ବିସିସିଆଇକୁ ରିପୋର୍ଟ ଦେଲା ଓସିଏ: ବାରବାଟୀରେ ଆଉ ପଶିବନି ପାଣି ବୋତଲ

କଟକ: ଅକ୍ଟୋବର ୫ରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ବେଳେ ଦର୍ଶକମାନେ ପଡ଼ିଆ ମଧ୍ୟକୁ ବୋତଲ ଫିଙ୍ଗି ଥିଲେ। ଏ ଘଟଣାକୁ ସାରା ଦେଶ ତଥା କ୍ରିକେଟ୍ ଖେଳୁଥିବା ରାଷ୍ଟ୍ରଗୁଡ଼ିକ ନାପସନ୍ଦ କରିଥିବା ବେଳେ ଏନେଇ ଆଜି ବିସିସିଆଇ ପକ୍ଷରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)କୁ ରିପୋର୍ଟ ମଗାଯାଇଥିଲା। ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଓସିଏକୁ ନିର୍ଦ୍ଦେଶ ଦେଇଥିଲେ ବିସିସିଆଇ ସଭାପତି ଶଶାଙ୍କ ମନୋହର। ରିପୋର୍ଟ ମଗାଯିବାର ଦୁଇ ଘଣ୍ଟା ମଧ୍ୟରେ ଏହାର ଉତ୍ତର […]

barabati

Rakesh Mallick
  • Published: Wednesday, 07 October 2015
  • , Updated: 08 October 2015, 03:00 AM IST

[caption id="attachment_38156" align="alignleft" width="202"] ଓସିଏ ସଂପାଦକ ଆଶୀର୍ବାଦ ବେହେରା[/caption]

କଟକ: ଅକ୍ଟୋବର ୫ରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ବେଳେ ଦର୍ଶକମାନେ ପଡ଼ିଆ ମଧ୍ୟକୁ ବୋତଲ ଫିଙ୍ଗି ଥିଲେ। ଏ ଘଟଣାକୁ ସାରା ଦେଶ ତଥା କ୍ରିକେଟ୍ ଖେଳୁଥିବା ରାଷ୍ଟ୍ରଗୁଡ଼ିକ ନାପସନ୍ଦ କରିଥିବା ବେଳେ ଏନେଇ ଆଜି ବିସିସିଆଇ ପକ୍ଷରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)କୁ ରିପୋର୍ଟ ମଗାଯାଇଥିଲା। ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଓସିଏକୁ ନିର୍ଦ୍ଦେଶ ଦେଇଥିଲେ ବିସିସିଆଇ ସଭାପତି ଶଶାଙ୍କ ମନୋହର। ରିପୋର୍ଟ ମଗାଯିବାର ଦୁଇ ଘଣ୍ଟା ମଧ୍ୟରେ ଏହାର ଉତ୍ତର ଦେଇଛି ଓସିଏ। ଓସିଏ ତରଫରୁ ବିସିସିଆଇକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଆଇସିସି ଗାଇଡଲାଇନ୍ ଅନୁଯାୟୀ ମ୍ୟାଚ୍ ଆୟୋଜିତ ହୋଇଥିଲା। କେବଳ ମାନବିକତା ଦୃଷ୍ଟିରୁ ୧ ଲିଟର ବା ତା’ଠାରୁ କମ୍ ପାଣି ବୋତଲ ନେଇ କି ଯିବାକୁ ଦର୍ଶକଙ୍କୁ ଅନୁମତି ଦିଆଯାଇଥିଲା। ମାତ୍ର ଦେଢ଼ ଶହରୁ ଦୁଇ ଶହ ଲୋକ ବୋତଲ ଫୋପାଡ଼ି ଥିଲେ। ଭବିଷ୍ୟତରେ ଆଇସିସିର ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଓ ଷ୍ଟାଡିୟମ ମଧ୍ୟରେ ପାଣି ବୋତଲକୁ ସଂପୂର୍ଣ୍ଣ ବ୍ୟାନ୍ କରାଯିବ। ଓସିଏର ରିପୋର୍ଟ ବିସିସିଆଇକୁ କେତେ ଦୂର ସନ୍ତୁଷ୍ଟ କରିପାରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଓସିଏ ସଂପାଦକ ଆଶୀର୍ବାଦ ବେହେରା କହିଛନ୍ତି, ବିସିସିଆଇ ରିପୋର୍ଟ ତଲବ କରି ନ ଥିଲେ। ଏମିତି ଘଟଣା କେମିତି ଘଟିଲା, ବୋତଲ କାହିଁକି ଷ୍ଟାଡିୟମ୍ ଭିତରକୁ ଛାଡ଼ିଲ ଓ ଏହା ଯଦି ଖେଳାଳିଙ୍କ ଦେହରେ ବାଜି ଥାଆନ୍ତା କ’ଣ ହୋଇଥାନ୍ତା ବୋଲି ପଚାରିଥିଲେ।  ତା’ସହିତ ଭବିଷ୍ୟତରେ ଯେମିତି ଏଭଳି ଘଟଣା ନ ଘଟେ ସେ ନେଇ ପ୍ରତିଶ୍ରୁତି ଦେବାକୁ ମଧ୍ୟ କହିଥିଲେ। ଉତ୍ତର ରଖିବା ପାଇଁ ବିସିସିଆଇ ପକ୍ଷରୁ ୪୮ ଘଣ୍ଟା ସମୟ ଦିଆଯାଇଥିଲା। କିନ୍ତୁ ୪ଟା ବେଳେ ଆମେ ଇ-ମେଲ୍ ଯୋଗେ ଚିଠି ପାଇବା ପରେ ୬ଟା ସୁଦ୍ଧା ଜବାବ ଦାଖଲ କରି ଦେଇଛୁ। ଆଶା କରୁଛୁ ଆମ ଜବାବରେ ବିସିସିଆଇ ସନ୍ତୁଷ୍ଟ ହେବ। ଭବିଷ୍ୟତରେ ଆଉ ଷ୍ଟାଡିୟମ୍ ଭିତରେ ପାଣି ବୋତଲକୁ ଅନୁମତି ଦିଆଯିବ ନାହିଁ ବୋଲି ବିସିସିଆଇକୁ ଦୃଢ଼ ପ୍ରତିଶ୍ରୁତି ଦିଆଯାଇଛି। ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ ନେବା ଉପରେ ଆଇସିସି ଜାରି କରିଥିବା କଟକଣାକୁ ସଂପୂର୍ଣ୍ଣ ଭାବେ ପାଳନ କରାଯିବ।

ଆଶୀର୍ବାଦ କହିଛନ୍ତି ଯେ ଭବିଷ୍ୟତରେ ଆଦୌ ବାରବାଟୀରେ ମ୍ୟାଚ୍ ବନ୍ଦ ହେବ ନାହିଁ। ଏନେଇ ସେ ଆଶାବାଦୀ ଅଛନ୍ତି। ୪୫ ହଜାର ଦର୍ଶକ ଖେଳ ଦେଖିବାକୁ ଆସିଥିଲେ। ସେଥିରୁ କେଇ ଜଣ ମାତ୍ର ବୋତଲ ଫୋପାଡ଼ିଛନ୍ତି। କିଛି ମୁଷ୍ଟିମେୟ ବ୍ୟକ୍ତି ଓସିଏକୁ ବଦନାମ କରିବା ପାଇଁ ଏଭଳି କାଣ୍ଡ ଭିଆଇ ଥିଲେ। ସେ ଯୁକ୍ତି କରିଛନ୍ତି ଯେ ୧୯୯୬ରେ କୋଲକାତାର ଇଡେନ୍ ଗାର୍ଡେନରେ ମଧ୍ୟ ଲକ୍ଷେରୁ ଅଧିକ ଦର୍ଶକ ହଙ୍ଗାମା କରିଥିଲେ। କିନ୍ତୁ ସେଠାରେ ମ୍ୟାଚ୍ ହେଉଛି। ତେଣୁ ଏ ଘଟଣା ନେଇ ବାରବାଟୀ ମ୍ୟାଚ୍ ପାଇବାରେ କିଛି ଅସୁବିଧା ହେବ ନାହିଁ। ୨୦୧୬ରେ ଭାରତରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅନୁଷ୍ଠିତ ହେବ। ସେତେବେଳେ ବାରବାଟୀରେ ଅଭ୍ୟାସ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ସେ ଦୃଢ଼ତାର ସହିତ କହିଛନ୍ତି।

ବୋତଲ ଫିଙ୍ଗା ଘଟଣା ପରେ ପୂର୍ବତନ କ୍ରିକେଟର୍ ତଥା ଭାଷ୍ୟକାର ସୁନୀଲ ଗାଭାସ୍କର ଦୁଇ ବର୍ଷ ପାଇଁ ବାରବାଟୀକୁ ବ୍ୟାନ୍ କରାଯିବା ଉଚିତ୍ ବୋଲି କହିଥିଲେ। ଅବଶ୍ୟ ଏନେଇ ଓସିଏ ସଂପାଦକ ଆର୍ଶୀବାଦ ବେହେରା ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଓ କଟୁ ମନ୍ତବ୍ୟ ଦେଇଥିଲେ। ତେବେ ୫ ତାରିଖ ମ୍ୟାଚ୍ ପରବର୍ତ୍ତୀ ସାମ୍ୱାଦିକ ସମ୍ମିଳନୀରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ଦର୍ଶକଙ୍କ ବିଶୃଙ୍ଖଳା ଘଟଣାକୁ ହାଲକା ଭାବେ ନେଇଥିଲେ। ସୁରକ୍ଷା ଦୃଷ୍ଟିରୁ କୌଣସି ଗୁରୁତର ବିପଦ ଆଶଙ୍କା ନଥିଲା ବୋଲି ଧୋନୀ କହିଥିଲେ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଘଟଣା ନେଇ ଓସିଏ ଓ ପୋଲିସକୁ ତାଗିଦ୍ କରିଥିଲେ।

 

Related story