଗ୍ରେସ କେବଳ ନାମକୁ ମାତ୍ର ନିର୍ବାଚନୀ ମଇଦାନକୁ ଓହ୍ଲାଉଥିବାରୁ ପିପିଲିରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଟକ୍କର ହେବା ସ୍ପଷ୍ଟ ହୋଇଛି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରଥମରୁ ଲୋକଙ୍କ ସହ ରହି ନିଜ ସପକ୍ଷରେ ପ୍ରଚାରରେ ରହିଛନ୍ତି। କିନ୍ତୁ ବିଜେଡି ପ୍ରାର୍ଥୀ ଶ୍ରୀ ମହାରଥୀ ପ୍ରଚାର କାର୍ଯ୍ୟ ପାଇଁ ଭୁବନେଶ୍ୱର ଅବା ଜିଲ୍ଲାସ୍ତରର ନେତାମାନଙ୍କ ଭରସାରେ ରହିଛନ୍ତି । ତାଙ୍କ ସପକ୍ଷରେ ଅନୁକମ୍ପା ଭୋଟ ପଡ଼ିବାର ସମ୍ଭାବନା ବି ନାହିଁ।

ପିପିଲି ନିର୍ବାଚନ ମଇଦାନରେ କଂଗ୍ରେସ ପ୍ରାର୍ଥୀ କେବଳ ନାମକୁ ମାତ୍ର ମଇଦାନକୁ ଓହ୍ଲାଇବାକୁ ଥିବାବେଳେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହେବ। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ପରୋକ୍ଷରେ ବିଜେଡି ପ୍ରାର୍ଥୀ ଦିବଂଗତ ପ୍ରଦୀପ ମହାରଥୀଙ୍କୁ ସମର୍ଥନ କରିଥିଲେ ମଧ୍ୟ କଂଗ୍ରେସର ସମସ୍ତ ଭୋଟକୁ ନିଜ ପାଖରେ ରଖିବାରେ ସକ୍ଷମ ହୋଇପାରିନଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୪୧.୬୨% ଭୋଟ୍ ପଡ଼ିଥିଲା। ଆଉ ବିଜେଡି ପ୍ରାର୍ଥୀ ଶ୍ରୀ ମହାରଥୀ କଡ଼ା ଟକ୍କରର ସମ୍ମୁଖୀନ ହୋଇ ମାତ୍ର ୧୫୭୩୧(ପ୍ରାୟ ୯%) ବ୍ୟବଧାନରେ ଜିତିଥିଲେ । ଅବଶ୍ୟ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କୁ ୫.୬୩% ଭୋଟ୍ ହାତେଇବାରେ ସକ୍ଷମ ହୋଇଥିଲେ ଓ କଂଗ୍ରେସର ଭୋଟ ବିଭାଜିତ ହୋଇ ବିଜେପି ସପକ୍ଷକୁ ଯାଇଥିଲା।

ଏଥର ବାତ୍ୟା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଥିବା ଆକ୍ରୋଶ, ତୃଣମୂଳସ୍ତରର ବିଜେଡି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା, କଂଗ୍ରେସର ଦୁର୍ବଳ ପ୍ରାର୍ଥୀତ୍ୱର ଫାଇଦା ଉଠାଇ ବିଜେପି ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଗତଥର ତୁଳନାରେ ମାତ୍ର ୧୦ହଜାର ଅଧିକ ଭୋଟ୍ ହାତେଇବାରେ ସକ୍ଷମ ହେଲେ, ପିପିଲିରେ ନିର୍ବାଚନ ଜିତିବା ବିଜେଡି ପାଇଁ କାଠିକର ପାଠ ହୋଇଯିବ।

Related story