ମେଲ୍ବର୍ଣ୍ଣ: ପାକିସ୍ତାନ ଠାରୁ ଇଂଲଣ୍ଡ ଛଡ଼ାଇ ନେଲା ବିଶ୍ୱକପ୍। ‘ଟି-୨୦ ବିଶ୍ୱକପ୍’ରେ ଆଜି ପାକିସ୍ତାନକୁ ୫ ଓ୍ୱିକେଟ୍ରେ ହରାଇ ଇଂଲଣ୍ଡ ଚାମ୍ପିଅନ୍ ହୋଇଛି। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିଅନ୍ ହୋଇଛି। ସେପଟେ ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ୱେ ହାରିଛି ପାକିସ୍ତାନ। ଏଥିସହ ଟି-୨୦ ଫର୍ମାଟ୍ରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଛି।
ମେଲ୍ବର୍ଣ୍ଣରେ ଆଜି ଟସ୍ ଜିଣିବା ପରେ ଇଂଲଣ୍ଡ କ୍ରିକେଟ୍ ଟିମ୍ର ଅଧିନାୟକ ଜସ୍ ବଟ୍ଲର୍ ପ୍ରଥମେ ବୋଲିଂ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଥିଲେ। ଇଂଲଣ୍ଡକୁ ୧୩୮ ରନ୍ର ଟାର୍ଗେଟ୍ ଦେଇଥିଲା ପାକିସ୍ତାନ। ପାକିସ୍ତାନ ୮ ୱିକେଟ ହରାଇ ୧୩୭ ରନ୍ କରିଥିଲା। ଇଂଲଣ୍ଡର ବୋଲରମାନେ ଚମତ୍କାର ବୋଲିଂ କରିଥିଲେ। ତେବେ ଇଂଲଣ୍ଡ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୧୩୮ ରନ୍ କରିନେଇଥିଲା।
ଇଂଲଣ୍ଡକୁ ଆରମ୍ଭରୁ ଝଟକା ଲାଗିଥିଲା। ବିସ୍ଫୋରକ ବ୍ୟାଟର ଆଲେକ୍ସ ହେଲ୍ସ ୨ଟି ବଲ୍ ସାମ୍ନାକରି ମାତ୍ର ୧ରନ୍ରେ, ତାଙ୍କ ପରେ ଫିଲ୍ ସଲ୍ଟ ୧୦ ରନ୍ରେ ଆଉଟ ହୋଇଥିଲେ। ଇଂଲଣ୍ଡ ୭ ରନ୍ରେ ପ୍ରଥମ ୱିକେଟ୍ ଓ ୩୨ ରନ୍ରେ ଦ୍ୱିତୀୟ ୱିକେଟ ହରାଇଥିଲା। ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟର ଜୋସ୍ ବଟଲର ମାତ୍ର ୨୬ ରନ୍, ହେରି ବୁକ୍ ୨୦ ରନ୍ କରି ଆଉଟ ହୋଇଥିଲେ। ଇଂଲଣ୍ଡ ୮୪ ରନ୍ କରି ୪ ୱିକେଟ ହରାଇଥିଲା। ଯାହା ପରେ ମ୍ୟାଚ୍ ନିର୍ଣ୍ଣାୟକ ସ୍ଥିତିକୁ ଆସିଯାଇଥିଲା।
ପଞ୍ଚମ ୱିକେଟ୍ରେ ବେନ୍ ଷ୍ଟୋକ୍ସ ମୋଇନ୍ ଅଲିଙ୍କ ସହିତ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ବେନ୍ ଷ୍ଟୋକ୍ସ ଅପରାଜିତ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୪୯ଟି ବଲ୍ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ମୋଇନ୍ ଅଲି ୧୯ ରନ୍ ଓ ଲିଭିଂ ଷ୍ଟୋନ୍ ଅପରାଜିତ ୧ ରନ୍ କରିଥିଲେ।
ପ୍ରଥମ ପାଳିରେ ଇଂଲଣ୍ଡର ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ। ଫଳରେ ପାକିସ୍ତାନ ବଡ଼ ସ୍କୋର କରିପାରି ନ ଥିଲା। ଶାନ୍ ମସୁଦ ପାକିସ୍ତାନ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୩୮ ରନ୍ ସଂଗ୍ରହ କରିଥିଲେ।
ଚମତ୍କାର ବୋଲିଂ ପ୍ରଦର୍ଶନ କରି ଏହି ମ୍ୟାଚ୍ରେ ୩ ୱିକେଟ ନେଇଥିବା ଇଂଲଣ୍ଡର ଅଲରାଉଣ୍ଡର ସାମ୍ କୁରାନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ସିରିଜ୍ ହୋଇଛନ୍ତି।