Advertisment

କୋରାପୁଟ ସୁନ୍ଦରପଣରେ ହଜାରେ ପର ଖଞ୍ଜିବାକୁ ଯାଉଛି ରାଜ୍ୟର ପ୍ରଥମ ସୁଡ଼ଙ୍ଗ ରାସ୍ତା

ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ୍ ଉଚ୍ଚରେ ସୁଙ୍କି ଘାଟିରେ ନିର୍ମାଣଧୀନ ରହିଛି ଦୁଇ ଦୁଇଟି ଟନେଲ୍। ଗୋଟିକର ଲମ୍ବ ୩.୪୨ କିଲୋମିଟର ଓ ଅନ୍ୟଟିର ଲମ୍ବ ୨.୮ କିଲୋମିଟର।

Koraput

Koraput

Advertisment

ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଲମ୍ବା ସୁଡ଼ଙ୍ଗ ରାସ୍ତା। ଭାରତମାଳା ପ୍ରକଳ୍ପ ଯୋଜନାରେ ରାୟପୁରରୁ ବିଶାଖାପାଟଣାକୁ ସିଧାସଳଖ ସଂଯୋଗ ପାଇଁ ତିଆରି ଚାଲିଛି ଜାତୀୟ ରାଜପଥ(ଏନ୍‌ଏଚ୍‌)। ଏହି ଏନ୍‌ଏଚ୍‌ରେ କୋରାପୁଟ ଜିଲ୍ଲାରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଲମ୍ୱା ଟନେଲ। ଆସନ୍ତବର୍ଷ ସୁଦ୍ଧା ଶେଷ ହେବାକୁ ଥିବା ଏ ପ୍ରକଳ୍ପ ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଖାଲି ରୋମାଞ୍ଚକର ଅନୁଭୂତି ଆଣିବନି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ମାଇଲ ଖୁଣ୍ଟ ସାଜିବ ବୋଲି କୁହାଯାଉଛି।

Advertisment

ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ୍ ଉଚ୍ଚରେ ସୁଙ୍କି ଘାଟିରେ ନିର୍ମାଣଧୀନ ରହିଛି ଦୁଇ ଦୁଇଟି ଟନେଲ୍। ଗୋଟିକର ଲମ୍ବ ୩.୪୨ କିଲୋମିଟର ଓ ଅନ୍ୟଟିର ଲମ୍ବ ୨.୮ କିଲୋମିଟର। ଗୋଟିଏ ଓଡ଼ିଶାରୁ ଆନ୍ଧ୍ର ଅଭିମୁଖେ ଗଲାବେଳେ କୁନ୍ଦୁଲି ଓ ଶୁଙ୍କି ନିକଟରୁ ଆରମ୍ଭ ହୋଇ କାନ୍ଦିଲିରେ ସରିବ। ଆରଟି ବିପରୀତ ଦିଗ ଆନ୍ଧ୍ର ପଟୁ ଓଡ଼ିଶାକୁ ଆସିବା ବେଳେ କୁରାଲିଠୁ ଆରମ୍ଭ ହୋଇ ସୁଙ୍କି ପଞ୍ଚାୟତର ଅମ୍ପାବାଲି ଗାଁରେ ଶେଷ ହେବ। ଆସନ୍ତାବର୍ଷ କାମ ସରିବାକୁ ଥିବାରୁ ୨୦୨୨ ମସିହାରୁ ଆରମ୍ଭ ହୋଇଥିବା ଟନେଲର ନିର୍ମାଣ କାର୍ଯ୍ୟ ଏବେ ଦ୍ରୁତ ଗତିରେ ଚାଲିଛି।

ଭାରତମାଳା ପରି ଯୋଜନାରେ ଏ ନୂଆ ୬ ଥାକିଆ ରାସ୍ତା ଓ ସେଥିରେ ଥିବା ଦୁଇ ଦୁଇଟି ଟନେଲ୍, ଖାଲି ଯାତ୍ରାରେ ରୋମାଞ୍ଚକର ଅନୁଭୂତି ଦେବନି, କୋରାପୁଟର ପର୍ଯ୍ୟଟନକୁ ସମୃଦ୍ଧ କରିବା ସହ ବିକାଶକୁ ନୂଆ ଦିଶା ଦେଇ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ମାଇଲଖୁଣ୍ଟ ସାଜିବ ବୋଲି କହିଛନ୍ତି ସ୍ଥାନୀୟ ଲୋକ।

