ମୁମ୍ବାଇ: ବର୍ଷ ଆରମ୍ଭରୁ ୨୦୨୩ ବିଶ୍ୱକପ କ୍ରିକେଟ ପାଇଁ ବିସିସିଆଇ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରୋଡ୍ମ୍ୟାପ। ଫିଟନେସ୍କୁ ଦୃଷ୍ଟିରେ ରଖି ୨୦ ଜଣିଆ ଖେଳାଳି ସର୍ଟଲିଷ୍ଟ ପ୍ରସ୍ତୁତ କରାଯାଇଛି। ସେମାନଙ୍କୁ ବିଶ୍ୱକପ ଟିମ୍ରେ ସାମିଲ କରାଯିବ। ତେବେ ଏହା ପୂର୍ବରୁ ଏହି ଖେଳାଳିଙ୍କୁ ପର୍ଯ୍ୟାୟ କ୍ରମେ ଭାରତୀୟ ଟିମ୍ରେ ଖେଳିବାର ସୁଯୋଗ ଦିଆଯିବ। ଭଲ ଖେଳିଲେ ଅଗ୍ରାଧିକାର ଦିଆଯିବ। ଆଜି ମୁମ୍ବାଇ ଠାରେ ଏକ ସାତ-ତାରକା ହୋଟେଲରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିସିସିଆଇ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଆହତ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ ଖେଳାଳିମାନଙ୍କୁ ଆସନ୍ତା ଆଇପିଏଲ୍ ଖେଳିବାରୁ ଦୂରେଇ ରହିବାକୁ କୁହାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏହି ବୈଠକରେ କୋଚ୍ ରହୁଲ ଦ୍ରାବିଡ୍, କ୍ୟାପଟେନ ରୋହିତ ଶର୍ମା, ଏନ୍ସିଏ ଅଧ୍ୟକ୍ଷ ଭିଭିଏସ୍ ଲକ୍ଷ୍ମଣ, ପୂର୍ବତନ ଚୟନକର୍ତ୍ତା ଚେତନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ବିସିସିଆଇ ଅଧ୍ୟକ୍ଷ ରୋଜର ବିନି ଭିସି ଜରିଆରେ ବୈଠକରେ ଯୋଗ ଦେଇଥିଲେ।
୨୦୨୨ରେ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ ଖେଳି ପରାଜୟ ସାମ୍ନା କରିଥିବା ଭାରତୀୟ ଟିମ୍ର ପରଫରମାନ୍ସକୁ ସମୀକ୍ଷା ବେଳେ ନିଆଯାଇଥିଲା। ଶେଷରେ ବିସିସିଆଇ ପକ୍ଷରୁ ୩ଟି ପ୍ରମୁଖ ସୁପାରିଶ କରାଯାଇଛି। ପ୍ରଥମତଃ ଖେଳାଳିମାନେ ଘରୋଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରିବା ପରେ ଜାତୀୟ ଟିମ୍ରେ ସ୍ଥାନ ପାଇବା, ଦ୍ୱିତୀୟତଃ ଚୟନ ପର୍ଯ୍ୟାୟରେ ୟୋ ୟୋ ଟେଷ୍ଟ ବାଧ୍ୟତାମୂଳକ କରିବା, ତୃତୀୟରେ ଭାରତୀୟ କ୍ରିକେଟ ଟିମ୍ର ଭବିଷ୍ୟତ ଟୁର ପୋଗ୍ରାମ ଓ ୨୦୨୩ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଆପିଏଲ୍ରେ ଭାରତୀୟ ଖେଳାଳିଙ୍କୁ ଟାର୍ଗେଟ କରିବା ଉପରେ ନିୟନ୍ତ୍ରଣ ଜାରି କରିବା।
୨୦୨୩ରେ ଭାରତୀୟ ଟିମ୍ ୩୫ ମ୍ୟାଚ୍ ଖେଳିବ। ଯାହା ଭିତରେ ଆଗକୁ ଶ୍ରୀଲଙ୍କା ବିରୋଧରେ ନିଜ ମାଟିରେ ୩ଟି ମ୍ୟାଚ୍ ଖେଳିବ। ତେବେ ଭାରତୀୟ ଟିମ୍ରେ ଭଲ ଖେଳାଳିମାନଙ୍କୁ ସ୍ଥାନ ଦେଇ ବିଶ୍ୱକପ୍ ହାତେଇବା ନିମନ୍ତେ ବିସିସିଆଇ ଏହି ସମୀକ୍ଷା ବୈଠକ କରିଥିବା ଜଣାପଡ଼ିଛି।