କୋହଲିଙ୍କୁ କାହିଁକି ଏତେ ପ୍ରଶଂସା କରୁଛି ଅଷ୍ଟ୍ରେଲିଆ?

ନୂଆଦିଲ୍ଲୀ: ଆଉ ସପ୍ତାହକ ପରେ ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍ ଆରମ୍ଭ ହେବ। ଏହି ଦ୍ୱିପାକ୍ଷିକ ସିରିଜ୍ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ପ୍ରାକ୍ଟିସ୍ ଆରମ୍ଭ କରିଦେଇଛି। ନଭେମ୍ବର ୨୭ ତାରିଖରୁ ଦିନିକିଆ ସିରିଜ୍ ସହ ଏହି ଗସ୍ତ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ସବୁଥର ପରି ମାଇଣ୍ଡ୍ ଗେମ୍ ଆରମ୍ଭ କରିଦେଇଛି। ବିଶେଷକରି ଅଷ୍ଟ୍ରେଲିଆ ଏବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପଛରେ ପଡ଼ିଯାଇଛି। କୋଚ୍ ଜଷ୍ଟିନ୍ ଲାଙ୍ଗରଙ୍କଠାରୁ […]

virat

Ranjit Kumar Jena
  • Published: Wednesday, 18 November 2020
  • , Updated: 18 November 2020, 12:44 PM IST

ନୂଆଦିଲ୍ଲୀ: ଆଉ ସପ୍ତାହକ ପରେ ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍ ଆରମ୍ଭ ହେବ। ଏହି ଦ୍ୱିପାକ୍ଷିକ ସିରିଜ୍ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ପ୍ରାକ୍ଟିସ୍ ଆରମ୍ଭ କରିଦେଇଛି। ନଭେମ୍ବର ୨୭ ତାରିଖରୁ ଦିନିକିଆ ସିରିଜ୍ ସହ ଏହି ଗସ୍ତ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ସବୁଥର ପରି ମାଇଣ୍ଡ୍ ଗେମ୍ ଆରମ୍ଭ କରିଦେଇଛି। ବିଶେଷକରି ଅଷ୍ଟ୍ରେଲିଆ ଏବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପଛରେ ପଡ଼ିଯାଇଛି। କୋଚ୍ ଜଷ୍ଟିନ୍ ଲାଙ୍ଗରଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ୱ' ଓ ମାର୍କ ଟେଲର୍ ଭାରତୀୟ କ୍ୟାପଟେନଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଦୁନିଆର ସବୁଠାରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ମଧ୍ୟ ବିବେଚନା କରିଛନ୍ତି।

କେବଳ ଏତିକି ନୁହେଁ, ଯେଉଁମାନେ କୋହଲିଙ୍କୁ ପ୍ରଶଂସା କରିଛନ୍ତି, ସେମାନଙ୍କ ମୁହଁରେ ଗୋଟିଏ ସାଧାରଣ କଥା ହେଲା ଯେ ଟେଷ୍ଟ ସିରିଜରେ କୋହଲିଙ୍କ ଅନୁପସ୍ଥିତି ନୈରାଶ୍ୟଜନକ। ତେବେ କୌଣସି ଭାରତୀୟ ଖେଳାଳିଙ୍କ ସପକ୍ଷରେ ଏଭଳି ମନ୍ତବ୍ୟ ଦେବା ଅଷ୍ଟ୍ରେଲିଆ ପାଇଁ ନୂଆ କଥା ନୁହେଁ। ଅଧିକାଂଶ ସମୟରେ ଅଷ୍ଟ୍ରେଲିଆ କ୍ରିକେଟରମାନେ ସେମାନଙ୍କର ବିରୋଧୀ ଦଳର କ୍ୟାପଟେନଙ୍କ ସପକ୍ଷରେ ମନ୍ତବ୍ୟ ଦେବା ଦେଖିବାକୁ ମିଳିଛି। ବିଶେଷକରି ଅଷ୍ଟ୍ରେଲିଆ ଟିମ୍ କୌଣସି ସିରିଜ୍ କିମ୍ବା ଟୁର୍ ପୂର୍ବରୁ ଏଭଳି କରିଥାନ୍ତି। ଯାହାକି ସେମାନଙ୍କର ଗେମ୍ ପ୍ଲାନ୍ ବୋଲି କୁହାଯାଏ।

