ନୂଆଦିଲ୍ଲୀ: ସାମ୍ ବିଲିଂସଙ୍କ ଲଢୁଆ ଶତକ ଓ ଜନି ବେୟାରଷ୍ଟୋଙ୍କ ଅର୍ଧଶତକୀୟ ପାଳି ସତ୍ତ୍ୱେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ୧୯ ରନରେ ପରାସ୍ତ କରିଛି। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ କଙ୍ଗାରୁ ଟିମ୍ ଏବେ ୧-୦ରେ ଆଗୁଆ ରହିଛି।
ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ୍ ଦର୍ଶାଇ ୨୦୧୯ ବିଶ୍ୱକପ୍ ଜିତିବା ପରେ ଦିନିକିଆ ଖେଳିନଥିବା ଘରୋଇ ଇଂଲିଶ ବୋଲରମାନେ ଅଷ୍ଟ୍ରେଲିଆର ଦୁଇ ଓପନରଙ୍କୁ ସଅଳ ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ। ପ୍ରାରମ୍ଭିକ ଯୋଡ଼ି ଡେଭିଡ୍ ୱାର୍ନର ୬ ଏବଂ ଆରୋନ୍ ଫିଞ୍ଚ୍ ୧୬ ରନ କରି ଶସ୍ତାରେ ଆଉଟ୍ ହେବା ପରେ ମଙ୍ଗ ସମ୍ଭାଳିଥିଲେ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ । ତେବେ ଷ୍ଟୋଇନିସ୍ ୪୩, ଲାବୁସାନ୍ ୨୧ ଏବଂ ଆଲେକ୍ସ କ୍ୟାରି ୧୦ ରନ୍ କରି ଆଉଟ ହୋଇଯିବାରୁ ଭ୍ରମଣକାରୀ ଦଳ ୨୪ ଓଭରରେ ୧୨୩ ରନ୍ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ମିଚେଲ୍ ମାର୍ସ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଶତକୀୟ ଭାଗୀଦାରି ଯୋଗୁ ଇଂଲଣ୍ଡ ସମ୍ମୁଖରେ ଅଷ୍ଟ୍ରେଲିଆ ୨୯୫ ରନର ବିଜୟ ଲକ୍ଷ୍ୟ ରଖିଥିଲା। ମାର୍ସ ୭୩ ଏବଂ ମ୍ୟାକ୍ସୱେଲ୍ ୭୭ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ୩, ମାର୍କ ଉଡ୍ ୩ଏବଂ ସ୍ପିନର୍ ଆଡିଲ୍ ରସିଦ୍ ୨ଟି ୱିକେଟ୍ ନେଇଥିଲେ।
ଏହାର ଜବାବରେ ଘରୋଇ ଦଳ ଓପନର୍ ଜାସନ ରୟ ଓ ଜୋ ରୁଟଙ୍କୁ ଶୀଘ୍ର ହରାଇଥିଲା। ତେବେ ଅଧିନାୟକ ଇଅନ୍ ମୋର୍ଗାନ୍ ୨୩ ରନ୍ କରି ଅନ୍ୟତମ ଓପନ୍ ଜନି ବେୟାରଷ୍ଟୋଙ୍କ ସହ ସ୍ଥିତି ସମ୍ଭାଳି ଥିଲେ ହେଁ ପର ପର ଓଭରେ ମର୍ଗାନ୍ ଓ ଜୋସ୍ ବଟଲରଙ୍କୁ ଆଉଟ୍ କରି କଙ୍ଗାରୁ ଦଳ ଖେଳକୁ ଫେରିଥିଲା। ମଧ୍ୟକ୍ରମରେ ସାମ୍ ବିଲିଙ୍ଗସ୍ ଲଢୁଆ ଶତକ ହାସଲ କରିଥିଲେ ହେଁ ବେୟାରଷ୍ଟୋଙ୍କ ବ୍ୟତୀତ ଅନ୍ୟ କାହାଠାରୁ ଆବଶ୍ୟକ ସହଯୋଗ ପାଇ ନଥିଲେ। ବିଲିଂସ୍ ୧୦୦ ବଲରୁ ୧୧ ୮ ଏବଂ ବେୟାରଷ୍ଟୋ ୧୦୭ ବଲରୁ ୮୪ ରନ୍ କରିଥିଲେ। କଙ୍ଗାରୁ ଦଳ ପକ୍ଷରୁ ଆଡାମ୍ ଜାମ୍ପା ୪ ଓ ହାଜେଲଉଡ୍ ୩ଟି ୱିକେଟ୍ ପାଇଥିଲେ।