ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଦ୍ୱିତୀୟ ଦିନିକିଆ ଖେଳାଯାଉଛି। ଏହି ମ୍ୟାଚରେ ବିରାଟ୍ କୋହଲିଙ୍କ ଶତକ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୭୯ ରନ୍ କରିଛି। ଫଳରେ ମ୍ୟାଚ୍ ଜିତିବା ପାଇଁ ଘରୋଇ ଟିମକୁ ୨୮୦ ରନ୍ କରିବାକୁ ପଡ଼ିବ।
କୋହଲି ୧୨୫ ବଲରେ ୧୪ ଚୌକା ଓ ୧ ଛକା ସହ ୧୨୦ ଏବଂ ଆୟର୍ ୬୮ ବଲରେ ୫ ଚୌକା ଓ ୧ ଛକା ସହ ୭୧ ରନ୍ କରିଛନ୍ତି। ଜବାବରେ ରିପୋର୍ଟ ଲେଖା ହେଲା ବେଳକୁ ୱେଷ୍ଟଇଣ୍ଡିଜ୍ ୮ ଓଭରରେ ବିନା ୱିକେଟ ହରାଇ ୩୪ ରନ୍ କରିଛି । କ୍ରିସ୍ ଗେଲ୍ ୬ ଓ ଏଭିନ୍ ଲୁଇସ୍ ୨୨ ରନରେ ବ୍ୟାଟିଂ କରୁଛନ୍ତି।
ତେବେ କୋହଲି ଓ ଆୟର୍ ଶତକୀୟ (୧୨୫ ରନ୍) ଭାଗୀଦାରୀ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଭାରତର ସ୍କୋର ୨୨୬ ଥିବା ବେଳେ ବିରାଟଙ୍କୁ କାର୍ଲସ ବ୍ରାଥୱେଟ୍ ଆଉଟ୍ କରି ୱିଣ୍ଡିଜକୁ ବଡ଼ ସଫଳତା ଦେଇଥିଲେ। ଆୟରଙ୍କ କ୍ୟାପଟେନ୍ ଜେସନ୍ ହୋଲ୍ଡର କ୍ଲିନ୍ ବୋଲ୍ଡ କରିଥିଲେ। ଦୁହିଁଙ୍କ ଆଉଟ୍ ପରେ ଭାରତର ରନ୍ ଗତି କମିଯାଇଥିଲା।
କେଦାର ଯାଦବ ବ୍ୟକ୍ତିଗତ ୧୬ ରନ୍ କରି ରନ୍ ଆଉଟ୍ ହୋଇଥିବା ବେଳେ ଭୁବନେଶ୍ୱର କୁମାର ୧ ରନ୍ କରି ବ୍ରାଥୱେଟଙ୍କ ଶିକାର ହୋଇଥିଲେ। ରବୀନ୍ଦ୍ର ଜାଡେଜା ୧୬ ଓ ମହମ୍ମଦ ଶାମି ୧ ରନ୍ କରି ଅପରାଜିତ ଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବ୍ରାଥୱେଟ୍ ୩ଟି ୱିକେଟ୍ ନେଇଥିଲେ।