Advertisment

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅଭାବୀ ବିକ୍ରି; ଫୁଲକୋବି କିଲୋ ଦୁଇ ଟଙ୍କା

ବ୍ୟବସାୟୀମାନେ ଫୁଲକୋବି ନେଉ ନଥିବା ଯୋଗୁ ଚାଷୀମାନେ ନିଜ ଚାଷ ଜମିରୁ ଆଉ ଫୁଲକୋବି କାଟୁ ନାହାନ୍ତି। ଯାହାଫଳରେ ଚାଷ ଜମିରେ ରହି ଫୁଲକୋବି ଗୁଡ଼ିକ ଧିରେ ଧିରେ ନଷ୍ଟ ହୋଇଯାଉଛି।

Ganjam

Ganjam

Advertisment

ଶୀତ ଋତୁ ଚାଲିଛି। ଏପରି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ଦେଖିବାକୁ ମିଳିଛି ଅଭାବୀ ବିକ୍ରି। ଫୁଲକୋବି କିଲୋ ଦୁଇ ଟଙ୍କାରେ ବିକ୍ରି ହେଉଛି। ବେପାରୀମାନେ ଚାଷୀଙ୍କଠାରୁ ୨ରୁ ୩ ଟଙ୍କାରେ ଫୁଲକୋବି କିଣି ନେଇ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଯାହାଫଳରେ ବେପାରୀମାନେ ମାଲାମାଲ୍‌ ହେଉଥିବା ବେଳେ ଚାଷୀ ବିଚାରା ମୁଣ୍ଡରେ ହାତ ଦେଇ ବସିଛି। କେମିତି ଋଣ ଟଙ୍କା ପରିଶୋଧ କରିବ, ସେହି ଚିନ୍ତାରେ ପଡ଼ିଯାଇଛି। ହେଲେ ଏଥିପ୍ରିତି ପ୍ରଶାସନର ତିଳେ ମାତ୍ର ନିଘା ନାହିଁ।

Advertisment

ଗଞ୍ଜାମ ବ୍ଳକର ସାନରାମଚନ୍ଦ୍ରପୁର, ଝାରେଡ଼ି ରାଧାଗୋବିନ୍ଦପୁର ଓ ସୁବଳୟା ପଞ୍ଚାୟତରେ ଚଳିତବର୍ଷ ପର୍ଯ୍ୟପ୍ତ ପରିମାଣରେ ଫୁଲ କୋବି ହୋଇଛି। ପାଗ ଠିକ୍‌ଠାକ୍‌ ଥିବାରୁ ଚାଷ ମଧ୍ୟ ଭଲ ହୋଇଛି। ଆଶା କରିଥିଲେ ଫୁଲକୋବି ବିକି ଋଣ ଟଙ୍କା ସୁଝିଦେବ। କିନ୍ତୁ ଚାଷୀଙ୍କ ଏହି ଆଶା ଫସର ଫାଟି ଯାଇଛି। ଫୁଲକୋବି ଅମଳ ହେଲା ବେଳକୁ ଗତ ମାସେ ହେଲା ଦର କମି କମି ଆସୁଛି। କିଲୋ ପ୍ରତି ମାତ୍ର ୨ ରୁ ୩ ଟଙ୍କାକୁ ଖସି ଆସିଲାଣି। କେବଳ ଏତିକି ନୁହେଁ ଗତ, କିଛି ଦିନ ହେଲା ଯେଉଁ ଦରରେ ବ୍ୟବସାୟୀମାନେ ଫୁଲକୋବି ନେଉଥିବା ବେଳେ ବର୍ତ୍ତମାନ ଆଉ ଚାଷୀଙ୍କଠାରୁ କିଣିବା ବନ୍ଦ କରି ଦେଇଛନ୍ତି।

ବ୍ୟବସାୟୀମାନେ ଫୁଲକୋବି ନେଉ ନଥିବା ଯୋଗୁ ଚାଷୀମାନେ ନିଜ ଚାଷ ଜମିରୁ ଆଉ ଫୁଲକୋବି କାଟୁ ନାହାନ୍ତି। ଯାହାଫଳରେ ଚାଷ ଜମିରେ ରହି ଫୁଲକୋବି ଗୁଡ଼ିକ ଧିରେ ଧିରେ ନଷ୍ଟ ହୋଇଯାଉଛି। ଏହି ଫୁଲକୋବି ପାଇଁ ଦୀର୍ଘ ତିନି ମାସ ଧରି କଷ୍ଟ ପଡ଼ିବା ସହିତ ଗଛକୁ ହଜାର ହଜାର ଟଙ୍କାର ସାର ଦେଇ ଛୋଟରୁ ବଡ଼ କରିବା ପରେ ଅମଳ ସମୟ ବେଳକୁ ଅଭାବୀ ବିକ୍ରିରେ ସମ୍ମୁଖୀନ ହେଉଛନ୍ତି। ଫୁଲକୋବି ଚାଷ ପାଇଁ ବ୍ୟାଙ୍କରୁ ଋଣ କରିଥିଲେ। ଏବେ ସେହି ଟଙ୍କା କେମିତି ସୁଝିବେ, ସେହି ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ।

Advertisment

ଚାଷ ଆରମ୍ଭ ବେଳେ ଫୁଲକୋବି ବିହନ ୧୦ ଗ୍ରାମ ପିଛା ୫୦୦ ରୁ ୭୦୦ ଟଙ୍କାରେ କିଣିଥିଲେ। ଏଥିସହିତ ହଜାର ହଜାର ଟଙ୍କାର ମେଡ଼ିସିନ ପକାଇଥିଲେ। ଅମଳ ସମୟରେ ମୁଲିଆ ନିୟୋଜିତ କରିଥିଲେ। କିନ୍ତୁ ଅମଳ କରିବା ପରେ ବ୍ୟବସାୟୀମାନେ ମାତ୍ର ୨ ରୁ ୩ ଟଙ୍କାରେ ନେଉଛନ୍ତି। ଏହାରୁ ଅଧିକ ଦର କହିଲେ ମନା କରି ଚାଲି ଯାଉଛନ୍ତି। ଯାହାଫଳରେ ବାଧ୍ୟହୋଇ କମ ଦରରେ ବ୍ୟବସାୟୀଙ୍କୁ ଚାଷୀମାନେ ବିକିବାକୁ ବାଧ୍ୟ ହେଉଛନ୍ତି। ଫୁଲକୋବି ଜମିରୁ କାଟି ବର୍ତ୍ତମାନ ସମୟରେ ବିକ୍ରି କଲେ ମୁଲିଆ ମଜୁରୀ ଟଙ୍କା ବାହାରୁନି। ଯେହେତୁ ସ୍ଥାନୀୟ ଅଞ୍ଚଳରେ ସେତେ ମାତ୍ରରେ ଫୁଲକୋବିର ଚାହିଦା ନାହିଁ, ତେଣୁ ବ୍ୟବସାୟୀମାନେ ଅଧିକ ଦରରେ ନେଉନାହାନ୍ତି। ଗଞ୍ଜାମରେ ଶୀତଳ ଭଣ୍ଡାର ବ୍ୟବସ୍ଥା ଥିଲେ ହୁଏତ ଚାଷୀ କିଛି ପଇସା ପାଇଥାଆନ୍ତା। ସେପଟେ ଦେଖିବାକୁ ଗଲେ ବ୍ୟବସାୟୀମାନେ ଚାଷୀଙ୍କଠାରୁ କମ୍‌ ଦରରେ କିଣି ଗ୍ରାହକଙ୍କୁ ୧୦ରୁ ୧୫ ଗୁଣା ଅଧିକରେ ବିକ୍ରି କରୁଛନ୍ତି।

ରିପୋର୍ଟ- ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe