କାନ ଫୁଲ ହେଉ ବା ପାଦର ପାଉଁଞ୍ଜି କିମ୍ୱା ରାଣୀହାର। ଏମିତି କେତେ କ’ଣ ଅଳଙ୍କାର..। ନାରୀ ସୌନ୍ଦର୍ଯ୍ୟରେ ଏ ସବୁ ଅଳଙ୍କାର ନେଇଛି ପ୍ରମୁଖ ଭୂମିକା। ଆପଣ ଜାଣିଛନ୍ତି, ପୁରୁଷ ପ୍ରାଧାନ୍ୟ ସମାଜରେ ଏ ସବୁଥିରେ ରହିଛି ଯୁକ୍ତ ଦୁଇ ପଢ଼ିଥିବା ମୋନାଲିସାଙ୍କ ହାତର ସ୍ପର୍ଶ। ଅଧିକ ପାଠ ପଢ଼ି ନପାରିଲେ କ’ଣ ହେଲା, ବାପା ଓ ଭାଇଙ୍କ ସହିତ ମିଶି ତିଆରି କରୁଥିବା ଗହଣାକୁ ନେଇ ସେ ଚର୍ଚ୍ଚାରେ। ବିଶ୍ୱ କନ୍ୟା ଦିବସରେ ତାଙ୍କୁ ଅନେକ ଅନେକ ଅଭିନନ୍ଦନ।
ମୋନାଲିସା ସାହୁ। ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଶ୍ରଦ୍ଧାପୁର ଗାଁର ହରେନ୍ଦ୍ର ସାହୁଙ୍କ ଝିଅ। ପେଶାରେ ଜଣେ ସୁନାରୀ(ବଣିଆ)। ଘରେ ସୁନା ଓ ରୁପା ଅଳଙ୍କାର ତିଆରି କରନ୍ତି। ମୋନାଲିସା ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ମହାମାରୀ କୋଭିଡ୍ ପରେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ପଢ଼ି ପାରିଲେ ନାହିଁ।
ତେଣୁ ବାପାଙ୍କ କୌଳିକ ବୃତ୍ତିକୁ ଅପଣାଇଲେ। ବାପା ଓ ବଡ଼ ଭାଇଙ୍କ ସହ ମିଶି ଅଳଙ୍କାର ତିଆରି କରିବାରେ ଲାଗି ପଡ଼ିଲେ। ଯେଉଁଥିପାଇଁ ସେ ଆଜି ସମ୍ପୂର୍ଣ୍ଣ କୁଶଳୀ କାରିଗର ପାଲଟି ଯାଇଛନ୍ତି। ଆଉ ତିଆରି କରୁଛନ୍ତି ମନ ପସନ୍ଦର ଅଳଙ୍କାର।
ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି। ଏହି ସମୟ ହାତ ତିଆରି ସୁନା ରୁପା ଗହଣାର ଚାହିଦା ଅଧିକ ରହିଛି। ତେଣୁ ଭଳିକି ଭଳି ବଳା, କାନଫୁଲ, ନାକଫୁଲ, ମୁଦି, ପାଉଁଞ୍ଜି, ରାଣୀହାର, ଚେନ ପ୍ରମୁଖ ଅଳଙ୍କାର ତିଆରି କରୁଛନ୍ତି। ବାପାଙ୍କ ସହିତ ମୋନାଲିସା ଦିନ ରାତି ଏକ କରି କାମ କରୁଛନ୍ତି। ତାଙ୍କ ହାତ ତିଆରି ଅଳଙ୍କାର ଚାହିଦା ଓଡ଼ିଶା ସମେତ ପଡୋଶୀ ପଶ୍ଚିମବଙ୍ଗରେ ରହିଛି। ପୂଜା ପୂର୍ବରୁ ଓଡ଼ିଶାର କଟକ, ଭୁବନେଶ୍ୱର, ଢେଙ୍କାନାଳ ଓ ପଡୋଶୀ ପଶ୍ଚିମବଙ୍ଗର ବଡ଼ବଡ଼ ଗହଣା ଦୋକାନୀ ଦେଉଛନ୍ତି ଅର୍ଡର। ସେହି ଅର୍ଡରକୁ ପୂରା କରିବାକୁ ଲାଗି ପଡ଼ିଛନ୍ତି ପୂରା ପରିବାର।
ମୋନାଲିସା ସାହୁ କହିଛନ୍ତି, ଘରର ଆର୍ଥିକ ସ୍ଥିତି ଭଲନାହିଁ। ବହୁ କଷ୍ଟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଲି। କୋଭିଡ୍ ପରଠାରୁ ପାଠ ପଢ଼ାରେ ଡୋରୀ ବାନ୍ଧି ବାପା ଓ ଭାଇଙ୍କୁ ଅଳଙ୍କାର ତିଆରି ସାହାଯ୍ୟ କରୁଛି। ଏବେ ନିଜେ ଅଳଙ୍କାର ତିଆରି କରୁଛନ୍ତି ବୋଲି ସେ କହିଛନ୍ତି।
ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