ସନ୍ନ୍ୟାସ ପରେ କ'ଣ କରିବେ ଧୋନି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବିଦାୟ ନେଇସାରିଛି। ଏହା ପରାଜୟ ପରେ ଟିମରୁ କିଛି ଖେଳାଳିଙ୍କ ବିଦା ହେବା ନିଶ୍ଚିତ। ଏହାଛଡ଼ା ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ବିଶ୍ୱର ମହାନ୍ କ୍ୟାପଟେନଙ୍କ ମଧ୍ୟରୁ ଅନ୍ୟତମ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ପ୍ରାୟତଃ ଶେଷ ହୋଇଛି। କେବଳ ତାଙ୍କ ସନ୍ନ୍ୟାସ ନେବାର ଔପଚାରିକତା ବାକି ରହିଛି ଏବଂ ଏହା ଆଗାମୀ ଦିନରେ ଶୀଘ୍ର ଜଣାପଡ଼ିଯିବ। […]

dhoni1

Hemant Lenka
  • Published: Friday, 12 July 2019
  • , Updated: 12 July 2019, 06:33 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବିଦାୟ ନେଇସାରିଛି। ଏହା ପରାଜୟ ପରେ ଟିମରୁ କିଛି ଖେଳାଳିଙ୍କ ବିଦା ହେବା ନିଶ୍ଚିତ। ଏହାଛଡ଼ା ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ବିଶ୍ୱର ମହାନ୍ କ୍ୟାପଟେନଙ୍କ ମଧ୍ୟରୁ ଅନ୍ୟତମ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ପ୍ରାୟତଃ ଶେଷ ହୋଇଛି।

କେବଳ ତାଙ୍କ ସନ୍ନ୍ୟାସ ନେବାର ଔପଚାରିକତା ବାକି ରହିଛି ଏବଂ ଏହା ଆଗାମୀ ଦିନରେ ଶୀଘ୍ର ଜଣାପଡ଼ିଯିବ। ତେବେ ଅବସର ପରେ ଧୋନି କ'ଣ କରିବେ, ତାକୁ ସମସ୍ତେ ଚିନ୍ତିତ। ଧୋନିଙ୍କ ଅବସର ପରର ଯୋଜନାକୁ ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହୁଛନ୍ତି। ତେଣୁ ଆସନ୍ତୁ ଜାଣିବା ଅବସର ପରେ ଧୋନି କେଉଁ କେଉଁ କାମ କରିପାରନ୍ତି।

ଟିମ୍ ଇଣ୍ଡିଆ କୋଚ୍ ହୋଇପାରନ୍ତି: ଧୋନିଙ୍କୁ କ୍ରିକେଟ୍ ଜଗତର ସବୁଠାରୁ ସଫଳ କ୍ୟାପଟେନ୍ କୁହାଯାଏ ଏବଂ ସେ ନିଜର ଖେଳ, ଫିଟନେସ୍ ଏବଂ ନିଷ୍ପତ୍ତି ନେବାର ଦକ୍ଷତା ବାରମ୍ବାର ପ୍ରମାଣିତ କରିସାରିଛନ୍ତି। ଏହାଛଡ଼ା ପରିସ୍ଥିତିକୁ ପରଖିବା ଏବଂ ମଜଭୁତ୍ ରଣନୀତି ପ୍ରସ୍ତୁତ କରିବା ମାମଲାରେ ଧୋନିଙ୍କ ନିକଟତର କେହି ନାହାନ୍ତି। ଏଭଳି ସ୍ଥିତିରେ ଧୋନି ହୁଏତ ଖେଳରୁ ଅବସର ନେଇପାରନ୍ତି, କିନ୍ତୁ କ୍ରିକେଟ୍ ପ୍ରତି ତାଙ୍କର ସେବା ଜାରି ରହିପାରେ। ଭାରତୀୟ କ୍ରିକେଟ୍ ବୋର୍ଡ ସହ ଧୋନିଙ୍କ ସମ୍ପର୍କ ବହୁତ ଭଲ ଏବଂ ତାଙ୍କ ପାଖରେ କୋଚ୍ ହେବାର ଉପଯୁକ୍ତ ଯୋଗ୍ୟତା ମଧ୍ୟ ଅଛି। ୨୦୧୧ରେ ନିଜ ନେତୃତ୍ୱରେ ଭାରତକୁ ବିଶ୍ୱକପ୍ ଜିତାଇଥିବା ଧୋନି ହୁଏତ ୨୦୨୩ରେ ମୁଖ୍ୟ କୋଚ୍ ଭାବେ ଟିମ୍ ଇଣ୍ଡିଆକୁ ଆଉ ଏକ ଟ୍ରଫି ଦେଇପାରନ୍ତି। କାରଣ ଟିମ୍ ଇଣ୍ଡିଆର ପ୍ରତିଟି ସଦସ୍ୟଙ୍କୁ ଧୋନିଙ୍କ ପରାମର୍ଶର ଆବଶ୍ୟକତା ରହିଛି।

