Advertisment

ବିଜେଡିରେ କିଏ ପାୱାରଫୁଲ: ସଂଗଠନ ସମ୍ପାଦକ ନା ରାଜ୍ୟସଭା ସାଂସଦ?

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ବିଜେଡିର ଯେଉଁ କଂଗ୍ରେସୀକରଣ ଚାଲିଛି ସେଥିରେ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କ ଭୂମିକା ନଗଣ୍ୟ ରହୁଛି।

undefined

Sankha bhawan

Advertisment

ଶାସକ ବିଜେଡିରେ ଏବେ କିଏ ପାୱାରଫୁଲ? ଦଳର ଟିକେଟ୍ କସରତରେ କିଏ ନିର୍ଣ୍ଣାୟକ ଭୂମିକା ତୁଲାଉଛି? ବିଜେଡିରେ ନମ୍ବର-୩ ଭାବେ ପରିଚିତ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନା ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ? ବିଜେଡିରେ ନିୟମିତ ମିଶ୍ରଣପର୍ବ, ଟିକେଟ୍ କସରତ ଓ ଆମଦାନୀ ନେତାମାନଙ୍କୁ ଥଇଥାନ ଆଦିରେ ପ୍ରଣବ ଓରଫ ବବିଙ୍କ ତୁଳନାରେ ମାନସଙ୍କ ପଲା ଭାରୀ ରହୁଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଏପରିକି ଉଭୟ ବବି ଓ ମାନସଙ୍କ ମଧ୍ୟରେ ପାୱାର କସରତକୁ ନେଇ ଚାଲିଥିବା ଛକାପଞ୍ଝାରେ ମାନସଙ୍କ ପଲା ଭାରି ରହୁଥିବା ଜଣାପଡ଼ିଛି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ବିଜେଡିର ଯେଉଁ କଂଗ୍ରେସୀକରଣ ଚାଲିଛି ସେଥିରେ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କ ଭୂମିକା ନଗଣ୍ୟ ରହୁଛି।

Advertisment

କଂଗ୍ରେସରୁ ଆମଦାନୀ ନେତାମାନଙ୍କୁ ବିଜେଡିରେ ସାମିଲ କରାଇ ସେମାନଙ୍କୁ ଟିକେଟ୍ ଦେବା ଓ ଥଇଥାନ କରିବାରେ ମାନସ ହିଁ ପ୍ରମୁଖ ଭୂମିକା ନେଉଥିବା ଜଣାପଡ଼ିଛି। ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପାଙ୍କଠୁ ଆରମ୍ଭ କରି ଚିରଞ୍ଜିବୀ ବିଶ୍ୱାଳ, କେ.ସୂର୍ଯ୍ୟରାଓ, ଅଧୀରାଜ ପାଣିଗ୍ରାହୀ, ମନ୍ମଥ ରାଉତରାୟ, ସୁରେନ୍ଦ୍ର ସିଂ ଭୋଇଙ୍କ ଆଦିଙ୍କ ମିଶ୍ରଣରେ ମାନସ ଭୂମିକା ବବିଙ୍କଠୁ ଅଧିକ ଥିଲା। ଏପରିକି ବବିଙ୍କ ଅଜାଣତରେ ବି କେତେକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି, ଆଉ ବବିଙ୍କୁ ସୁଚିନ୍ତିତ ଢଙ୍ଗରେ ବିଜେପିର ହେଭିୱେଟ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲଢ଼େଇବା ପାଇଁ ପଶ୍ଚିମଓଡ଼ିଶାକୁ ପଠାଇ ଦଳର ସଂଗଠନ କାର୍ଯ୍ୟରୁ ଦୂରେଇ ରଖିବାର ପ୍ରୟାସ ଆରମ୍ଭ ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

ବବିଙ୍କ ନିକଟତମ ମହଲରୁ ଜଣାପଡ଼ିଛି ଯେ, ସଂଗଠନରେ ବବିଙ୍କ ପ୍ରଭାବକୁ ହ୍ରାସ ପାଇଁ ଗତ କିଛିମାସ ପୂର୍ବରୁ ସୁଚିନ୍ତିତ ଢଙ୍ଗରେ ପ୍ରୟାସ ହୋଇଛି। ଯେଉଁଥିପାଇଁ ବବି ଚାହିଁକି ବି ନିଜର ଭିଣୋଇ ଅରିନ୍ଦମ ରାୟ ଓ ନିଜ ମାମୁଁଙ୍କୁ ବିଜେଡିରେ ଥଇଥାନ କରିପାରିଲେ ନାହିଁ। କୋରେଇ ବିଧାନସଭା ଆସନରେ ବବି ନିଜର ସାନଭାଇ ଭବପ୍ରସାଦ ଦାସ(ଲଲ)ଙ୍କୁ ଥଇଥାନ କରିବାକୁ ଚାହୁଁଥିବାବେଳେ ତାହା ମଧ୍ୟ ସମ୍ଭବପର ହୋଇପାରୁନଥିବା ସୂଚନା ମିଳିଛି। ବିଜେଡିର ନମ୍ବର-୩ ହୋଇ ମଧ୍ୟ ବବିଙ୍କର ସଂଗଠନ ଉପରେ ପ୍ରଭାବ ହ୍ରାସ ପାଇବାରେ ଲାଗିଛି। ଖାସ୍ ଏହି କାରଣରୁ ବବିଙ୍କୁ ପଶ୍ଚିମ ଓଡ଼ିଶାରେ ନିର୍ବାଚନ ଲଢ଼େଇ ତାଙ୍କର ରାଜନୀତିକ କ୍ୟାରିୟରରେ କଳାଦାଗ ଲଗାଇବାର ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଦଳରେ ଏବେ ଯେଉଁସବୁ ମିଶ୍ରଣପର୍ବ ହେଉଛି ସେଥିରେ ବବିଙ୍କ ଅନୁପସ୍ଥିତି ସ୍ପଷ୍ଟ ବାରି ହୋଇପଡ଼ୁଛି। ଏପରିକି କେତେକ ମିଶ୍ରଣପର୍ବ ସମ୍ପର୍କରେ ବବିଙ୍କ ପାଖରେ ଆଗୁଆ ଖବର କିମ୍ବା ତାଙ୍କର ସମ୍ମତି ବି ନିଆଯାଉନି। ଶଙ୍ଖ ଭବନରେ ମାନସ ହିଁ ଏସବୁ ମିଶ୍ରଣପର୍ବକୁ ସମ୍ପାଦିତ ଓ ନିୟନ୍ତ୍ରିତ କରୁଛନ୍ତି।

