କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ବଡ଼ ସଙ୍କଟ ଦେଖା ଦେଇଛି। ଦ୍ୱିତୀୟ ଟି-୨୦ ଏବଂ ପୂରା ଶ୍ରୀଲଙ୍କା ସିରିଜରୁ ୯ ଖେଳାଳି ଆଉଟ୍ ହୋଇଛନ୍ତି। ଏହି ୯ ଖେଳାଳି ଆଜିର ମ୍ୟାଚ୍ ସହ ତୃତୀୟ ମୁକାବିଲା ବି ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି।
ଅଲରାଉଣ୍ଡର କୃନାଲ୍ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହେବା ପରେ ମଙ୍ଗଳବାର ଖେଳାଯିବାକୁଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଦିନକ ପାଇଁ ସ୍ଥଗିତ କରାଯାଇଥିଲା। ହେଲେ କୃନାଲଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୮ ଖେଳାଳିଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ଆଶ୍ୱସ୍ତିକର କଥା ହେଉଛି ଯେ ସମସ୍ତ ୮ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏହା ସତ୍ତ୍ୱେ ଏମାନେ ସିରିଜରେ ଆଉ ଖେଳିପାରିବେ ନାହିଁ। ଏହି ଖେଳାଳିଙ୍କ ମଧ୍ୟରେ କ୍ୟାପଟେନ୍ ଶିଖର ଧୱନ୍ ରହିଛନ୍ତି। ଶିଖର ଧୱନ ମ୍ୟାଚ୍ ଖେଳିବେ କି ନାହିଁ, ତାହା ଜଣା ପଡ଼ିନାହିଁ। କିନ୍ତୁ ତାଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ, ପୃଥ୍ୱୀ ଶ', ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍, ମନୀଷ ପାଣ୍ଡେ, ଈଶାନ୍ କିଶନ, କ୍ରିଷ୍ଣାପ୍ପା ଗୌତମ ମଧ୍ୟ ମ୍ୟାଚ୍ ଖେଳିବେ ନାହିଁ।
ଯେହେତୁ ଭାରତର ୯ ଖେଳାଳି ସିରିଜରୁ ବାଦ୍ ପଡ଼ିଛନ୍ତି, ତେଣୁ ଆଜି ମ୍ୟାଚରେ ଭାରତର ଚୂଡ଼ାନ୍ତ ଏକାଦଶ କ'ଣ ହେବ, ତାହା ଦେଖିବାକୁ ବାକି ରହିଲା। ଏତେ ସଂଖ୍ୟକ ଖେଳାଳିଙ୍କ ଅନୁପସ୍ଥିତି ପରେ ଏବେ ଶ୍ରୀଲଙ୍କା ଗସ୍ତରେ ନେଟ୍ ବୋଲରଙ୍କ ଭାବେ ସ୍ଥାନ ପାଇଥିବା ୫ ଖେଳାଳି ଭାରତୀୟ ଟିମରେ ସାମିଲ୍ କରାଯାଇଛି। ନେଟ୍ ବୋଲର ଭାବେ ଈଶାନ୍ ପୋରେଲ୍, ସନ୍ଦୀପ ୱାରିୟର୍, ସାଇ କିଶୋର, ଅର୍ଶଦୀପ ସିଂହ ଓ ସିମରଜିତ୍ ସିଂହ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ଆଜି ମ୍ୟାଚରେ ଶିଖର ଧୱନଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର ଟିମର ନେତୃତ୍ୱ ନେବେ।
ବାଦ୍ ପଡ଼ିଥିବା ୯ ଖେଳାଳିଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଓ ପୃଥ୍ୱୀଙ୍କ ନାଁ ଏବେ ସମସ୍ୟା ସୃଷ୍ଟି କରିଛି। କାରଣ ଏହି ଦୁଇ ଖେଳାଳି ଇଂଲଣ୍ଡ ଗସ୍ତରେ ଯିବେ। ତେବେ ସୂର୍ଯ୍ୟକୁମାର ଓ ପୃଥ୍ୱୀ କେବେ ଇଂଲଣ୍ଡ ଗସ୍ତ କରିବେ, ତାହା ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।