ଦେବେନ୍ଦ୍ର ପୃଷ୍ଟି
ପ୍ରଥମ ଥର ପାଇଁ କୌଣସି ନିର୍ବାଚନ ପରେ ଜଣେ ଆଦିବାସୀ ନେତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ଯେଉଁ ଦୁଇ ଜଣ ଆଦିବାସୀ ନେତା ନିର୍ବାଚନର ବହୁ ବର୍ଷ ପରେ ବଦଳ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେମାନେ ହେଲେ ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗ। ହେମାନନ୍ଦ ଦୁଇ ଥର ଓ ଗିରିଧର ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେମାନଙ୍କ କାର୍ଯ୍ୟକାଳ ଥିଲା ଅତ୍ୟନ୍ତ ସୀମୀତ। ମାତ୍ର, ପ୍ରଥମ ଥର ପାଇଁ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ବିଧାନସଭା ନିର୍ବାଚନ ପରେ ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ମୋହନ ମାଝୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ତାଙ୍କୁ ଲଗାଇ ୪ ଜଣ ଆଦିବାସୀ ନେତା ଅଛନ୍ତି। ସେମାନେ ହେଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କ୍ୟାବିନେଟ୍ ମନ୍ତ୍ରୀ ରବି ନାରାୟଣ ନାଏକ ଓ ନିତ୍ୟାନନ୍ଦ ଗଣ୍ଡ ଏବଂ ରାଷ୍ଟ୍ର ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ। ଓଡ଼ିଶାର ଜନସଂଖ୍ୟାରେ ଆଦିବାସୀଙ୍କ ଭାଗ ହେଉଛି ପ୍ରାୟ ୨୩ ପ୍ରତିଶତ। ମୋହନଙ୍କ ପ୍ରଥମ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ହେଉଛି ୧୬। ଏଥିରୁ ୪ ଜଣ ହେଉଛନ୍ତି ଆଦିବାସୀ। ଓଡ଼ିଶା ମୂଳତଃ ଏକ ଆଦିବାସୀ ସଂସ୍କୃତିର ଦେଶ। ଓଡ଼ିଆଙ୍କର ଆରାଧ୍ୟ ଦେବତା ଜଗନ୍ନାଥ ହେଉଛନ୍ତି ମୂଳତଃ ଆଦିବାସୀ ଦେବତା। ଆଦିବାସୀମାନେ କାଠ ପୂଜା କରନ୍ତି। ସେମାନଙ୍କ ଦେବତାଙ୍କ ରୂପ ହେଉଛି କାଠର ଖୁମ୍ବ। ଶ୍ରୀମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧା ମୂର୍ତ୍ତି ହେଉଛନ୍ତି କାଠର ବିଗ୍ରହ। ଓଡ଼ିଶାର ଗାଁ ଗହଳିରେ ବୃକ୍ଷ ଉପାସନା ଏକ ବହୁ ପୁରୁଣା ସଂସ୍କାର। ଏଠି ବର, ଅଶ୍ୱତ୍ଥ, ନିମ ଓ ତୁଳସୀ ଆଦି ଗଛଙ୍କୁ ଦୈନନ୍ଦିନ ପୂଜା କରାଯାଏ ଓ ପାଣି ଲଗାଯାଏ। ଓଡ଼ିଆର ଧର୍ମ ଓ ସଂସ୍କୃତି ପ୍ରକୃତି କୈନ୍ଦ୍ରିକ ଓ ପ୍ରକୃତି ଭିତ୍ତିକ। ଆଦିବାସୀମାନେ ହେଲେ ପ୍ରକୃତିର ସନ୍ତାନ।
ପ୍ରଥମ ଥର ପାଇଁ ଓଡ଼ିଶାରେ ପଛୁଆ ବର୍ଗର ଜଣେ ମହିଳା ନେତ୍ରୀ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ପ୍ରଭାତୀ ପରିଡ଼ା। ରାଜ୍ୟ ଜନସଂଖ୍ୟାରେ ପଛୁଆ ବର୍ଗର ଭାଗ ହେଉଛି ପ୍ରାୟ ୫୪ ପ୍ରତିଶତ। ଏଥିରେ ଚଷା ଖଣ୍ଡାୟତଙ୍କ ସଂଖ୍ୟା ସର୍ବାଧିକ। ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। ଏହାର ପୂର୍ବ ଥିଲା ଉଡ୍ର। ଉଡ୍ରରେ ଓଡ଼ ଚଷାଙ୍କ ସଂଖ୍ୟା ସ୍ୱାଭାବିକ ଭାବେ ଅଧିକ। କୃଷି ସହିତ ଗୋପାଳନ ଥିଲା ପ୍ରାଚୀନ ଓଡ଼ିଆଙ୍କର ମୌଳିକ ବୃତ୍ତି। ଓଡ଼ିଶାର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ସବୁ ଭାଗରେ ଚାଷୀଙ୍କ ସଂଖ୍ୟା ଅଧିକ। ଏହି ବର୍ଗରୁ ଜଣେ ନେତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ପ୍ରଭାତୀଙ୍କ ବ୍ୟତିତ ମୋହନଙ୍କ ମନ୍ତ୍ରିମଣ୍ଡଳରେ ଆଉ ୪ ଜଣ ପଛୁଆ ବର୍ଗର ନେତା ଅଛନ୍ତି। ସେମାନେ ହେଲେ ଢେଙ୍କାନାଳର କୃଷ୍ଣଚନ୍ଦ୍ର ପାତ୍ର, ପୋଲସରାର ଗୋକୁଳାନନ୍ଦ ମଲ୍ଲିକ, ଗୋପାଳପୁରର ବିଭୂତି ଜେନା ଓ ପାରାଦୀପର ସଂପଦ ସ୍ୱାଇଁ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପ୍ରଦୀପ ବଳସାମନ୍ତ ମନ୍ତ୍ରିମଣ୍ଡଳରେ ଖଣ୍ଡାୟତ ବର୍ଗର ପ୍ରତିନିଧିତ୍ୱ କରୁଛନ୍ତି। ସେମାନେ ଖଣ୍ଡାୟତ ଭାବେ ସାଧାରଣ ବର୍ଗର ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ସୁରେଶ ପୂଜାରୀ ଓ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ସାଧାରଣ ବର୍ଗର ପ୍ରତିନିଧିତ୍ୱ କରୁଛନ୍ତି।
ଓଡ଼ିଶା ଜନସଂଖ୍ୟାରେ ତଫସିଲଭୁକ୍ତ ଜାତି ବା ଦଳିତ ବର୍ଗର ଭାଗ ହେଉଛି ପ୍ରାୟ ୧୮ ପ୍ରତିଶତ। ଏହି ବର୍ଗରୁ ଡକ୍ଟର ମୁକେଶ ମହାଲିଙ୍ଗ ଓ ସୂର୍ଯ୍ୟବଂଶୀ ସୂରଜ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।
ଏ ଦୃଷ୍ଟିରୁ ଦେଖିଲେ ଓଡ଼ିଶା ଜନସଂଖ୍ୟାର ମୁଖ୍ୟ ଭାଗ ମୋହନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ମନ୍ତ୍ରିମଣ୍ଡଳରେ ଆହୁରି ୬ଟି ସ୍ଥାନ ଖାଲି ଅଛି। ସେଥିରେ ମଧ୍ୟ ଅନ୍ୟ ବିଭିନ୍ନ ବର୍ଗଙ୍କୁ ପ୍ରତିନିଧିତ୍ୱ ମିଳିବାର ସମ୍ଭାବନା ରହିଛି। ବିଶେଷକରି ପଛୁଆ ବର୍ଗ ମଧ୍ୟରେ ଆଖିଦୃଶିଆ ଭାଗ ଗୋପାଳ ଏବଂ ଦଳିତ ବର୍ଗରେ ଉପକୂଳ ଅଞ୍ଚଳର ସର୍ବାଧିକ ଜନସଂଖ୍ୟା ଥିବା ଏକ ଗୋଷ୍ଠୀକୁ ଆସନ୍ତା ସଂପ୍ରସାରଣ କିମ୍ବା ଅଦଳବଦଳରେ ପ୍ରତିନିଧିତ୍ୱ ମିଳିବାର ସମ୍ଭାବନା ରହିଛି। ପ୍ରଥମେ ଶପଥ ନେଇଥିବା ୧୬ ଜଣଙ୍କ ମଧ୍ୟରେ ଆଦିବାସୀ ୪, ଦଳିତ ୨, ପଛୁଆ ବର୍ଗର ୫ ଓ ସାଧାରଣ ବା ଉଚ୍ଚ ବର୍ଗର ୫ ଜଣ ସଦସ୍ୟ ରହିଛନ୍ତି। ମନ୍ତ୍ରିମଣ୍ଡଳର ଏହି ସଂରଚନା ସାମାଜିକ ନ୍ୟାୟର ପ୍ରତିଫଳନ ବୋଲି କୁହାଯାଇପାରେ।
ତେବେ, କେବଳ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲେ ଯେ ଏହିସବୁ ବର୍ଗର ଲୋକମାନଙ୍କର ଆର୍ଥିକ ଉନ୍ନତି ବା ସଶକ୍ତିକରଣ ହେଲା ତାହା ଭାବିବା ଭୁଲ। ଏହି ବର୍ଗର ଲୋକମାନଙ୍କୁ ଆର୍ଥିକ ନ୍ୟାୟ ପ୍ରଦାନ କରିବା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଯୋଜନା ପ୍ରଣୟନର ଆବଶ୍ୟକତା ରହିଛି। କୃଷି, ଗୋପାଳନ, ମାଛଚାଷ, କୁକୁଡ଼ା ଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଓ କୁଟୀର ଶିଳ୍ପ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ ହେଲେ ଏବଂ ଏସବୁ କ୍ଷେତ୍ରର ବାସ୍ତବ ବିକାଶ ପାଇଁ ଅଧିକ ପୁଞ୍ଜି ନିବେଶ ହେଲେ ବିକାଶ ଦୌଡ଼ରେ ପଛରେ ପଡ଼ି ଯାଇଥିବା ଓଡ଼ିଶାର ସଂଖ୍ୟାଧିକ ଲୋକ ଆର୍ଥିକ ଭାବେ ସଶକ୍ତ ହୋଇପାରିବେ।
ଜାତି ଓ ବୃତ୍ତି ସଂରଚନାରେ ଭାରତବର୍ଷର ସ୍ଥିତିଠାରୁ ଓଡ଼ିଶାର ସ୍ଥିତି ଅଲଗା। ଓଡ଼ିଶାର ପଛୁଆ ବର୍ଗ ତାଲିକାରେ ଥିବା ଅଧିକାଂଶ ଜାତିର ଲୋକମାନଙ୍କର କୌଳିକ ବୃତ୍ତି ଥିଲା। ଏଇ ଯେପରି ଚଷା, କୁଲତା ଆଦି ଜାତିର ମୁଖ୍ୟ କର୍ମ ଥିଲା ଚାଷ। ସେମାନେ ଚାଷରୁ ଚଳୁଥିଲେ। ସେମାନେ ଚାଷଜମିର ମାଲିକ ଥିଲେ ବା ସର୍ବସାଧାରଣ ବା ସରକାରୀ ଜମିରେ ଚାଷ କରୁଥିଲେ। ଗୋପାଳମାନେ ଗାଈ, ମଇଁଷି, ମେଣ୍ଢା ଆଦି ପାଳନ କରି ରୋଜଗାରକ୍ଷମ ଥିଲେ। କମ୍ମାର, କୁମ୍ଭାର, ପାଟରା, ତେଲି, ତନ୍ତୀ, କାଚରା, ବଣିଆ, ଗୁଡ଼ିଆ ଆଦି ଲୋକମାନଙ୍କର ନିଜସ୍ୱ କୌଳିକ ବୃତ୍ତି ଥିଲା।
କିନ୍ତୁ ଆଧୁନିକ ଶିଳ୍ପାୟନ ଓ ସହରାୟନ ପ୍ରଭାବରେ ଏହିସବୁ ଜାତିର ଲୋକମାନେ ବୃତ୍ତିହୀନ ହୋଇଗଲେ। ପ୍ରଥମ ଦୁଇଟି ପଞ୍ଚ ବାର୍ଷିକ ଯୋଜନା ପରେ କେନ୍ଦ୍ର କି ରାଜ୍ୟ ସରକାର କେହି କୃଷି ଉପରେ ଗୁରୁତ୍ୱ ଦେଲେ ନାହିଁ। ଓଲଟି ଓଡ଼ିଶାରେ ବିଜୁ ପଟ୍ଟନାୟକ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଅର୍ଥାତ ୧୯୬୦ ଦଶନ୍ଧିରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ସ୍ଲୋଗାନ ହେଲା ଶିଳ୍ପାୟନ। ‘ଟାଇଲ ଛପର ଘର, ନିଆଁକୁ ନଥିବ ଡର’, ‘ଟେଲିଫୋନର ମଜା, ଶହେ କୋଶରୁ ଆଈ ସାଥୀରେ କଥା ହେଉଛି ଅଜା’ ଆଦି ପଦ୍ୟ ଜରିଆରେ ଲୋକଙ୍କ ମୁଣ୍ଡ ଭିତରେ ଶିଳ୍ପ ଓ ସହର ବିକାଶ କଥା ପଶିଗଲା। ଏହା ସହିତ ‘ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ’ ସ୍ଲୋଗାନ ଜରିଆରେ ଓଡ଼ିଶାରେ ଶିଳ୍ପାୟନ ଓ ସହରାୟନ ନିହାତି ଦରକାର ବୋଲି ଲୋକଙ୍କୁ ବୁଝାଇ ଦିଆଗଲା। ଶିଳ୍ପ ଓ ସହର ହେଲେ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଅଧିକ ଲୋକ ସ୍ୱାବଲମ୍ବୀ ଓ ସମୃଦ୍ଧ ହେବେ ଓ ରାଜ୍ୟର ସର୍ବାଙ୍ଗୀନ ବିକାଶ ସାଧିତ ହେବ ବୋଲି ପ୍ରଚାର କରାଗଲା।
ମାତ୍ର, ବାସ୍ତବରେ ହେଲା ଓଲଟା। ଖାଦ୍ୟ ପ୍ରକ୍ରିୟାକରଣ, ଗୃହୋପକରଣ, ବାସନକୁସନ, ଗହଣା ନିର୍ମାଣ, ବୟନ ଶିଳ୍ପ, କୃଷି ଉପକରଣ ଆଦି କ୍ଷେତ୍ରରେ ନୂଆ ଓ ବଡ଼ ଶିଳ୍ପ ସବୁ ତାହା ପୁଣି ଅଧିକାଂଶ ଅନ୍ୟ ରାଜ୍ୟରେ ପ୍ରତିଷ୍ଠା ହେବା ଯୋଗୁଁ ଓଡ଼ିଶାରେ ଓଡ଼ିଆଙ୍କର କୌଳିକ ବୃତ୍ତି ଚାଲିଗଲା। ଏହିସବୁ କୌଳିକ ବୃତ୍ତିରେ ରହି କାଳକାଳ ଧରି ଉପାର୍ଜନକ୍ଷମ ଥିବା ଲୋକମାନେ ରୋଜଗାର ହରେଇଲେ। ସେମାନଙ୍କ ନିକଟରେ ବିକଳ୍ପ ରୋଜଗାର କିଛି ନଥିଲା କହିଲେ ଚଳେ। ସେମାନଙ୍କ ପାଇଁ ସରକାର ତୁରନ୍ତ କିଛି କଲେ ନାହିଁ। ତେଣୁ ସେହି ଲୋକମାନେ ଦରିଦ୍ରପ୍ରାୟ ହୋଇଗଲେ। ସେହି ଲୋକମାନେ ଏବେ ପ୍ରାୟ ସରକାରୀ ହିତାଧିକାରୀ କୈନ୍ଦ୍ରିକ ଯୋଜନା ଉପରେ ନିର୍ଭରଶୀଳ। ସେଥିରେ ସେମାନେ ଅଳ୍ପେବହୁତେ ଚଳି ଯାଉଛନ୍ତି ସତ ମାତ୍ର ବିକାଶ ସମୃଦ୍ଧି ଧାରାରେ ଅନ୍ୟମାନଙ୍କ ସହ ସମତାଳରେ ଦୌଡ଼ିପାରୁ ନାହାନ୍ତି। ଏହି ସବୁ କୌଳିକ ବୃତ୍ତିର ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନାର ଆବଶ୍ୟକତା ଅନୁଭୂତ ହୁଏ। ସେଥି ନିମନ୍ତେ ପ୍ରତି ପଞ୍ଚାୟତରେ କୁଟୀର ଶିଳ୍ପ ବା କୁମ୍ଭାର ଶାଳା, କମ୍ମାର ଶାଳା, କାଠଶାଳା, ତନ୍ତଶାଳା ଆଦିର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯିବା ଦରକାର।
ସେହିପରି କୃଷିର ବିକାଶ ନିମନ୍ତେ ଚାଷଜମିଗୁଡ଼ିକୁ ସବୁଦିନିଆ ଜଳସେଚନ ସୁବିଧା ସହିତ ଗ୍ରାମ୍ୟ ଜଙ୍ଗଲ, ଗୋଶାଳା, ଖତ ଉତ୍ପାଦନ କେନ୍ଦ୍ର ଆଦିର ଆବଶ୍ୟକତା ରହିଛି। ଓଡ଼ିଶାକୁ ଆଳୁ, ପିଆଜ, କଦଳୀ, ଲଙ୍କା, ମାଛ, ଅଣ୍ଡା, କୁକୁଡ଼ା, ତେଲ ଓ ଲୁଣ ଆଦି ଅନ୍ୟ ରାଜ୍ୟରୁ ଆସୁଛି। ଏଥିଯୋଗୁଁ ଓଡ଼ିଆଙ୍କର ରୋଜଗାର ଲବ୍ଧ ଅର୍ଥ ଅନ୍ୟ ରାଜ୍ୟକୁ ପଳଉଛି। ତାହା ଓଡ଼ିଶାରେ ରହିଲେ ରାଜ୍ୟର ଆୟ ସହିତ ସଞ୍ଚୟରେ ବୃଦ୍ଧି ଘଟନ୍ତା ଓ ବଳକା ଅର୍ଥ ସାନି ପୁଞ୍ଜି ଭାବେ ରାଜ୍ୟର ବିକାଶରେ ଲାଗି ପାରନ୍ତା। ଗୋପାଳନ ପାଇଁ ସବୁଜ ତଥା ଶୁଷ୍କ ଗୋଖାଦ୍ୟ ଉତ୍ପାଦନ ଓ ସାମୂହିକ ଗୋଶାଳାର ଆବଶ୍ୟକତା ରହିଛି। ପ୍ରତି ପଞ୍ଚାୟତର ଅନାବାଦୀ, ଗୋଚର ଆଦି ସର୍ବସାଧାରଣ ଜମିକୁ ଶିଳ୍ପ ଓ ସହର ପାଇଁ ଅଧିଗ୍ରହଣ ନକରି ସେଗୁଡ଼ିକୁ ନିର୍ମଳ ଖାଦ୍ୟ, ଜଳ ଓ ବାୟୁର ଭଣ୍ଡାର ଭାବେ ବିକଶିତ କରାଯାଇ ପାରିବ। ତାହା ଫଳରେ ରାଜ୍ୟର ଜୈବ ଓ ପ୍ରାଣୀ ବିବିଧତାର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଲୋକମାନେ ନିଜନିଜ ଅଞ୍ଚଳରେ ଜୀବନ ଓ ଜୀବିକାର ସାଧନ ପାଇପାରିବେ।
ଏହାର ଅର୍ଥ ନୁହେଁ ଯେ ରାଜ୍ୟରେ ଆଦୌ ଶିଳ୍ପାୟନ ଓ ସହରାୟନ ହେବ ନାହିଁ। ଓଡ଼ିଶାରୁ ପ୍ରତି ବର୍ଷ ଲକ୍ଷଲକ୍ଷ ଟନ୍ର ଲୁହା ପଥର, ମାଙ୍ଗାନିଜ, କ୍ରୋମାଇଟ୍, ବକ୍ସାଇଟ୍ ଆଦି ଖଣିଜ ପଦାର୍ଥ ବାହାରକୁ ଚାଲିଯାଉଛି। ସ୍ଥଳବିଶେଷରେ ଏହାର ପ୍ରକ୍ରିୟାକରଣ କାରଖାନା ଖୋଲିଛି ସତ ମାତ୍ର ଏଯାଏଁ ରାଜ୍ୟରେ ଷ୍ଟିଲ ବାସନକୁସନ ଓ ଅନ୍ୟାନ୍ୟ ଗୃହୋପକରଣ, ମୋଟର ପାର୍ଟସ, ସାଇକେଲ କାରଖାନା ବସିଲା ନାହିଁ। ଆମରି ରାଜ୍ୟରୁ କଞ୍ଚାମାଲ ବାହାରକୁ ଯାଇ ଏସବୁ ଫିନିଶ୍ଡ ପ୍ରଡକ୍ଟ ଉତ୍ପାଦିତ ହୋଇ ତାହା ପୁଣି ଆମରି ରାଜ୍ୟକୁ ଆସୁଛି ଓ ଆମେ ତାକୁ ଚଢ଼ା ଦରରେ କିଣୁଛନ୍ତି। ଆମ ଖଣିଜ ପଦାର୍ଥ ଶସ୍ତାରେ ଯାଉଛି, ସେଥିରୁ ପ୍ରସ୍ତୁତ ସାମଗ୍ରୀକୁ ଆମେ ଚଢ଼ା ଦରରେ କିଣୁଛନ୍ତି। ଏହା ଫଳରେ ରାଜ୍ୟବାସୀଙ୍କର ଦୁଇ ଗୁଣ କ୍ଷତି ହେଉଛି। ଏସବୁ କାରଖାନା ଓଡ଼ିଶାରେ ହେଲେ ସେଥିରେ ଓଡ଼ିଆଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ମିଳନ୍ତା। ନହେଲେ, ଖଣିଜ ପ୍ରକ୍ରିୟାକରଣ ଶିଳ୍ପରେ ଓଡ଼ିଶାର ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ସମ୍ଭବ ନୁହେଁ। ଖଣି ଓ ଖଣିଜ ପ୍ରକ୍ରିୟାକରଣ ଶିଳ୍ପର ଯାନ୍ତ୍ରିକୀକରଣ ହେତୁ ମଣିଷଙ୍କ ପାଇଁ କର୍ମନିଯୁକ୍ତି କମିକମି ଯାଉଛି। ମାନୁଫାକ୍ଚରିଂ କ୍ଷେତ୍ରରେ ଅଧିକ ଶିଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟର ବେକାରୀ ସମସ୍ୟାର ସମାଧାନ ଦିଗରେ ତାହା ଏକ ବୃହତ୍ ପଦକ୍ଷେପ ହୋଇପାରନ୍ତା।
ଏବେ ରାଜ୍ୟର ଖାଦ୍ୟ, ବସ୍ତ୍ର, ଅଳଙ୍କାର, ଗୃହୋପକରଣ, ଗୃହ ନିର୍ମାଣ ସରଞ୍ଜାମ ଆଦି କ୍ଷେତ୍ରରେ ପ୍ରମୁଖ ବ୍ୟବସାୟୀ ଓ ଉଦ୍ୟୋଗୀମାନେ ହେଲେ ଅଣଓଡ଼ିଆ। ଏହିସବୁ କ୍ଷେତ୍ରରେ ଅଧିକରୁ ଅଧିକ ଓଡ଼ିଆ ଉଦ୍ୟୋଗୀ ଓ ବ୍ୟବସାୟୀଙ୍କର ପ୍ରତିଷ୍ଠାର ଆବଶ୍ୟକତା ଅନୁଭୂତ ହୁଏ।
ସେହିପରି ଓଡ଼ିଆ ପାଣିପାଗ, ପରିବେଶ, ସମାଜ ଓ ସଂସ୍କୃତି ଭିତ୍ତିରେ ସହର ଯୋଜନା ହେବା ଉଚିତ। ସହରର ଘର ଓ ବ୍ୟବସାୟ କେନ୍ଦ୍ର ଲଗାଲଗି ନହୋଇ ଛାଡ଼ିଛାଡ଼ି ରହିବା ଦରକାର। ଗୋଟିଏ ଜାଗାରେ ବା ଅଳ୍ପ କେତୋଟି ଜାଗାରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ବିପଣୀ ନଖୋଲି ପ୍ରତି କଲୋନି ବା ୱାର୍ଡ଼ରେ ଖୋଲିବା ଦରକାର। ତଦ୍ୱାରା ଅଧିକ ଲୋକ ଆତ୍ମନିଯୁକ୍ତି ସୁଯୋଗ ପାଇବା ସହିତ ଗହଳି କମିବ। ଲୋକେ ପାଖରେ ଆବଶ୍ୟକ ଜିନିଷ ପାଇଲେ ପେଟ୍ରୋଲ ପୋଡ଼ି ଦୂର ବଜାରକୁ ଯିବେ ନାହିଁ। ଯଦି ଶସ୍ତାରେ ପାଇବେ ତେବେ ଅବଶ୍ୟ ଦୂରକୁ ଯିବେ। ତାହା ସେମାନଙ୍କ ପାଇଁ ଲାଭଦାୟକ ହେବ। ଜଣେ ଲୋକ ବା ଗୋଟିଏ ସଂସ୍ଥା ସବୁ ଜିନିଷ ବିକିବା ଅପେକ୍ଷା ଅଧିକ ଲୋକ ବା ସଂସ୍ଥା ଅଧିକ ଜିନିଷ ବିକିଲେ ମନୋପଲି ବା ଏକଚାଟିଆ କାରବାରକୁ ପ୍ରତିହତ କରିହେବ। ତଦ୍ୱାରା ଅଧିକ ନିଯୁକ୍ତି ସହିତ ଦର ନିୟନ୍ତ୍ରଣ ସମ୍ଭବ ହେବ।
ଏହିପରି ଅନ୍ୟ ବହୁ ଉଦ୍ୟମ ଜରିଆରେ ୯୦ ପ୍ରତିଶତ ଓଡ଼ିଶାବାସୀଙ୍କୁ ସାମାଜିକ ନ୍ୟାୟ ସହିତ ଆର୍ଥିକ ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା ରହିଛି।