Advertisment

ଏ ନେଇ ସୁନାବେଡାର ଶିକ୍ଷାବିତ ତଥା ଇଂଜିନିୟର ସୁନୀଲ ବିଶ୍ଵାଳ କହିଛନ୍ତି, ଏହି ରାସ୍ତା କୋରାପୁଟ ଜିଲ୍ଲା ପାଇଁ ଏକ ଅର୍ଥନୈତିକ କରିଡ଼ର କହିଲେ ଅତ୍ୟୁକ୍ତି ହେବନାହିଁ। ଏହାଦ୍ୱାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଦୂରତା କମିଯିବ। ଗମନା ଗମନ କ୍ଷେତ୍ରରେ ଲୋକେ ସମସ୍ତ ପ୍ରକାର ସୁବିଧା ପାଇବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ତଥା ଆଦିବାସୀ ଗବେଷଣା ପରିଷଦର ନିର୍ଦ୍ଦେଶକ ଡକ୍ଟର ପିସି ମହାପାତ୍ର କହିଛନ୍ତି, ଏହି ରାସ୍ତା ଯୋଗୁ ଓଡ଼ିଶା ସହିତ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ସମ୍ପର୍କ ବଢିବ। ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଜିଲ୍ଲାରେ ବେକାରୀ ଯୁବକ ଓ ଯୁବତୀ ନିଯୁକ୍ତି ମଧ୍ୟ ପାଇବେ ବୋଲି ଡକ୍ଟର ମହାପାତ୍ର କହିଛନ୍ତି।

୧୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଛତିଶଗଡ଼ର ରାୟପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପଟଣା ପର୍ଯ୍ୟନ୍ତ ତିଆରି ହେଉଛି ୬ ଥାକ ବିଶିଷ୍ଟ ୪୬୫ କିଲୋମିଟରର ରାସ୍ତା। ଯାହାର ଓସାର ଜଙ୍ଗଲ ରାସ୍ତାରେ ୩୫ ମିଟର ଓ ଅଣଜଙ୍ଗଲ ରାସ୍ତାରେ ୬୦ ମିଟର। ଏହା ଅଧିନରେ କୋରାପୁଟ ଜିଲ୍ଲା ଦେଇ ଦୁଇଟି ଟନେଲ ସମେତ ୧୨୪ କିଲୋମିଟର ରାସ୍ତା କାମ ଚାଲିଥିଲା ବେଳେ ନବରଙ୍ଗପୁର ଜିଲ୍ଲାରେ ୧୧୬ କିଲୋମିଟର ରାସ୍ତା କାମ ଚାଲିଛି।

ସେପଟେ ପ୍ରକଳ୍ପ ଶେଷ ପାଇଁ ଧାର୍ଯ୍ୟ ସମୟ ପାଖେଇ ଆସୁଥିବାରୁ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍। ଏନେଇ ଜିଲ୍ଲାପାଳ କହିଛନ୍ତି, ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ଜିଲ୍ଲାକୁ ଏକାଧିକ ଲଘୁ ଉଦ୍ୟୋଗ ଆସିବ। ଏଠାରେ ବକ୍ସାଇଟ ଓ ଚୁନ ପଥର ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏ ସଂପର୍କିତ ବହୁ ଉଦ୍ୟୋଗ ଆସିବେ। ଏହା ସହିତ ବହୁ ସିମେଣ୍ଟ କମ୍ପାନୀ ଏଠାରେ ବ୍ୟବସାୟ ସ୍ଥାପନ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଏଭଳି ଉଦ୍ୟୋଗ ଆସିଲେ କୋରାପୁଟ ଜିଲ୍ଲା ବିକାଶ ସମ୍ଭବ ହେବ। ଏହି ରାସ୍ତା ଏକ ଅର୍ଥନୈତିକ କରିଡ଼ର। ଏହି ପ୍ରକଳ୍ପ କାର୍ଯ୍ୟକାରି ହେଲେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ ହେବା ସହିତ ପର୍ଯ୍ୟଟନ ହବ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe