କୋଲକାତାରେ ନାଇଟ୍ ଡ୍ୟୁଟିରେ ଥିବା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଅତି ବୀଭତ୍ସ ଓ ଲୋମହର୍ଷଣକାରୀ ଏହି ଘଟଣାକୁ ନେଇ ସାରା ଭାରତ ଉଠୁଛି ପଡ଼ୁଛି। ମେଡ଼ିକାଲ୍ ସେବା ଏକ ପ୍ରକାର ଠପ୍ ହୋଇଯାଇଛି। ନାଇଟ୍ ଡ୍ୟୁଟିରେ ଥିବା ଡାକ୍ତରଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କଲେଣି ବୁଦ୍ଧିଜୀବୀ। ଆଜି ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଏତେସବୁ ଘଟଣା ଭିତରେ ଆମ ରାଜ୍ୟ ଓଡ଼ିଶାରେ ବିଭିନ୍ନ ମେଡ଼ିକାଲ୍ ଓ ମେଡ଼ିକାଲ୍ କଲେଜରେ ନାଇଟ୍ ଡ୍ୟୁଟିରେ ଥିବା ମହିଳା ଡାକ୍ତରମାନେ କେତେ ସୁରକ୍ଷିତ ଅଛନ୍ତି? ସେମାନଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ତାହାହେଲେ ଆସନ୍ତୁ ନଜର ପକାଇବା ଓଡ଼ିଶାର ୩ ମେଡ଼ିକାଲ୍ କଲେଜ ଉପରେ।
ବ୍ରହ୍ମପୁର MKCG ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍। ବିଳମ୍ୱିତ ରାତିରେ ମେଡିକାଲ୍ର ମୁଖ୍ୟ ଫାଟକ ମୁକୁଳା ପଡ଼ିଛି। କୌଣସି ପୁଲିସ୍ ବା ସିକ୍ୟୁରୀଟି ଗାର୍ଡ ସୁରକ୍ଷା ଦାୟିତ୍ୱରେ ନାହାନ୍ତି। ପୂରା ଶୂନ୍ଶାନ୍ କ୍ୟାମ୍ପସ୍। ରାତି ପ୍ରାୟ ଗୋଟାଏ ବେଳେ ମେଡିକାଲ କାଜୁଆଲିଟିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କେବଳ ଏଇଠି ଡ୍ୟୁଟିରେ ରହିଛନ୍ତି ୩ରୁ ଅଧିକ ମହିଳା ଡାକ୍ତର। ତେବେ ରୋଗୀଙ୍କ ଜୀବନ ରକ୍ଷା ଲାଗି କାର୍ଯ୍ୟବ୍ୟସ୍ତତା ଭିତରେ ନିଜ ସୁରକ୍ଷା କଥା ଭୁଲି ଯାଇଛନ୍ତି ଏହି ମହିଳା ଡାକ୍ତରମାନେ। ହେଲେ ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ସୁରକ୍ଷା କର୍ମୀ ନାହାନ୍ତି।
ଏ ନେଇ MKCG ମେଡ଼ିକାଲ୍ର ମହିଳା ଡାକ୍ତର କହିଛନ୍ତି, ଆମର କାମ ହେଲେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା। ହେଲେ ଆମ ସୁରକ୍ଷା କଥା ମେଡ଼ିକାଲ୍ ପ୍ରଶାସନ ଦେଖିବା କଥା। ଏବେ ଏଇଠି ପ୍ରବଳ ଭିଡ ଅଛି। ହେଲେ ଆଇସିୟୁ ଓ ୱାର୍ଡରେ ଫାଙ୍କା ରହିଛି। ସିସିଟିଭି ରହିବା କଥା। ହେଲେ ତାହା ମଧ୍ୟ ନାହିଁ। ତଥାପି ଆମେ ରାତିରେ ସେଇଠାରେ ବୁଲିବା ପାଇଁ ବାଧ୍ୟ ହେଉଛି। ଏଥିପାଇଁ ଭୟ ଲାଗୁଥିଲା। କୋଲକାତା ଘଟଣା ପରେ ଏବେ ଆହୁରି ଭୟ ଲାଗୁଛି ବୋଲି ମହିଳା ଡାକ୍ତର ଜଣକ କହିଛନ୍ତି।
ଠିକ୍ ସେମିତି ଉତ୍ତର ଓଡ଼ିଶାର ଲାଇଫ୍ ଲାଇନ୍ ହେଉଛି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍। ରାତି ପ୍ରାୟ ୧୨.୧୫ ମିନିଟ୍ରେ ଏମର୍ଜେନ୍ସିରେ ରୋଗୀଙ୍କ ସଂଖ୍ୟା କିଛି କମ୍ ନଥିଲା। ଆଉ ଡ୍ୟୁଟିରେ ଥିଲେ ମହିଳା ଡାକ୍ତର। ଏହି ମେଡିକାଲ ପରିସରରେ ଗୋଟିଏ ପୁଲିସ ଆଉଟ୍ ପୋଷ୍ଟ କାର୍ଯ୍ୟ କରୁଛି। ହେଲେ କର୍ତ୍ତବ୍ୟରେ ଥିବା ମହିଳା ପୁଲିସ୍ କର୍ମଚାରୀ ଜଣକ କିନ୍ତୁ ନିଘୋଡ଼ ନିଦରେ ଶୋଇଛନ୍ତି। କିଛି ଆଇନ ଶୃଙ୍ଖଳା କିମ୍ବା କୌଣସି ଅଘଟଣ ରୋକିବାକୁ ଏଠି ଯେମିତି କେହି ନାହିଁ। ତାରି ଭିତରେ ଅସାମାଜିକଙ୍କଠାରୁ ନିଜ ସୁରକ୍ଷା ଓ ରୋଗୀ ସମ୍ପର୍କୀୟଙ୍କଠାରୁ ଆକ୍ରୋଶର ଭୟକୁ ମନ ଭିତରେ ଚାପି ରଖି କାମ କରିବାକୁ ପଡୁଛି ବୋଲି କ୍ଷୋଭର ସହ କହିଛନ୍ତି କିଛି ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ।
ମେଡ଼ିକାଲ୍ କର୍ମଚାରୀ ଜଣକ କହିଛନ୍ତି, ପୂରା ମେଡ଼ିକାଲ୍ ପାଇଁ ଲିମିଟେଟ୍ ସିକ୍ୟୁରୀଟି ଦିଆଯାଇଛି। ଜଣେ ସିକ୍ୟୁରୀଟି ଗାର୍ଡକୁ ୪ରୁ ୫ଟି ୱାର୍ଡର ଦାୟୀତ୍ୱ ଦିଆଯାଉଛି। ଯଦି କୌଣସି ଘଟଣା ଘଟୁଛି, ତାହାହେଲେ ସେମାନଙ୍କୁ ଆସିବା ପାଇଁ ମଧ୍ୟ ସମୟ ଲାଗୁଛି। ତେଣୁ ରାତିରେ ଆମେ ନିଜକୁ ଅସୁରକ୍ଷିତ ମଣୁଛୁ ବୋଲି ମେଡିକାଲ୍ କର୍ମଚାରୀ ଜଣକ କହିଛନ୍ତି।
ସେହିପରି ପଶ୍ଚିମ ଓଡ଼ିଶାର ପ୍ରମୁଖ ତଥା ରୋଗୀଙ୍କ ପ୍ରାଣକେନ୍ଦ୍ର ହେଉଛି ବୁର୍ଲାର ଭିମସାର। ଏଠାରେ ୨୪ ଘଣ୍ଟିଆ ସେବା ପାଇଁ ବିଳମ୍ବିତ ରାତିରେ ଡ୍ୟୁଟିକୁ ଯିବା ଆସିବା କରନ୍ତି ମହିଳା, ଟ୍ରେନି ଓ ପିଜି ଡାକ୍ତର। ହେଲେ ଯାଆସ ବେଳେ ଏମାନେ ନିଜକୁ ଆଦୌ ସୁରକ୍ଷତି ବୋଲି ଭାବନ୍ତିନି। କାରଣ ସବୁବେଳେ ଅନ୍ଧାର ରାଜୁତି କରୁଥାଏ ହଷ୍ଟେଲରୁ ମେଡିକାଲ ପର୍ଯ୍ୟନ୍ତ ରାସ୍ତା। ନା ହଷ୍ଟେଲ ନା ହସ୍ପିଟାଲ ଗେଟ୍, କେଉଁଠି ନାହିଁ ସିସିଟିଭି କ୍ୟାମେରା ବ୍ୟବସ୍ଥା। ମେଡିକାଲ ବାହାର ପରିବେଶ ଭଳି, ଭିତରେ ମଧ୍ୟ ମହିଳା ଡାକ୍ତଙ୍କ ପାଇଁ କୌଣସି ପୃଥକ ବିଶ୍ରାମ ଗୃହ ନଥିବା କୁହନ୍ତି ଏଠାକାର ମହିଳା ଡାକ୍ତର।