ବୁଧବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ଶେଷ ଦିନିକିଆ

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ପୋର୍ଟ ଅଫ୍ ସ୍ପେନରେ ବୁଧବାର ଖେଳାଯିବ। ଏହି ମୁକାବିଲା ଜିତି ବିରାଟ୍ ଆଣ୍ଡ କୋ. ସିରିଜକୁ ହାତେଇବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସଦୃଶ ହେବ। କାରଣ ପ୍ରଥମ ମ୍ୟାଚ୍ ବାତିଲ ହେବା ପରେ ଦ୍ୱିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ପରାସ୍ତ ହୋଇଥିଲା। ତେଣୁ ସିରିଜ୍ ବଞ୍ଚାଇବା ପାଇଁ ୱେଷ୍ଟଇଣ୍ଡିଜ୍ ପାଖରେ ଏହା ଶେଷ […]

virat

Ranjit Kumar Jena
  • Published: Tuesday, 13 August 2019
  • , Updated: 13 August 2019, 05:20 PM IST

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ପୋର୍ଟ ଅଫ୍ ସ୍ପେନରେ ବୁଧବାର ଖେଳାଯିବ। ଏହି ମୁକାବିଲା ଜିତି ବିରାଟ୍ ଆଣ୍ଡ କୋ. ସିରିଜକୁ ହାତେଇବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ଏହି ମ୍ୟାଚ୍ 'କର ବା ମର' ସଦୃଶ ହେବ। କାରଣ ପ୍ରଥମ ମ୍ୟାଚ୍ ବାତିଲ ହେବା ପରେ ଦ୍ୱିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ପରାସ୍ତ ହୋଇଥିଲା। ତେଣୁ ସିରିଜ୍ ବଞ୍ଚାଇବା ପାଇଁ ୱେଷ୍ଟଇଣ୍ଡିଜ୍ ପାଖରେ ଏହା ଶେଷ ସୁଯୋଗ।

ଭାରତ ପାଇଁ ଚିନ୍ତାର ବିଷୟ ହେଉଛି ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଖରାପ ଫର୍ମ। ଧୱନ୍ ଲଗାତାର ୪ଟି ମ୍ୟାଚରେ ବିଫଳ ହେବା ପରେ ବଡ଼ ଇନିଂସ୍ ଖେଳିବାକୁ ନିଶ୍ଚୟ ବ୍ୟଗ୍ର ଥିବେ। ଟି-୨୦ ସିରିଜରେ ଯଥାକ୍ରମେ ୧, ୨୩ ଓ ୩ ରନର ଇନିଂସ୍ ଖେଳିଥିବା ଧୱନ୍ ଦ୍ୱିତୀୟ ଦିନିକିଆରେ ମାତ୍ର ୨ ରନ୍ କରିପାରିଥିଲେ। ଭିତରକୁ ଆସୁଥିବା ବଲକୁ ଖେଳିବାରେ ଧୱନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି ଏବଂ ଶେଲଡନ୍ କଟ୍ଟରେଲ୍ ତାଙ୍କୁ ଦୁଇଥର ଆଉଟ୍ କରିଛନ୍ତି। ଧୱନ୍ ଟେଷ୍ଟ ଟିମରେ ନାହାନ୍ତି ଏବଂ ଏଭଳି ସ୍ଥିତିରେ ସେ ସ୍ମରଣୀୟ ଇନିଂସ୍ ଖେଳି ନିଜର କ୍ୟାରିବିୟାନ୍ ଗସ୍ତ ଶେଷ କରିବାକୁ ଚାହିଁବେ।

ଭାରତୀୟ ଟିମରେ ୪ ନମ୍ବର ସ୍ଥାନ ପକ୍କା କରିବା ନେଇ ଦ୍ୱନ୍ଦ୍ୱ ଚାଲିଛି। ଶ୍ରେୟସ୍ ଆୟର୍ ଦ୍ୱିତୀୟ ଦିନିକଆରେ ଦମଦାର ଇନିଂସ୍ ଖେଳି ରିଷଭ ପନ୍ତଙ୍କ ଉପରେ ଚାପ ପକାଇଛନ୍ତି। ପନ୍ତଙ୍କୁ ଟିମ୍ ମ୍ୟାନେଜମେଣ୍ଟ୍ ଏବଂ ବିଶେଷକରି ବିରାଟ୍ କୋହଲିଙ୍କ ଲଗାତାର ସମର୍ଥନ ମିଳିଆସୁଛି। କିନ୍ତୁ ତାଙ୍କର ଲଗାତାର ବିଫଳତା ଏବଂ ଦ୍ୱିତୀୟ ଦିନିକିଆରେ ଆୟରଙ୍କ ୬୮ ବଲରେ ୭୧ ରନର ଇନିଂସ୍ ସବୁକିଛି ବଦଳାଇ ଦେଇଛି।

ପନ୍ତଙ୍କ ମାନସିକତା ଚିନ୍ତାର ବିଷୟ, କାରଣ ଅନେକ ସମୟରେ ସେ ଖରାପ ଶଟ୍ ଖେଳି ନିଜ ୱିକେଟ୍ ଦେଇବସନ୍ତି। କୌଣସି ଟିମ୍ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ଜଣେ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବାକୁ ଚାହିଁବ। ରବିବାର ଆୟରଙ୍କ ଦମଦାର ଇନିଂସ୍, ତାଙ୍କୁ ଚତୁର୍ଥ ନମ୍ବର ପାଇଁ ମଜଭୁତ୍ କରିଛି। ଦ୍ୱିତୀୟ ଦିନିକିଆରେ ୧୨୫ ବଲରେ ୧୨୦ ରନର ଶତକୀୟ ଇନିଂସ୍ ଖେଳିଥିବା କୋହଲି ମଧ୍ୟ ନିଜର ଫର୍ମ ଜାରି ରଖିବାକୁ ଚାହିଁବେ। ଧୱନ୍, ରୋହିତ୍ ଶର୍ମା ଓ ପନ୍ତଙ୍କ ସଅଳ ଆଉଟ୍ ହେବା ପରେ କୋହଲିଙ୍କ ସହ ମିଶି ଆୟର୍ ଇନିଂସକୁ ସୁଧାରିଥିଲେ।

ଭୁବନେଶ୍ୱର କୁମାର ଗତ ମ୍ୟାଚରେ ୮ ଓଭରରେ ୩୧ ରନ୍ ଦେଇ ୪ଟି ୱିକେଟ୍ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ। ଆସନ୍ତାକାଲି ମଧ୍ୟ ସେ ନିଜର ଏହି ଦମଦାର ପ୍ରଦର୍ଶନକୁ ଦୋହରାଇବାକୁ ଚାହିଁବେ। ଭୁବନେଶ୍ୱରଙ୍କ ପେସ୍ ଯୋଡ଼ିଦାର ମହମ୍ମଦ ଶାମି ଏବଂ କୁଲଦୀପ ଯାଦବ ମଧ୍ୟ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ। ବାମହାତୀ ସ୍ପିନର୍ କୁଲଦୀପ ରନ୍ ଗତିରେ ଅଙ୍କୁଶ ଲଗାଇବାକୁ ପ୍ରୟାସ କରିବେ, କାରଣ ଦ୍ୱିତୀୟ ମ୍ୟାଚରେ ସେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଟିମ୍ ବିଜୟ ହାସଲ କରିଥିବା ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବାକୁ ଆଦୌ ପ୍ରାଥମିକତା ଦିଏ ନାହିଁ, କିନ୍ତୁ କୋହଲି ଅନ୍ତିମ ଦିନିକିଆରେ ଶାମିଙ୍କୁ ବିଶ୍ରାମ ଦେଇ ନଭଦୀପ ସାଇନିଙ୍କୁ ସୁଯୋଗ ଦେଇପାରନ୍ତି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଚାହିଁବ। ଭାରତକୁ ହରାଇବା ପାଇଁ ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନଙ୍କୁ ଅଧିକ ଦାୟିତ୍ୱବାନ୍ ଭାବେ ବ୍ୟାଟିଂ କରିବାକୁ ପଡ଼ିବ। ଟିମ୍ ପାଖରେ ଶାଇ ହୋପ୍, ଶିମରନ୍ ହେଟମେୟର୍ ଓ ନିକୋଲାସ ପୁରନଙ୍କ ଭଳି ଯୁବ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ଅଛନ୍ତି, କିନ୍ତୁ ସେମାନେ ଆଶାମୁତାବକ ପ୍ରଦର୍ଶନ କରିପାରିନାହାନ୍ତି। ଭେନେଟରାନ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ପ୍ରଥମ ଦୁଇଟି ମ୍ୟାଚରେ ନିରାଶ କରିଥିବା ବେଳେ ଆସନ୍ତାକାଲି ତାଙ୍କଠାରୁ ବଡ଼ ଇନିଂସ୍ ଆଶା କରାଯାଉଛି। ଯଦି ଗେଲ୍ କ୍ଲିକ୍ କରନ୍ତି, ତାହେଲେ ୱେଷ୍ଟଇଣ୍ଡିଜ୍ ବଡ଼ ସ୍କୋର କରିବାରେ ସଫଳ ହେବ। ଆସନ୍ତାକାଲି ଶେଷ ଦିନିକିଆ ପରେ ଦୁଇ ଟିମ୍ ମଧ୍ୟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଆଣ୍ଟିଆଠାରେ ୨୨ ତାରିଖରୁ ଆରମ୍ଭ ହେବ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, କେଦାର ଯାଦବ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ନଭଦୀପ ସାଇନି।

ୱେଷ୍ଟଇଣ୍ଡିଜ୍: ଜେସନ୍ ହୋଲ୍ଡର୍ (କ୍ୟାପଟେନ୍), କ୍ରିସ୍ ଗେଲ୍, ଜନ୍ କ୍ୟାମ୍ପବେଲ୍, ଏଭିନ୍ ଲୁଇସ୍, ଶାଇ ହୋପ୍, ଶିମରନ୍ ହେଟମେୟର୍, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, ଫାବିଆନ୍ ଆଲେନ୍, କାର୍ଲସ୍ ବ୍ରାଥୱେଟ୍, କୀମୋ ପଲ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ, କେମାର ରୋଚ୍।

Related story