Advertisment

ଖଳାକୁ ଆସିନି ଧାନ; ଗାଁରେ ସକ୍ରିୟ ହେଲେଣି ଦଲାଲ, ଚୁପ୍‌ ବସିଛି ପ୍ରଶାସନ!

ସରକାରୀ ମଣ୍ଡି ଖୋଲିନଥିବାରୁ ଚାଷୀମାନେ ନିଜ କଷ୍ଟ ଉପାର୍ଜିତ ଧାନକୁ ଦଲାଲଙ୍କୁ ବିକି ଦେଉଛନ୍ତି। କିଏ କ୍ୱିଣ୍ଟାଲ ପିଛା ୧୧୦୦ ଟଙ୍କାରେ ଧାନ ବିକି ଦେଉଛି ତ ଆଉ କିଏ ୧୨୦୦ ଟଙ୍କାରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି। କ’ଣ ବା କରିପାରିବ?

ଅଦ୍ୟତନ ହୋଇଛି
Kalahandi

Kalahandi

Advertisment

ଚଳିତବର୍ଷ ଭଲ ଫସଲ ହୋଇଛି। ତର ତର ହୋଇ ଚାଷୀ ବିଚରା ଧାନ ଅମଳରେ ଲାଗି ପଡ଼ିଛି। ଖଳାକୁ ଆଣିନି ଧାନ। ହେଲେ ଗାଁରେ ସକ୍ରିୟ ହେଲେଣି ଦଲାଲ। ମଣ୍ଡି ଖୋଲିବାରେ ବିଳମ୍ୱ ହେଉଥିବାରୁ ଚାଷୀଙ୍କଠାରୁ କମ୍‌ ଦାମରେ ଧାନ କିଣି ନେଉଛନ୍ତି। ଏ ସବୁ ଦେଖି ଚୁପ୍‌ ହୋଇ ବସିଛି ଜିଲ୍ଲା ପ୍ରଶାସନ। ଗାଁରେ ବୁଲୁଥିବା ଦଲାଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି ଚିତ୍ର ଆସିଛି କଳାହାଣ୍ଡିରୁ।

Advertisment

ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲ୍ଲାରେ ୧ ଲକ୍ଷ ୮୨ ହଜାର ୭୭୭ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଜମିରୁ ୭ ଲକ୍ଷ ୮୨ହଜାର ୯୫୬ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଲା ଯୋଗାଣ ବିଭାଗ। ଭଗବାନଙ୍କ ଆଶୀର୍ବାଦରୁ ଠିକ୍‌ ସମୟରେ ବର୍ଷା ହୋଇଛି। ମୌସୁମୀକୁ ଦେଖି ଚାଷୀ ବିଚରା ଧାରଉଧାର କରି ଚାଷର ଯତ୍ନ ନେଇଛି। ସେଥିପାଇଁ ଭଲ ଫସଲ ଭଲ ଫଳିଛି। ଏବେ ଅମଳ କାର୍ଯ୍ୟରେ ଲାଗି ପଡ଼ିଛି ଚାଷୀ। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ଧାନ କାଟା ସାରିଲାଣି। ହେଲେ ଦୁଃଖର ବିଷୟ ବର୍ତ୍ତମାନ ସୁଦ୍ଧା ମଣ୍ଡ ଖୋଲିନି। ଏହାର ସୁଯୋଗ ନେଇ ଗାଁରେ ଦଲାଲମାନେ ଚକ୍କର କାଟୁଛନ୍ତି।

ସରକାରୀ ମଣ୍ଡି ଖୋଲିନଥିବାରୁ ଚାଷୀମାନେ ନିଜ କଷ୍ଟ ଉପାର୍ଜିତ ଧାନକୁ ଦଲାଲଙ୍କୁ ବିକି ଦେଉଛନ୍ତି। କିଏ କ୍ୱିଣ୍ଟାଲ ପିଛା ୧୧୦୦ ଟଙ୍କାରେ ଧାନ ବିକି ଦେଉଛି ତ ଆଉ କିଏ ୧୨୦୦ ଟଙ୍କାରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି। କ’ଣ ବା କରିପାରିବ? କାରଣ ମୁଣ୍ଡ ଉପରେ ଅଛି ଋଣ ବୋଝ? ସେ ଧାର ଉଧାର ଚାଷ କରିଥିଲେ। ବିଳମ୍ୱ ହେଲେ ଋଣ ଟଙ୍କା ସୁଧ ବଢ଼ିବ। ତେଣୁ ଶୀଘ୍ର ଋଣ ବୋଝରୁ ମୁକ୍ତି ପାଇବା ବାଧ୍ୟ ହେଉଛି କମ୍‌ ଦାମରେ ଧାନ ବିକିବା ପାଇଁ। ଯାହାଫଳରେ ଦଲାଲମାନେ ମାଲାମାଲ୍‌ ହେଉଥିବା ବେଳେ ଚାଷୀ ବିଚରା ଅଭାବ ଅନଟନରେ ପେଶି ହେଉଛି।  

Advertisment

ସୂଚନାରୁ ପ୍ରକାଶ, ଧାନ କିଣିବା ପାଇଁ ଗତ ୪ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନଭେମ୍ୱର ୨୯ ତାରିଖରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଭବାନୀପାଟଣା ଓ ଧର୍ମଗଡ଼ ସବ ଡିଭିଜନରେ ୭୪ଟି ପାକ୍ସ, ୨୧୩ଟି ଧାନ ସଂଗ୍ରହ କେନ୍ଦ୍ର ଓ ୩୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଚଳିତବର୍ଷ ଜିଲ୍ଲାରେ ଧାନ ବିକିବା ପାଇଁ ୧ ଲକ୍ଷ ୧୨ହଜାର ୨୮୨ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହାକୁ ଦେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଛି। ସେପଟେ ବିଳମ୍ୱରେ ଧାନ କ୍ରୟ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। 

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି ପବିତ୍ର ମୋହନ ସାହୁ କହିଛନ୍ତି, ଚଳିତ ଖରିଫ ଋତୁରେ ଠିକଠାକ୍‌ ଭାବରେ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ। ମଣ୍ଡିରେ ଦିନ ଦିନ ଧରି ଯେଭଳି ଧାନ ପଡ଼ି ନରହିବ ଓ ୨୪ ଘଣ୍ଟାରେ କିଭଳି ଧାନ ଉଠିବ, ସେ ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି ବୋଲି ସେ କହିଛନ୍ତି। 

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂଦେଓ

Farmer Kalahandi Paddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe