Advertisment

ବିଜେଡି ବିଲ୍ଡିଂ ପାଇଁ ଚାନ୍ଦା ଦେଇଛି କିଏ?

ପ୍ରାୟ ୧ ଏକର ଜାଗାରେ ୫-ତାରକା ହୋଟେଲ ଭଳି ହୋଇଥିବା ଏହି ୪-ମହଲାର ବିଲଡିଂ ପାଇଁ ଅତି କମରେ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

BJD Office

BJD Office

Advertisment

ମାତ୍ର ଦୁଇ ବର୍ଷ ଭିତରେ ବିଜୁ ଜନତା ଦଳର ରାଜ୍ୟ ଅଫିସ କୋଠା କାମ ପ୍ରାୟ ଶେଷ ହୋଇଯାଇଛି। ଆଗାମୀ ୨୩ ତାରିଖ ଅକ୍ଷୟ ତୃତୀୟାରେ ଏହି ବିଲଡିଂ ଉଦଘାଟନ ହେବାର ରହିଛି। ପ୍ରାୟ ୧ ଏକର ଜାଗାରେ ୫-ତାରକା ହୋଟେଲ ଭଳି ହୋଇଥିବା ଏହି ୪-ମହଲାର ବିଲଡିଂ ପାଇଁ ଅତି କମରେ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ବିଜେଡି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ୨୦୨୧-୨୨ ବାର୍ଷିକ ଅଡିଟ ରିପୋର୍ଟରେ ଏହି ଖର୍ଚ୍ଚ ନେଇ ବିଶେଷ କିଛି ଦର୍ଶାଇନାହିଁ।

Advertisment

ପୂର୍ତ୍ତ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ପୀତବାସ ପଣ୍ଡା କହିଛନ୍ତି, ‘୧ ଏକର ଜମି ଉପରେ ଏଭଳି ଏକ ୪-ମହଲା ଘର ହେବାର ଅର୍ଥ ପ୍ରାୟ ୧.୭୪ ଲକ୍ଷ ବର୍ଗ ଫୁଟ (୧ ଏକର= ୪୩,୫୬୦ ବର୍ଗଫୁଟ) ସ୍ଥାନରେ ନିର୍ମାଣ କାମ ହୋଇଛି। ଉଚ୍ଚ ମାନର ଘର ତିଆରି କଲେ, ବର୍ଗଫୁଟ ପ୍ରତି ୨୫୦୦ରୁ ୨୯୦୦ ଟଙ୍କା ଭିତରେ ଖର୍ଚ୍ଚ ହେବ। ଅର୍ଥାତ୍ ଏଭଳି ଏକ ଅଟ୍ଟାଳିକା ନିର୍ମାଣ ପାଇଁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ।’

୨୦୨୧ ରଥଯାତ୍ରା ଦିନ ବିଜୁ ଜନତା ଦଳର ଏକ ଅତ୍ୟାଧୁନିକ କାର୍ଯ୍ୟାଳୟ ପାଇଁ ଭୁବନେଶ୍ବର ୟୁନିଟ-୬ରେ ଶୁଭ ଦେଇଥିଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୟୁନିଟ-୬ରେ ପୂର୍ବରୁ ଭଡ଼ାରେ ଚାଲୁଥିବା ଏହି କାର୍ଯ୍ୟାଳୟ ଜାଗାକୁ ଲାଗି ଦୁଇଟି ଛଅ-ବଖରିଆ ପ୍ଲଟ ଲିଜରେ ନେଇଥିଲା ବିଜେଡି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିଥିବା ଏହି ପ୍ଲଟର ମୋଟ ଆକାର ଥିଲା ୧.୧୮ ଏକର ଓ ଏଥିପାଇଁ ପାର୍ଟି ୧୨.୩୮ କୋଟି ଦାଖଲ କରିଥିଲା ବୋଲି ବିଧାନସଭାରେ ଉତ୍ତର ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖା। ସେହିଭଳି ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ସମାନ ସମୟରେ ରାମ ମନ୍ଦିର କାର୍ଯ୍ୟାଳୟକୁ ଲାଗି ଦୁଇଟି କ୍ୱାର୍ଟର୍ସ ଅଂଚଳ ନେଇଥିଲା। ମୋଟ ୧.୨ ଏକର ଜମି ପାଇଁ ବିଜେପି ଦେଇଥିଲା ୧୬.୬୦ କୋଟି। ବିଭିନ୍ନ ଦଳ ସରକାରଙ୍କଠାରୁ ଜମି ଲିଜ ନେଇ ବିଲଡିଂ କରିବା ନୂଆ କଥା ନୁହେଁ, ହେଲେ ଏହା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହେଉଥିବା ଦଳର ଅଡିଟ ରିପୋର୍ଟରେ ପ୍ରତିଫଳିତ ହେବା ଉଚିତ। ମାତ୍ର ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ସର୍ବଶେଷ ବାର୍ଷିକ ବିବରଣୀରେ ଏହା ପ୍ରତିଫଳିତ ହୋଇନାହିଁ।

Advertisment

ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ୩୬ଟି ଆଂଚଳିକ ଦଳର ୨୦୨୧-୨୨ ବାର୍ଷିକ ରିପୋର୍ଟ ଅନୁଯାୟୀ, ବିଜେଡି ମୋଟା ଆକାରରେ ଚାନ୍ଦା ପାଉଥିଲେ ମଧ୍ୟ ଖୁବ୍ କମ୍ ଖର୍ଚ୍ଚ କରୁଛି। ୨୦୨୦-୨୧ ଆର୍ଥିକ ବର୍ଷରେ ବିଜେଡି ୭୩.୩୪ କୋଟି ଟଙ୍କାର ଚାନ୍ଦା ପାଇଥିଲା ବେଳେ ମାତ୍ର ୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ଅର୍ଥାତ୍ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ଗୋଟିଏ ବର୍ଷରେ ୩୦୭.୨୮ କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ମାତ୍ର ୨୮.୬୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏଥିରୁ କେବଳ ନିର୍ବାଚନରେ ପ୍ରାୟ ୮୦ ପ୍ରତିଶତ ଅର୍ଥାତ୍ ୨୩.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଜେଡି ଦର୍ଶାଇଛି।

ADR ଏଡିଆର ରିପୋର୍ଟ

ଏହା ବ୍ୟତୀତ କର୍ମଚାରୀଙ୍କୁ ଦରମା ବାବଦରେ ୦.୭୮ କୋଟି ଓ ପ୍ରଶାସନିକ ଓ ସାଧାରଣ ଖର୍ଚ୍ଚ ବାବଦରେ ୦.୨୬ କୋଟି ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୪.୫୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛି। ୨୦୨୧ ଜୁଲାଇ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଦଳର ବିଶାଳ ବିଲଡିଂ ପାଇଁ ଶୁଭ ଦେଇଥିଲେ ଓ ଦ୍ରୁତ ଗତିରେ କାମ ଆଗେଇ ଚାଲିଥିଲା। ତା’ ପରେ ୨୦୨୧-୨୨ ଆର୍ଥିକ ବର୍ଷର ବଳକା ୮ ମାସରେ ଅର୍ଥାତ୍ ମାର୍ଚ୍ଚ ଶେଷ ସୁଦ୍ଧା କାମ ଯଥେଷ୍ଟ ଆଗେଇ ଯାଇଥିବାବେଳେ ଖର୍ଚ୍ଚରେ ତାହା ପ୍ରତିଫଳିତ ନହେବା ସନ୍ଦେହ ବଢ଼ାଇ ଦେଇଛି।

ସମ୍ଭବତଃ ବିଜେଡି ଦଳକୁ ଆସୁଥିବା ଚାନ୍ଦା ବାହାରେ ଓ ହିସାବ ବାହାରେ କେଉଁ କମ୍ପାନୀ ବା ବ୍ୟକ୍ତିଙ୍କଠାରୁ ଅର୍ଥ ନେଇ ଏହି ସୁରମ୍ୟ ଅଟ୍ଟାଳିକା କରିଥିବା ସନ୍ଦେହ ହେଉଛି। ଏ ନେଇ ଆମେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ନେବାକୁ ଫୋନ୍ ଓ ମେସେଜ୍ କରିଥିଲେ ସୁଦ୍ଧା ତାହା ମିଳିପାରିନାହିଁ।

(ରିପୋର୍ଟ: ଭୁବନେଶ୍ୱରରୁ ସ୍ୱାତୀ ଜେନା ଓ ଲକ୍ଷ୍ମୀନାରାୟଣ କାନୁନଗୋ)

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe