ମାଞ୍ଚେଷ୍ଟର୍ ଟେଷ୍ଟ ଖେଳିବାକୁ ଚାହୁଁଥିଲା ଭାରତ, କୋହଲିଙ୍କ ଅଫରକୁ ମନା କରିଦେଲା ଇଂଲଣ୍ଡ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବାକୁଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ବାତିଲ୍ ହୋଇଛି। ଭାରତୀୟ ଶିବିରରେ କରୋନାର ଏଣ୍ଟ୍ରୀ ହୋଇଥିଲା। ଗୋଟିଏ ପରେ ଗୋଟିଏ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା କାରଣରୁ ମ୍ୟାଚକୁ ବାତିଲ କରିବାକୁ ପଡ଼ିଲା। ଯାହା ପରେ ଚାରିଆଡ଼ୁ ଭାରତକୁ ସମାଲୋଚନା କରାଗଲା। ବ୍ରିଟିଶ୍ ମିଡିଆ ଓ ଇଂଲଣ୍ଡର ଖେଳାଳିମାନେ କହିଛନ୍ତି ଯେ ଆଇପିଏଲ୍ ପାଇଁ ଭାରତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ଖେଳିବାକୁ ମନା କରିଦେଲା। କିନ୍ତୁ […]

team-india

Ranjit Kumar Jena
  • Published: Saturday, 11 September 2021
  • , Updated: 11 September 2021, 10:01 PM IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବାକୁଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ବାତିଲ୍ ହୋଇଛି। ଭାରତୀୟ ଶିବିରରେ କରୋନାର ଏଣ୍ଟ୍ରୀ ହୋଇଥିଲା। ଗୋଟିଏ ପରେ ଗୋଟିଏ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା କାରଣରୁ ମ୍ୟାଚକୁ ବାତିଲ କରିବାକୁ ପଡ଼ିଲା। ଯାହା ପରେ ଚାରିଆଡ଼ୁ ଭାରତକୁ ସମାଲୋଚନା କରାଗଲା। ବ୍ରିଟିଶ୍ ମିଡିଆ ଓ ଇଂଲଣ୍ଡର ଖେଳାଳିମାନେ କହିଛନ୍ତି ଯେ ଆଇପିଏଲ୍ ପାଇଁ ଭାରତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ଖେଳିବାକୁ ମନା କରିଦେଲା। କିନ୍ତୁ ବାସ୍ତବରେ ଚିତ୍ର ଅଲଗା।

ଏକ ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆ ମାଞ୍ଚେଷ୍ଟର ଟେଷ୍ଟ ଖେଳିବାକୁ ଚାହୁଁଥିଲା। କୋଭିଡ୍‌ ମାମଲା ସାମ୍ନାକୁ ଆସିବା ପରେ କ୍ୟାପଟେନ୍ ବିରାଟ୍‌ କୋହଲି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)କୁ ମ୍ୟାଚ୍ ଆଉ ଦୁଇ ଦିନ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ। ହେଲେ ଇସିବି କୋହଲିଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁଥିବା ଟେଷ୍ଟକୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ କରିଦେଲା।

ବୁଧବାର ଭାରତର ଦ୍ୱିତୀୟ ଫିଜିଓ ଯୋଗେଶ ପରମାରଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ କିଛି ଖେଳାଳିଙ୍କ ଉପରେ କରୋନାର ଭୟ ଦେଖାଦେଇଥିଲା। କୋହଲିଙ୍କ ଅନୁସାରେ ନେଗେଟିଭ୍ ରିପୋର୍ଟ ସତ୍ତ୍ୱେ ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁଥିବା ମ୍ୟାଚ୍ ପୂର୍ବରୁ ସଂକ୍ରମଣର ଭୟ ଥିଲା।

କୋହଲି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ ବାକି ଷ୍ଟାଫଙ୍କ ସହ ମାଞ୍ଚେଷ୍ଟର ଟେଷ୍ଟକୁ ନେଇ ଆଲୋଚନା କରିଥିଲେ। ବିସିସିଆଇ ଅଧିକାରୀ ଏହା ପରେ ଇସିବି ଅଫିସିଆଲ୍ସଙ୍କୁ ମ୍ୟାଚକୁ ଦୁଇ ଦିନ ଘୁଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଇଂଲଣ୍ଡ ବୋର୍ଡ ବିସିସିଆଇରେ ଅନୁରୋଧରେ ସହମତ ହୋଇନଥିଲା। ମ୍ୟାଚକୁ ଘୁଞ୍ଚାଇବାର ନିଷ୍ପତ୍ତି ଟସ୍ ହେବାର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ନିଆଯାଇଥିଲା।

ମାଞ୍ଚେଷ୍ଟରରେ ଟେଷ୍ଟ ମ୍ୟାଚ୍ ନହେବାରୁ ଇଂଲଣ୍ଡ ବୋର୍ଡ ଓ ଲାଙ୍କାଶାୟର୍ ବୋର୍ଡକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। କୁହାଯାଉଛି ଯେ ଏହାର ଭରଣ ପାଇଁ ବିସିସିଆଇ ଆସନ୍ତାବର୍ଷ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିବ। କିଛି ପୂର୍ବତନ କ୍ରିକେଟରଙ୍କ କହିବା ଅନୁଯାୟୀ, ଭାରତୀୟ କ୍ରିକେଟର୍ ମାନେ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲ୍-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଭାଗ ନେବା ପାଇଁ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମନା କରିଦେଲେ।

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭ୍ରମଣକାରୀ ଟିମ୍ ୨-୧ରେ ଆଗୁଆ ରହିଛି। ପଞ୍ଚମ ଟେଷ୍ଟ ବାତିଲ୍ ହେବା ପରେ ସିରିଜର ଫଳାଫଳା ନିର୍ଦ୍ଧାରିତ ହୋଇପାରିନାହିଁ। ସିରିଜର ବାକି ଥିବା ଗୋଟିଏ ଟେଷ୍ଟ ମ୍ୟାଚ୍ ଆସନ୍ତାବର୍ଷ ଖେଳାଯାଇପାରେ।

Related story