ନୂଆଦିଲ୍ଲୀ: କେବଳ ବଲିଉଡ ନୁହେଁ, ଭାରତୀୟ କ୍ରିକେଟରେ ମଧ୍ୟ ଶାହରୁଖ ଖାନ ଓ ସଲମାନ ଖାନ ରହିଛନ୍ତି। ପୂର୍ବରୁ ତାମିଲନାଡୁ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଶାହରୁଖ ଖାନ ଆଇପିଏଲରେ ନିଜର ଜଲୱା ଦେଖାଇଛନ୍ତି। ସେ ଏବେ ଘରେଘରେ ଗୋଟିଏ ପରିଚିତ ନାଁ। ପଞ୍ଜାବ ପକ୍ଷରୁ ଆଇପିଏଲ ଖେଳି ଶାହରୁଖ ଲୋକପ୍ରିୟ ହୋଇ ପାରିଛନ୍ତି।
ଏବେ ଶାହରୁଖଙ୍କ ପରେ ରାଜସ୍ଥାନ କ୍ରିକେଟର ସଲମାନ ଖାନ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ଶାହରୁଖଙ୍କ ଠାରୁ ୪ ବର୍ଷ ସାନ ହୋଇଥିବା ବେଳେ ଆଇପିଏଲରେ ସେ ନିଜର ଛାପ ଛାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି।
୨୭ ବର୍ଷୀୟ ଶାହରୁଖଙ୍କ ଭଳି ସଲମାନ ମଧ୍ୟ ଭାରତ ପାଇଁ ଅଣ୍ଡର-୧୯ ଏସିଆ କପ୍ ୨୦୧୬ ଓ ୨୦୧୭ରେ ଖେଳିଛନ୍ତି। ନିଜର ବିସ୍ଫୋରକ ବ୍ୟାଟିଂ ଶୈଳୀ ପାଇଁ ସଲମାନ ବେଶ ଜଣାଶୁଣା। ସଲମାନ କହିଛନ୍ତି “ଶାହରୁଖଙ୍କ ବ୍ୟାଟିଂ ଦେଖିବା ମୋ ପାଇଁ ଗୋଟିଏ ଟ୍ରିଟ। ମୁଁ ସବୁବେଳେ ତାଙ୍କ ବ୍ୟାଟିଂକୁ ଉପଭୋଗ କରେ।
ମୁଁ ମଧ୍ୟ ମୋ ବ୍ୟାଟିଂରେ ଆହୁରି ଭଲ କରିବା ପାଇଁ କଠୋର ପରିଶ୍ରମ କରୁଛି। ମୁଁ ଯେତେବେଳେ ବି ପଡ଼ିଆକୁ ଯାଏ, ମାନସିକ ସ୍ତରରେ ନିଜକୁ ଦୃଢ଼ କରେ। ମୋ ଟିମ୍ ପାଇଁ ମ୍ୟାଚ୍ ଜିତାଇବା ହିଁ ମୋର ଏକମାତ୍ର ଲକ୍ଷ୍ୟ। ମୁଁ ୫୦ ରନ କରିବା ପରେ ଏହାକୁ ୧୦୦ ଓ ପରେ ୧୫୦ ରନରେ କନଭର୍ଟ କରିବାକୁ ଚେଷ୍ଟା କରିଥାଏ। ମୁଁ କେବେ ହେଲେ ଅଟକିବାକୁ ପସନ୍ଦ କରେନି।
ମୁଁ ପ୍ରତିଦିନ ସମସ୍ତଙ୍କ ଠାରୁ କିଛି ନା କିଛି ଶିଖିବାକୁ ଚେଷ୍ଟା କରେ। ମୋ କୋଚ ଓ ବଡ଼ମାନେ ମୋତେ ବହୁତ ସମର୍ଥନ କରିଛନ୍ତି। ବ୍ୟାଟିଂରେ ଆହୁରି ଭଲ କରିବା ପାଇଁ ମୋତେ ସମସ୍ତେ ସହଯୋଗୀ କରିଛନ୍ତି।”
ଚଳିତ ବର୍ଷ ସିକେ ନାଇଡୁ ଟ୍ରଫିରେ ସଲମାନ ଖାନ ୫ଟି ମ୍ୟାଚ୍ରେ ୫୦୬ ରନ କରିଥିଲେ। ସେ ହାରାହାରି ୬୩.୨୫ ହାରରେ ରନ କରିଛନ୍ତି। ଏଥିରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି। ସେ ବିହାର ବିପକ୍ଷରେ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି। ଆଇପିଏଲରେ ଖେଳିବା ତାଙ୍କର ସ୍ୱପ୍ନ ବୋଲି ସଲମାନ କହିଛନ୍ତି।
ସଲମାନ ମାତ୍ର ୧୭ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ। ଓଡ଼ିଶା ବିପକ୍ଷ ଡେବ୍ୟୁ ମ୍ୟାଚ୍ରେ ସେ ୧୫ଟି ଚୌକା ବଳରେ ୧୧୦ ରନର ଇନିଂସ ଖେଳି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ୨୦୧୬ ନଭେମ୍ବର ମାସରେ ପଟିଆଲାରେ ଏହି ମ୍ୟାଚଟି ଖେଳାଯାଇଥିଲା। ମ୍ୟାଚ୍ଟି ଡ୍ର ରହିଥିଲେ ମଧ୍ୟ ସଲମାନ ଖାନ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ସଲମାନ ୨୦୧୬ରେ ଶ୍ରୀଲଙ୍କା ଓ ୨୦୧୭ରେ ମାଲେସିୟାରେ ଅନୁଷ୍ଠିତ ଅଣ୍ଡର ୧୯ ଏସିଆ କପରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହି ସମୟରେ ସଲମାନ କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାଭିଡଙ୍କ ସଂସ୍ପର୍ଶରେ ଆସିଥିଲେ।