କୌଣସି ସିରିଜ୍ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲୀୟ କ୍ରିକେଟରମାନେ ବିରୋଧୀ ଦଳର ବଡ଼ବଡ଼ ଖେଳାଳିଙ୍କୁ ଖୁବ୍ ପ୍ରଶଂସା କରନ୍ତି। କିନ୍ତୁ ଯେତେବେଳେ ଖେଳାଳି ଜଣକ ଗୋଟିଏ କିମ୍ବା ଦୁଇଟି ମ୍ୟାଚରେ ଖରାପ ପ୍ରଦର୍ଶନ କରନ୍ତି, ତା'ପରେ ଅଷ୍ଟ୍ରେଲିଆ ଖେଳାଳିମାନେ ଆକ୍ରମଣାତ୍ମକ ସମାଲୋଚକ ହୋଇଯାଆନ୍ତି। ଯାହାକି ଏହା ସେମାନଙ୍କର ଗେମ୍ ପ୍ଲାନ୍ ବୋଲି କୁହାଯାଏ। ସେମାନେ ନିଜ ମନ୍ତବ୍ୟ ଦ୍ବାରା ବିରୋଧୀ ଖେଳାଳିଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ କରନ୍ତି ଏବଂ ଅନେକଥର ଏଥିରେ ସଫଳ ମଧ୍ୟ ହୁଅନ୍ତି।

କିଛି ଦିନ ପୂର୍ବତନ କ୍ୟାପଟେନ୍ ମାର୍କ ଟେଲର୍ ବିରାଟ୍ କୋହଲିଙ୍କୁ ପ୍ରଶଂସା କରି କହିଥିଲେ, କୋହଲି ହେଉଛନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ କ୍ରିକେଟର। କୋହଲି ସର୍ବଦା ନିଜ ଖେଳ ଉପରେ ଫୋକସ୍ କରନ୍ତି। ସେହିପରି କୋଚ୍ ଜଷ୍ଟିନ୍ ଲାଙ୍ଗର କହିଥିଲେ, ଆମେ ଯେତେସବୁ କ୍ରିକେଟର୍ ଦେଖିଛୁ, ସେମାନଙ୍କ ମଧ୍ୟରୁ କୋହଲି ସର୍ବଶ୍ରେଷ୍ଠ।

କୌଣସି ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟର୍ ଆକ୍ରମଣାତ୍ମକ କ୍ରିକେଟ୍ ଓ ସ୍ଲେଜିଂ କଥା କରନ୍ତି। ଯେବେଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବଲ୍ ଟ୍ୟାମ୍ପରିଂ ଘଟଣାରେ ସେମାନଙ୍କର ଦୁଇ ଖେଳାଳିଙ୍କୁ ବ୍ୟାନ୍ କରାଗଲା, ସେବେଠାରୁ ଏହା (ସ୍ଲେଜିଂ) ଉପରେ ଆଉ ଚର୍ଚ୍ଚା ହେଉନି। ତତ୍କାଳୀନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ ଓ ଭାଇସ୍ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣରଙ୍କ ବାସନ୍ଦାଦେଶ ପରେ ଅଷ୍ଟ୍ରେଲିଆ ଟିମ୍ ନିଜକୁ ସ୍ୱଚ୍ଛ ରଖିବାକୁ ପ୍ରୟାସ କରୁଛି। ସେବେଠାରୁ ସ୍ଲେଜିଂ ଭଳି ମାମଲାରେ ବହୁତ ହ୍ରାସ ହୋଇଛି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍ ଟେଷ୍ଟ ପରେ କୋହଲି ସ୍ୱଦେଶ ଫେରିଆସିବେ। କାରଣ ତାଙ୍କ ପତ୍ନୀ ଅନୁଷ୍କା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ଏହି ସମୟରେ କୋହଲି ଅନୁଷ୍କାଙ୍କ ସହ ରହିବା ପାଇଁ ପ୍ୟାଟରନିଟୀ ଛୁଟି ନେଇଛନ୍ତି। ବିସିସିଆଇ ମଧ୍ୟ ତାଙ୍କର ଛୁଟିକୁ ଅନୁମତି ଦେଇଛି।

Related story