ନୂଆଦିଲ୍ଲୀ: କରୋନାର କହର ମଧ୍ୟରେ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିବା ପରେ ଟିମ୍ ଇଣ୍ଡିଆ ଜୁନ୍ ମାସରେ ଦ୍ୱିତୀୟ ବିଦେଶ ଗସ୍ତରେ ଇଂଲଣ୍ଡ ଯିବ। ସେଠାରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବ। ଏହି ମୁକାବିଲା ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ। ଏହା ପରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହାର ଶୁଭାରମ୍ଭ ଅଗଷ୍ଟ ମାସରେ ହେବ। ତେବେ ଇଂଲଣ୍ଡ ଗସ୍ତ ପାଇଁ ଚୟନ ହୋଇଥିବା ଭାରତୀୟ ଖେଳାଳିଙ୍କୁ ସପ୍ତାହକ ପାଇଁ କଠିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।
ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ, କୋଚ୍ ରବି ଶାସ୍ତ୍ରୀଙ୍କ ନେତୃତ୍ୱରେ ୨୦ ଜଣିଆ ଭାରତୀୟ ଟିମ୍ ମେ’ ୨୫ ତାରିଖରେ ମୁମ୍ବାଇରେ ଏକତ୍ରିତ ହେବେ ଏବଂ ସେଠାରେ ପ୍ରସ୍ତୁତ କରାଯାଇଥିବା ବାୟୋ ବବଲରେ ୮ ଦିନ ରହିବ। ଏହାରି ଭିତରେ ସବୁ ସଦସ୍ୟଙ୍କ ଦୁଇରୁ ତିନିଥର କୋଭିଡ୍ ଟେଷ୍ଟ କରାଯିବ। ଟିମ୍ ଜୁନ୍ ୨ ତାରିଖରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ଇଂଲଣ୍ଡରେ ପହଞ୍ଚିବା ପରେ ଟିମ୍ ସେଠାରେ ୧୦ ଦିନ କ୍ୱାରେଣ୍ଟାଇନରେ ରହିବ। ଏହା ପରେ ଜୁନ୍ ୧୮ ତାରିଖରେ ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ହେବାକୁଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ଖେଳିବାକୁ ଓହ୍ଲାଇବ।
ବିସିସିଆଇର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଭାରତୀୟ ଖେଳାଳି ମେ’ ୨୫ ତାରିଖରେ ବାୟୋ-ବବଲରେ ପ୍ରବେଶ କରିବେ। ସେଠାରେ ୮ ଦିନ କ୍ୱାରେଣ୍ଟାଇନରେ ରହିବେ। ଏହା ମଧ୍ୟରେ ଖେଳାଳିଙ୍କ ଗତିବିଧି ସମ୍ପୂର୍ଣ୍ଣ ପ୍ରତିବନ୍ଧିତ ରହିବ। ଜୁନ୍ ୨ ତାରିଖରେ ଇଂଲଣ୍ଡ ଗସ୍ତ କରିବା ପରେ ସେଠାରେ ଟିମ୍ ତା’ର ଦ୍ୱିତୀୟ କ୍ୱାରେଣ୍ଟାଇନ୍ ପିରିୟଡ୍ ପୂରଣ କରିବ। ଏହି କ୍ୱାରେଣ୍ଟାଇନ୍ ଅବଧି ୧୦ ଦିନର ହେବ। ତେବେ ଏହି ବାୟୋ ବବଲରେ ଭାରତ ପ୍ରାକ୍ଟିସ୍ କରିପାରିବ। ଏହାରି ଭିତରେ ଖେଳାଳିଙ୍କର ଲଗାତର କରୋନା ଟେଷ୍ଟ ହେବ। ତିନିମାସର ଲମ୍ବା ଗସ୍ତ ହୋଇଥିବାରୁ ଭାରତୀୟ ଖେଳାଳିଙ୍କୁ ନିଜ ସହ ପରିବାର ନେବାକୁ ଅନୁମତି ମିଳିବ।
ସୂଚନାଯୋଗ୍ୟ, ଭାରତୀୟ ନାଗରିକଙ୍କୁ ଏବେ ବ୍ରିଟେନରେ ପ୍ରବେଶ କରିବା ଉପରେ କଟକଣା ଲଗାଯାଇଛି। କିନ୍ତୁ ବଡ଼ ଖେଳାଳିଙ୍କୁ ଇଂଲଣ୍ଡକୁ ପ୍ରବେଶ କରିବା ପାଇଁ ଅନୁମତି ଅଛି। ତେବେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ହୋଟେଲରେ ୧୦ ଦିନ ପାଇଁ କ୍ୱାରେଣ୍ଟାଇନ୍ ପିରିୟଡ଼ କରିବାକୁ ପଡ଼ିବ। ତେବେ ବିସିସିଆଇ ଓ ଇସିବି ପ୍ରୟାସ କରୁଛନ୍ତି ଯେ ଖେଳାଳିଙ୍କୁ ଇଂଲଣ୍ଡରେ ତିନି ଦିନ ରହିବାକୁ ପଡ଼ିବ। କାରଣ ଭାରତ ପୂର୍ବରୁ ହିଁ ସାତଦିନ କ୍ୱାରେଣ୍ଟାଇନରେ ରହି ଇଂଲଣ୍ଡ ପହଞ୍ଚିବ।
ଶୁକ୍ରବାର ଇଂଲଣ୍ଡ ଗସ୍ତ ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ପାଇଁ ବିସିସିଆଇ ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରିଥିଲା। ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିନାହିଁ। ଅନ୍ୟପକ୍ଷରେ ଆହତରୁ ଫେରିଥିବା ରବୀନ୍ଦ୍ର ଜାଡେଜା ଟିମକୁ ଫେରିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଅଗଷ୍ଟ ୪ ତାରିଖରୁ ନଟ୍ଟିଂହାମ୍, ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୧୨ରୁ ଲର୍ଡ୍ସ, ତୃତୀୟ ଟେଷ୍ଟ ଅଗଷ୍ଟ ୨୫ରୁ ଲିଡ୍ସ, ଚତୁର୍ଥ ଟେଷ୍ଟ ସେପ୍ଟେମ୍ବର ୨ରୁ ଲଣ୍ଡନର ଦି ଓଭାଲ୍ ଏବଂ ପଞ୍ଚମ ଓ ଶେଷ ଟେଷ୍ଟ ସେପ୍ଟେମ୍ବର ୧୦ ତାରିଖରୁ ମାଞ୍ଚେଷ୍ଟରରେ ହେବ।
ଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ (ଭାଇସ୍ କ୍ୟାପଟେନ୍), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଆର୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ୍, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ । ଲୋକେଶ ରାହୁଲ୍ ଓ ଋଦ୍ଧିମାନ ସାହା (ଫିଟ୍ ହେଲେ ସ୍ଥାନ ପାଇବେ)।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।