Advertisment

ଏପଟେ ବବିଙ୍କ ଏଭଳି ପାୱାର ହ୍ରାସ ମଧ୍ୟରେ ମାନସ ନିଜର ଗଡଫାଦରଙ୍କ ସହାୟତାରେ ସଂଗଠନରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି। ଏପରିକି ଟିକେଟ୍ ଚୟନ ଓ କସରତରେ ମଧ୍ୟ ମାନସଙ୍କ ପ୍ରଭାବ ବବିଙ୍କ ତୁଳନାରେ ବେଶ୍ ଅଧିକ ପରିଲକ୍ଷିତ ହେଉଛି। ୨୦୧୮ ଏପ୍ରିଲ ମାସରେ ମାନସ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ମଧ୍ୟ ଖୁବକମ୍ ଦିନ ମଧ୍ୟରେ ସେ ଦଳର ଅନ୍ୟତମ କ୍ଷମତାକେନ୍ଦ୍ର ପାଲଟିଛନ୍ତି। ବିଜେଡିରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ହୋଇଥିଲେ ମଧ୍ୟ ମାନସଙ୍କ ଗଡ଼ଫାଦର ହିଁ ଅଦୃଶ୍ୟ ଶକ୍ତିଭାବେ ବିଜେଡିର ସର୍ବେସର୍ବା ବୋଲି ଏବେ ପ୍ରମାଣିତ ହୋଇଛି। ଦଳୀୟ ଟିକେଟ୍ ଚୂଡ଼ାନ୍ତଠୁ ଆରମ୍ଭ କରି ମିଶ୍ରଣପର୍ବ ପର୍ଯ୍ୟନ୍ତ ସବୁ ତାଙ୍କର ଇସାରାରେ ସମ୍ପାଦିତ ହେଉଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

ବିଜେଡି ଲୋକସଭାର ୨୦ଟି ଆସନରେ ଯେଉଁ ପ୍ରାର୍ଥୀ ଦେଇଛି ସେଥିରେ ମାତ୍ର ୪ଜଣ ସାଂସଦଙ୍କୁ ରିପିଟ୍ କରିଛି। ଏଥିରେ ଅଧିକାଂଶଙ୍କ ଦଳଡ଼ିଆଁଙ୍କୁ ଥଇଥାନ ମଧ୍ୟ କରାଯାଇଛି। କେବଳ ସେତିକି ନୁହେଁ କଂଗ୍ରେସରୁ ଆମଦାନୀ ହେବାକୁ ଥିବା କିଛି ନେତାଙ୍କୁ ଅପେକ୍ଷା କରି ବିଜେଡି ଏପର୍ଯ୍ୟନ୍ତ ଅନେକ ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି, ସାନଖେମୁଣ୍ଡି, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା ବିଧାନସଭା ଆସନ ସମେତ ବାଲେଶ୍ୱର ଲୋକସଭା ଆସନରେ ଦଳଡ଼ିଆଁଙ୍କୁ ଅଗ୍ରାଧିକାର ଦେବା ପାଇଁ ଦଳ ଏସବୁ ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିନଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

୨୦୧୪ ସାଧାରଣ ନିର୍ବାଚନ ସରିବା ପରେ ଦୁର୍ନୀତି ଆଦି ମାମଲାକୁ ଆଗକୁ ଆଣି ଯେଭଳି ତତକାଳୀନ କ୍ଷମତାକେନ୍ଦ୍ର କଳ୍ପତରୁ ଦାସଙ୍କୁ ଅଲୋଡ଼ା କରିଦିଆଗଲା ୨୦୨୪ ସାଧାରଣ ନିର୍ବାଚନ ସରିବା ପରେ ଅନୁରୂପ ସ୍ଥିତି ବବିଙ୍କର ହେବ ବୋଲି ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe