ଇଂଲିଶ୍ ଟିମ୍‌କୁ ଘାଇଲା କଲେ ଅଶ୍ୱିନ୍, ଫ୍ରଣ୍ଟଫୁଟ୍‌ରେ ଟିମ୍ ଇଣ୍ଡିଆ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛି ଭ୍ରମଣକାରୀ ଟିମ୍। ଘରୋଇ ପିଚରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଯାଦୁଗରୀ ସ୍ପିନ୍ ବଳରେ ଭାରତ ଇଂଲଣ୍ଡକୁ ପ୍ରଥମ ଇନିଂସରେ ଅଲଆଉଟ୍ କରିଛି। ଏଥିସହ ଭାରତ ପ୍ରଥମ ଇନିଂସରେ ୧୯୫ ରନର ବଡ଼ ଅଗ୍ରଣୀ ହାସଲ କରିନେଇଛି। ଏହା ପୂର୍ବରୁ ରୋହିତ ଶର୍ମାଙ୍କ ଦମଦାର ଶତକ, ଋଷଭ ପନ୍ତ ଓ ଅଜିଙ୍କ୍ୟ ରାହାଣେଙ୍କ ଅଦ୍ଧଶତକ ବଳରେ ଭାରତ ପ୍ରଥମ ଇନିଂସରେ ୩୨୯ […]

ash

Ranjit Kumar Jena
  • Published: Sunday, 14 February 2021
  • , Updated: 14 February 2021, 04:48 PM IST

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛି ଭ୍ରମଣକାରୀ ଟିମ୍। ଘରୋଇ ପିଚରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଯାଦୁଗରୀ ସ୍ପିନ୍ ବଳରେ ଭାରତ ଇଂଲଣ୍ଡକୁ ପ୍ରଥମ ଇନିଂସରେ ଅଲଆଉଟ୍ କରିଛି। ଏଥିସହ ଭାରତ ପ୍ରଥମ ଇନିଂସରେ ୧୯୫ ରନର ବଡ଼ ଅଗ୍ରଣୀ ହାସଲ କରିନେଇଛି। ଏହା ପୂର୍ବରୁ ରୋହିତ ଶର୍ମାଙ୍କ ଦମଦାର ଶତକ, ଋଷଭ ପନ୍ତ ଓ ଅଜିଙ୍କ୍ୟ ରାହାଣେଙ୍କ ଅଦ୍ଧଶତକ ବଳରେ ଭାରତ ପ୍ରଥମ ଇନିଂସରେ ୩୨୯ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ମଧ୍ୟ ଭଲ ଆରମ୍ଭ କରି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୫୪ ରନ୍ କରିଛି।

ଭାରତ ପକ୍ଷରୁ ଶୁବମନ୍ ଗିଲ୍ ୧୪ ରନ୍ କରି ଜ୍ୟାକ୍ ଲିଚଙ୍କ ଶିକାର ହୋଇଛନ୍ତି। ତେବେ ପ୍ରଥମ ଇନିଂସର ଶତକଧାରୀ ରୋହିତ୍ ଓ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଭାରତକୁ ଆଉ କ୍ଷତି ସହିବାକୁ ଦେଇନାହାନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ୍ ୨୫ ଓ ପୂଜାରା ୭ ରନ୍ କରି ଅପରାଜିତ ରହିଛନ୍ତି। ଭାରତ ୯ ୱିକେଟ୍ ହାତରେ ଥାଇ ୨୪୯ ରନରେ ଆଗୁଆ ରହିଛି। ଆସନ୍ତାକାଲି ତୃତୀୟ ଦିବସରେ ଭାରତ ଆଉ କିଛି ରନ୍ କରି ଇଂଲଣ୍ଡକୁ ବଡ଼ ଟାର୍ଗେଟ୍ ଦେବାକୁ ଲକ୍ଷ୍ୟ ରଖିଛି।

ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ବ୍ୟାଟିଂରେ ସେତେଟା ଚମକ ଦେଖିବାକୁ ମିଳିନଥିଲା। ଚମତ୍କାର ଫର୍ମରେ ଥିବା ଭାରତର ଏକ ନମ୍ବର ସ୍ପିନର୍ ଅଶ୍ୱିନଙ୍କୁ ସାମ୍ନା କରିବାରେ ଇଂଲିଶ ବ୍ୟାଟ୍ସମ୍ୟାନଙ୍କୁ ବିଶେଷ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଅଶ୍ୱିନଙ୍କୁ ଈଶାନ୍ତ ଶର୍ମା ଓ ଡେବ୍ୟୁଟାଣ୍ଟ ଅକ୍ଷର ପଟେଲ ମଧ୍ୟ ଭରପୂର ସହଯୋଗ କରିଥିଲେ। ଖରାପ ଫର୍ମରେ ଥିବା ରୋରୀ ବର୍ନସ୍ (୦)ଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ ଈଶାନ୍ତ ଶର୍ମା। ଅନ୍ୟତମ ଓପ୍ନର ଡମ୍ ସିବଲେ (୧୬) କିଛି ଆକର୍ଷଣୀୟ ଶଟ୍ ମାରି ଭଲ ଆରମ୍ଭ କରିଥିଲେ ହେଁ ଏହାକୁ କାଏମ ରଖିପାରିନଥିଲେ। ଅନ୍ୟପଟେ ଏଣ୍ଡରେ ବୋଲିଂ କରୁଥିବା ଅଶ୍ୱିନଙ୍କ ବଲକୁ ସୁଇପ୍ ଶଟ୍ ମାରିବାକୁ ଯାଇ ସିବଲେ (୧୬) କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଦ୍ୱାରା ଧରାପଡ଼ିଥିଲେ।

ସିବଲେଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଇନଫର୍ମ କ୍ୟାପଟେନ୍ ଜୋ ରୁଟ୍ (୬)ଙ୍କୁ ଡେବ୍ୟୁଟାଣ୍ଟ ଅକ୍ଷର ପଟେଲ୍ ପ୍ୟାଭିଲିୟନ୍ ପଠାଇ ଭାରତକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ଅଶ୍ୱିନ ଡାନ୍ ଲରେନ୍ସ (୯)ଙ୍କୁ ପ୍ୟାଭିଲିୟନ୍ ପଠାଇ ଇଂଲଣ୍ଡକୁ ଚତୁର୍ଥ ଝଟକା ଦେଇଥିଲେ। ଏହି ୱିକେଟ୍ ପରେ ମଧ୍ୟାହ୍ନ ଭୋଜନ ବିରତି ନିଆଯାଇଥିଲା। ଏହା ପରେ ମଧ୍ୟ ଇଂଲଣ୍ଡର ୱିକେଟ୍ ପତନ ପ୍ରକ୍ରିୟା ଜାରି ରହିଥିଲା। ବେନ୍ ଷ୍ଟୋକ୍ସ ଓ ଓଲି ପୋପ୍ ଆଶା ମୁତାବକ ବ୍ୟାଟିଂ କରିପାରିନଥିଲେ। ତେବେ ଜୋସ୍ ବଟଲରଙ୍କ ସ୍ଥାନରେ ଖେଳୁଥିବା ବୋନ୍ ଫୋକ୍ସ ସୁଯୋଗର ଫାଇଦା ଉଠାଇ ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳିଥିଲେ। କିନ୍ତୁ ତାଙ୍କ ଅନ୍ୟ ପଟୁ ସହଯୋଗ ମିଳିନଥିଲା।

ଦ୍ୱିତୀୟ ସେସନରେ ଷ୍ଟୋକ୍ସ (୧୮)ଙ୍କୁ ଆଉଟ୍ କରି ଅଶ୍ୱିନ୍ ଭାରତକୁ ପଞ୍ଚମ ସଫଳତା ଦେଇଥିବା ବେଳେ ଓଲି ପୋପ୍ (୨୨)ଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଥିଲେ। ଫୋକ୍ସ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୪୨ (୧୦୭ ବଲ୍, ୪ ଚୌକା) ରନ୍ କରିଥିଲେ। ନିମ୍ନକ୍ରମରେ ମୋଇନ୍ ଅଲୀ (୬), ଓଲି ଷ୍ଟୋନ୍ (୧), ଜ୍ୟାକ୍ ଲିଚ୍ (୫) ଓ ଷ୍ଟୁଆର୍ଟ ବ୍ରଡ୍ (୦) ଦୁଇ ଅଙ୍କ ଛୁଇଁପାରିନଥିଲେ। ଭାରତ ପକ୍ଷରୁ ଅଶ୍ୱିନ୍ ୪୩ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ସେହିପରି ଈଶାନ୍ତ ଓ ଅକ୍ଷର ଦୁଇଟି ଲେଖାଏ ଏବଂ ମହମ୍ମଦ ସିରାଜ ଗୋଟିଏ ସଫଳତା ପାଇଛନ୍ତି।

ଏହା ପୂର୍ବରୁ ଭାରତ ତା'ର ପୂର୍ବଦିନର ସ୍କୋର ୩୦୦/୬ରୁ ଖେଳ ଆରମ୍ଭ କରିଥିଲା। ତେବେ ଦଳ ଆଜି ଆଉ ୨୯ ରନ୍ ଯୋଡ଼ି ଅଲଆଉଟ୍ ହୋଇଥିଲା। ଋଷଭ ପନ୍ତ ଦମଦାର ବ୍ୟାଟିଂ କରି ୫୮ (୭୭ ବଲ୍, ୭ ଚୌକା, ୩ ଛକା) ରନର ଅପରାଜିତ ଇନିଂସ୍ ଖେଳିଥିବା ବେଳେ ନନଷ୍ଟ୍ରାଇକର ଏଣ୍ଡରେ ତାଙ୍କୁ ସେଭଳି ସହଯୋଗ ମିଳିନଥିଲା। ଅକ୍ଷର ପଟେଲ୍ (୫), ଈଶାନ୍ତ ଶର୍ମା (୦), କୁଲଦୀପ ଯାଦବ (୦) ଓ ମହମ୍ମଦ ସିରାଜ (୪) ନିରାଶ କରିଥିଲେ। ଇଂଲଣ୍ଡ ପକ୍ଷରୁ ମୋଇନ୍ ୪ଟି, ଷ୍ଟୋନ୍ ୩ଟି ଓ ଲିଚ୍ ୨ଟି ୱିକେଟ୍ ନେଇଥିଲେ।

Related story