ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ସରିଯାଇଛି। ଅଷ୍ଟ୍ରେଲିଆରେ ହୋଇଥିବା ଏହି ସିରିଜ୍ରେ ଭାରତ ବିଜୟୀ ହୋଇ ଇତିହାସ ରଚିଛି। କାରଣ ୟା ପୂର୍ବରୁ ଦଳ କେବେ ବି ସେଠାରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତି ନ ଥିଲା। ଏହି ସିରିଜ୍ରେ ଭାରତ ୨-୧ରେ ଜିତିଥିଲା। ଟେଷ୍ଟ୍ ସିରିଜ୍ ସହ ଦିନିକିଆ ସିରିଜ୍ ଜିତିବା ପରେ ଏହ ଭାରତର ସଫଳତମ ଅଷ୍ଟ୍ରେଲିଆ ଗସ୍ତ ବୋଲି କୁହାଯାଉଛି। ଟି-ଟ୍ୱେଣ୍ଟି ସିରିଜ୍ରେ ବି ଭାରତ ହାରି ନଥିଲା। ଏହି ସିରିଜ୍ ଡ୍ର’ରେ ଶେଷ ହୋଇଥିଲା।
ଦିନିକିଆ ସିରିଜ୍ରେ ଦୁଇ ଦେଶର ଅଧିନାୟକ ଅର୍ଥାତ୍ ବିରାଟ କୋହଲି ଓ ଆରୋନ୍ ଫିଞ୍ଚଙ୍କ ମଧ୍ୟରେ ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଥିଲା। ସିରିଜ୍ରେ ତିନିଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଅଧିନାୟକ ବିରାଟ କୋହଲି ସବୁ ଥର ବିପକ୍ଷ ଦଳର ସମାନ ବୋଲରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ସେହିଭଳି ଫିଞ୍ଚଙ୍କୁ ମଧ୍ୟ ଭାରତର ଜଣେ ବୋଲର ସିରିଜ୍ର ସବୁ ମ୍ୟାଚ୍ରେ ଆଉଟ୍ କରିଥିଲେ।
ବିରାଟ ପ୍ରଥମ ମ୍ୟାଚ୍ରେ ୩ ରନ୍ କରି ଜେ. ରିଚାର୍ଡସନ୍ଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍ରେ ସେ ୧୦୪ ରନ୍ କରିଥିବା ବେଳେ ରିଚାର୍ଡସନ୍ଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏଥିରେ ବି ବିରାଟ କ୍ୟାଚ୍ ଆଉଟ୍ ହୋଇଥିଲେ। ତୃତୀୟ ମ୍ୟାଚ୍ରେ ମଧ୍ୟ ସେ ୪୬ ରନ୍ କରି ରିଚାର୍ଡସନ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।