ପଛୁଆ ବର୍ଗ ସର୍ଭେ ରିପୋର୍ଟ ଗଲା କୁଆଡ଼େ: ପ୍ରଶ୍ନ କଲା ବିଜେପି, ଓବିସି ଆୟୋଗ ଅଧ୍ୟକ୍ଷଙ୍କୁ ଭେଟିଲା

ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ଓବିସି ଆୟୋଗ ଅଧ୍ୟକ୍ଷଙ୍କୁ ଭେଟି ଏ ସମ୍ପର୍କରେ ଏକ ଦାବି ପତ୍ର ପ୍ରଦାନ କରିବା ସହ ତୁରନ୍ତ ସର୍ଭେ ରିପୋର୍ଟକୁ ସାର୍ବଜନୀନ ପାଇଁ କହିଛି।

ବିଜେପିର ପ୍ରତିନିଧି ମଣ୍ତଳ

  • Published: Wednesday, 09 August 2023
  • , Updated: 09 August 2023, 10:09 PM IST

ରାଜ୍ୟରେ ଶେଷ ହୋଇଥିବା ପଛୁଆ ବର୍ଗ  ସର୍ଭେ ରିପୋର୍ଟ କୁଆଡ଼େ ଗଲା ଓ କାହିଁକି ଏହାକୁ ସାର୍ବଜନୀନ କରାଯାଉନି ବୋଲି ବିଜେପି ପ୍ରଶ୍ନ କରିବା ସହ ଏନେଇ ରାଜ୍ୟ ଓବିସି ଅଧ୍ୟକ୍ଷଙ୍କୁ ଭେଟି ନିଜର ଆପତ୍ତି ଜଣାଇଛି ।

ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ଓବିସି ଆୟୋଗ ଅଧ୍ୟକ୍ଷଙ୍କୁ ଭେଟି ଏ ସମ୍ପର୍କରେ ଏକ ଦାବି ପତ୍ର ପ୍ରଦାନ କରିବା ସହ ତୁରନ୍ତ ସର୍ଭେ ରିପୋର୍ଟକୁ ସାର୍ବଜନୀନ ପାଇଁ କହିଛି।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ,  ବହୁ ପ୍ରଚାରିତ ପଛୁଆବର୍ଗ ସର୍ଭେ ମଇ ୧ ରୁ ଆରମ୍ଭ ହୋଇ ମଇ ୨୭ରେ ସରିବ ଏବଂ ସେହି ଆଧାରରେ ଓବିିସି ବର୍ଗଙ୍କୁ ସବୁ କ୍ଷେତ୍ରରେ ସଂରକ୍ଷଣର ସୁବିଧା ମିଳିବ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିଲେ । ଏବେ ତିନି ମାସ ପରେ ବି ରିପୋର୍ଟର ସ୍ଥିତି ସମ୍ପର୍କରେ ରାଜ୍ୟବାସୀଙ୍କୁ ଆଦୌ ନଜଣାଇବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି।

ସେଥିପାଇଁ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ଓବିସି ଆୟୋଗ ଅଧ୍ୟକ୍ଷଙ୍କୁ ଭେଟି ସର୍ଭେ ରିପୋର୍ଟକୁ ସାର୍ବଜନୀନ ପାଇଁ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସର୍ଭେ ବାହାନା ଦେଖାଇ ରାଜ୍ୟ ସରକାର ଚଳିତବର୍ଷ ଉଚ୍ଚଶିକ୍ଷା ପାଇଁ ନାମ ଲେଖାରେ ମଧ୍ୟ ସଂରକ୍ଷଣ ଦେଲେ ନାହିଁ । ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପଂହଚିଛି, ହେଲେ ରାଜ୍ୟ ସରକାର ଏସମ୍ପର୍କରେ କୌଣସି ପଦକ୍ଷେପ ନେବାର ନାଁ ଧରୁନାହାନ୍ତି । ସମଗ୍ର ଦେଶର ଓବିସି ଛାତ୍ରଛାତ୍ରୀମାନେ ୨୭ପ୍ରତିଶତ ସଂରକ୍ଷଣ ସୁବିଧା ପାଉଥିବାବେଳେ ଓଡ଼ିଶାର ଛାତ୍ରଛାତ୍ରୀମାନେ କାହିଁକି ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହାବ୍ୟତୀତ ରାଜ୍ୟରେ ଯେଉଁମାନଙ୍କ ନାମ ଏସିବିସି ତାଲିକାରେ ଅଛି ସେମାନଙ୍କୁ ଓବିସି ତାଲିକାଭୁକ୍ତ କରିବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ବି ତାହା ଦୀର୍ଘଦିନ ଧରି ପୂର୍ବାବସ୍ଥାରେ ଅଛି । ତୁରନ୍ତ ସେ ସମ୍ପର୍କିତ ରିପୋର୍ଟ କେନ୍ଦ୍ର କମିଶନଙ୍କୁ ପ୍ରଦାନ କରାଗଲେ ସେମାନେ କେନ୍ଦ୍ରୀୟ ଯୋଜନାର ଲାଭ ପାଇପାରନ୍ତେ ବୋଲି ବିଜେପି କହିଛି । ତେବେ ବିଜେପି ପ୍ରତିନିଧି ଦଳର ଦାବିଗୁଡ଼ିକୁ ନେଇ ରାଜ୍ୟ ଓବିସି ଆୟୋଗ ଅଧ୍ୟକ୍ଷ ନିଜର ଅକ୍ଷମତା ପ୍ରକାଶ କରିବା ସହ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିବା ଶ୍ରୀ ବିଶ୍ୱାଳ କହିଛନ୍ତି।

ବିଜେପିର ଏହି ପ୍ରତିନିଧି ଦଳରେ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ବିବେକାନନ୍ଦ ଜେନା, ପ୍ରଶାନ୍ତ କୁମାର ନାୟକ, ସନ୍ତୋଷ ମହାପାତ୍ର, ରିତା ନାୟକ, ସୁବୋଧ ବାରିକ, ଜଗଦୀଶ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related story