ଅଗଷ୍ଟ ୧୪: ସଚିନ ମାରିଥିଲେ ପ୍ରଥମ ଟେଷ୍ଟ ଶତକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର୍ ଆଜକୁ ଠିକ୍ ୨୯ ବର୍ଷ ପୂର୍ବେ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ମାରିଥିଲେ। ଏହା ପରଠାରୁ ତାଙ୍କର ଶହେ ଶତକର ଯାତ୍ରା ଆରମ୍ଭ ହୋଇଥିଲା। ଅଗଷ୍ଟ ୧୪, ୧୯୯୦ରେ ମ୍ୟାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଇଥିଲା। ବର୍ଷକ ପୂର୍ବେ ଅର୍ଥାତ୍ ୧୯୮୯ରେ ସଚିନ୍ ମାତ୍ର ୧୬ ବର୍ଷ ବସୟରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ […]

sachin

Ranjit Kumar Jena
  • Published: Wednesday, 14 August 2019
  • , Updated: 14 August 2019, 06:29 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର୍ ଆଜକୁ ଠିକ୍ ୨୯ ବର୍ଷ ପୂର୍ବେ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ମାରିଥିଲେ। ଏହା ପରଠାରୁ ତାଙ୍କର ଶହେ ଶତକର ଯାତ୍ରା ଆରମ୍ଭ ହୋଇଥିଲା। ଅଗଷ୍ଟ ୧୪, ୧୯୯୦ରେ ମ୍ୟାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଇଥିଲା।

ବର୍ଷକ ପୂର୍ବେ ଅର୍ଥାତ୍ ୧୯୮୯ରେ ସଚିନ୍ ମାତ୍ର ୧୬ ବର୍ଷ ବସୟରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟରେ ସଚିନ ୧୧୯ ରନର ଇନିଂସ୍ ଖେଳି କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ଚତୁର୍ଥ ଇନିଂସରେ ୪୦୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଭାରତ ୧୦୯ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଏହି ସମୟରେ ବ୍ୟାଟିଂ କରିବାକୁ ଆସିଥିଲେ ୧୭ ବର୍ଷୀୟ ବାଳକ ସଚିନ। ଇଂଲଣ୍ଡ ବୋଲରମାନେ ଭାବିଥିଲେ ଯେ, ସଚିନଙ୍କୁ ଶସ୍ତାରେ ଆଉଟ୍ କରି ଭାରତକୁ ଅଲଆଉଟ୍ କରିଦେବେ।

ସଚିନଙ୍କ ଆସିବା ପରେ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ ଓ କପିଲ୍ ଦେବ ଆଉଟ୍ ହୋଇଥିଲେ। ଏଥିସହ ଭାରତର ସ୍କୋର ୬ ୱିକେଟରେ ୧୮୩ ରନରେ ଥିଲା। ଭାରତକୁ ମ୍ୟାଚ୍ ବଞ୍ଚାଇବାକୁ ହେଲେ ସଚିନଙ୍କଠାରୁ ବଡ଼ ଇନିଂସ୍ ଆବଶ୍ୟକତା ହେଉଥିଲା। ସଚିନ୍ ମଧ୍ୟ ସୁଯୋଗର ଭରପୂର ଫାଇଦା ଉଠାଇଥିଲେ ଏବଂ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ତାଙ୍କୁ ମନୋଜ ପ୍ରଭାକର ଭଲ ସହଯୋଗ କରିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ଅପରାଜିତ ୧୬୦ ରନର ଭାଗୀଦାରୀ କରିଥିଲେ। ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ୩୪୩ ରନ୍ କରି ମ୍ୟାଚକୁ ଡ୍ର' କରିଥିଲା।

ସଚିନ୍ ୧୮୯ ବଲରେ ୧୭ ଚୌକା ସହ ୧୧୯ ଏବଂ ପ୍ରଭାକର ୬୭ ରନର ଇନିଂସ୍ ଖେଳିଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୫୧୯ ଏବଂ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୩୨୦ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସରେ ୪୩୨ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଆଝାରୁଦ୍ଦିନ ୧୭୯ ଓ ସଞ୍ଜୟ ମଞ୍ଜରେକର୍ ୯୩ ରନ୍ କରିଥିଲେ। ସଚିନ ମଧ୍ୟ ପ୍ରଥମ ଇନିଂସରେ ୬୮ ରନର ଇନିଂସ୍ ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଟ୍ୱିଟ୍ ଜରିଆରେ ସଚିନଙ୍କ ଏହି ଅବିଶ୍ୱସନୀୟ ଇନିଂସକୁ ସ୍ମରଣ କରିଛି।

Related story