ହୋଇପାରନ୍ତି କମେଣ୍ଟେଟର୍: ବର୍ତ୍ତମାନ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଅନେକ ଭାରତୀୟ କ୍ରିକେଟର୍ କମେଣ୍ଟ୍ରି କ୍ଷେତ୍ରରେ ପାଦ ଥାପିଛନ୍ତି। ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ, ବୀରେନ୍ଦ୍ର ସେହ୍ୱାଗଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ବି କମେଣ୍ଟେଟର ହୋଇଛନ୍ତି। ଏପରିକି ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଏହି ଅବତାରରେ ଦେଖିବାକୁ ମିଳିଛି। ତେଣୁ ସମ୍ଭାବନା ଅଛି ଯେ, ଧୋନି ନିଜର ଜ୍ଞାନ ଏବଂ ଅଭିଜ୍ଞତାର ଉପଯୋଗ କମେଣ୍ଟ୍ରି କ୍ଷେତ୍ରରେ କରିପାରନ୍ତି। ତେବେ ଏହା କେବଳ ଏକ ଅନୁମାନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ରାଜନୀତିରେ ପାଦ ଦେଇପାରନ୍ତି: ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ୍ ଅନେକଥର ରାଜନେତାଙ୍କ ସହ ସାକ୍ଷାତ କରିଛନ୍ତି। ଦେଶର ରାଜନୀତି କଥା କହିଲେ, ଭାରତୀୟ ଜନତା ପାର୍ଟି (ବିଜେପି)ର ଅନେକ ନେତା ସୁଯୋଗ ପାଇଲେ ଧୋନିଙ୍କୁ ସାକ୍ଷାତ କରିଥାନ୍ତି। ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ଦେଶର ଗୃହମନ୍ତ୍ରୀ ରାଜନାଥ ସିଂହ, ଅମିତ୍ ଶାହ ଲୋକସଭା ନିର୍ବାଚନ ପୂର୍ବରୁ ଧୋନିଙ୍କୁ ରାଞ୍ଚିରେ ସାକ୍ଷାତ କରିଥିଲେ। ନିକଟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଞ୍ଜୟ ପାସୱାନ୍ କହିଥିଲେ, ଧୋନି ବିଜେପିର ସଦସ୍ୟତା ଗ୍ରହଣ କରନ୍ତୁ, ଏଥିପାଇଁ ତାଙ୍କ ସହ ବହୁ ଆଲୋଚନା ମଧ୍ୟ ହୋଇଛି। ତେଣୁ ଏଥିରୁ ଆକଳନ କରାଯାଉଛି ଯେ, ଧୋନି ରାଜନୀତିରେ ପାଦ ଦେଇପାରନ୍ତି।

ଏହି ସମ୍ବନ୍ଧରେ ଧୋନିଙ୍କ ମ୍ୟାନେଜର ଅରୁଣ ପାଣ୍ଡେ କୁହନ୍ତି ଯେ, କ୍ରିକେଟରୁ ଅଲବିଦା କହିବା ପରେ ଧୋନି ଏହି ଖେଳ ସହ କୌଣସି ଭାବେ ଜଡ଼ିତ ରହିବେ ନାହିଁ। ତେବେ ଏହା କେବଳ ଏକ ଅନୁମାନ ଥିଲା। କିନ୍ତୁ ଅବସର ପରେ ଧୋନି କ'ଣ କରିବେ, ତାହା କେବଳ ନିଜେ ହିଁ କହିପାରିବେ।

Related story