ପ୍ରଥମ ଟେଷ୍ଟ: ୧୦୭ ରନରେ ଜିତିଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିୟନ୍‌: ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ୧୦୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଖାତା ଖୋଲିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ମୂଳପୋଛ ହୋଇଥିଲା। ମୁକାବିଲାକୁ ଜିତିବା ପାଇଁ ଇଂଲଣ୍ଡକୁ ୩୭୬ ରନ୍ ଦରକାର ଥିଲା, କିନ୍ତୁ ଲୋୟର୍ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁ […]

saf

Ranjit Kumar Jena
  • Published: Sunday, 29 December 2019
  • , Updated: 29 December 2019, 10:19 PM IST

ସେଞ୍ଚୁରିୟନ୍‌: ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ୧୦୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଖାତା ଖୋଲିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ମୂଳପୋଛ ହୋଇଥିଲା। ମୁକାବିଲାକୁ ଜିତିବା ପାଇଁ ଇଂଲଣ୍ଡକୁ ୩୭୬ ରନ୍ ଦରକାର ଥିଲା, କିନ୍ତୁ ଲୋୟର୍ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁ ଭ୍ରମଣକାରୀ ଟିମ୍ ଚତୁର୍ଥ ଦିନରେ ୨୬୮ ରନରେ ଅଲଆଉଟ୍ ହୋଇଯାଇଥିଲା।

ଏହି ମ୍ୟାଚ୍ ଏକ ସମୟରେ ଇଂଲଣ୍ଡ କବଜାରେ ଥିଲା, କିନ୍ତୁ ସ୍ପିନର କେଶବ ମହାରାଜ ବେନ୍ ଷ୍ଟୋକ୍ସଙ୍କୁ କ୍ଲିନ୍ ବୋଲ୍ଡ କରି ମୁକାବିଲାକୁ ଦକ୍ଷିଣ ଆଫ୍ରିକା ନିୟନ୍ତ୍ରଣରେ କରିଥିଲେ। ଷ୍ଟୋକ୍ସ (୧୪) ଓ କ୍ୟାପଟେନ୍ ଜୋ ରୁଟ୍ (୪୮) ଦକ୍ଷିଣ ଆଫ୍ରିକା ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲେ, କିନ୍ତୁ ଏଥିରେ ସେମାନେ ସଫଳ ହୋଇନଥିଲେ। ଷ୍ଟୋକ୍ସଙ୍କ ଆଉଟ୍ ହେବା ପରେ ଦକ୍ଷିଣ ଆଫ୍ରିକା ତୁରନ୍ତ ନୂଆ ବଲ ନେଇଥିଲା, ଯାହା ପରେ କାଗିସୋ ରବାଡା ଏବଂ ଆନରିଚ୍ ନୋର୍ଟଜେ ମହତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିଥିଲେ। ରବାଡା ନୂଆ ବଲର ପ୍ରଥମ ଓଭରରେ ହିଁ ଜନ୍ନି ବେୟାରଷ୍ଟୋ (୯)ଙ୍କୁ ଜୁବେର୍ ହମଜାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିବା ବେଳେ ନୋର୍ଟଜେ ରୁଟଙ୍କର ମୂଲ୍ୟବାନ୍ ୱିକେଟ୍ ନେଇଥିଲେ। ପୂର୍ବରୁ ସେ (ନୋର୍ଟଜେ) ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୮୪ ରନ୍ କରିଥିବା ରୋରୀ ବର୍ନସଙ୍କୁ ମଧ୍ୟ ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଦିବସର ପ୍ରଥମ ସଫଳତା ଦେଇଥିଲେ।

ବର୍ନସଙ୍କ ସହ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜୋ ଡେନଲୀ ରବିବାର ୧୨୧/୧ରୁ ଖେଳ ଆରମ୍ଭ କରିଥିଲେ। ତେବେ ଦକ୍ଷିଣ ଆଫ୍ରିକାର ଶୃଙ୍ଖଳିତ ବୋଲିଂ ଆଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ରନ୍ କରିବା ସହଜ ହୋଇନଥିଲା। ପ୍ରଥମ ସେସନରେ ବର୍ନସ୍ ଓ ଡେନଲୀ (୩୧) ପ୍ୟାଭିଲିୟନ୍ ଫେରିଥିଲେ। ବର୍ନସ୍ ସକାଳେ ୧ ଘଣ୍ଟା କ୍ରିଜରେ ବିତାଇବା ସତ୍ତ୍ୱେ ନିଜର ପୂର୍ବଦିନର ସ୍କୋରରେ ମାତ୍ର ୭ ରନ୍ ଯୋଡ଼ିପାରିଥିଲେ। ଭର୍ନନ୍ ଫିଲାଣ୍ଡର ଓ ରବାଡା ଲଗାତର ବର୍ନସ୍ ଓ ଡେନଲୀଙ୍କ ଉପରେ ଚାପ ପକାଇଥିଲେ। ବର୍ନସ୍ ନିଜର ଲଢ଼ୁଆ ଇନିଂସ ମଧ୍ୟରେ ୧୫୪ ବଲ୍ ଖେଳି ୧୧ ଚୌକା ମାରିଥିଲେ।

ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜୋ ଡେନଲୀ ୩୧ ରନ୍ କରି ଡ୍ୱେନ୍ ପ୍ରିଟୋରିୟସଙ୍କ ଶିକାର ହୋଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ (୨୨) କିଛି ଖାସ କରିପାରିନଥିଲେ ଏବଂ ସେ ରବାଡାଙ୍କ ବଲରେ ପ୍ରିଟୋରିୟଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଇଂଲଣ୍ଡର ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ଆଦୌ ସଂଘର୍ଷ କରିନଥିଲେ, ଯାହାର ଫାଇଦା ଦକ୍ଷିଣ ଆଫ୍ରିକା ବୋଲରମାନେ ଉଠାଇଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ୧୦୩ ରନ୍ ଦେଇ ୪ଟି, ନୋର୍ଟଜେ ୫୬ ରନ୍ ଦେଇ ୩ଟି ଏବଂ ମହାରାଜ ୩୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୮୪ ରନ୍ କରିଥିବା ବେଳେ ଇଂଲଣ୍ଡ ୧୮୧ ରନରେ ଅଲଆଉଟ୍ ହୋଇଥିଲା। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୨୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଉଭୟ ଇନିଂସରେ ଯଥାକ୍ରମେ ୯୫ ଓ ୩୪ ରନର ଇନିଂସ୍ ଖେଳିଥିବା କ୍ୱିଣ୍ଟନ୍ ଡି'କକ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Related story