ଭାରତ-ଇଂଲଣ୍ଡ ଖେଳିବେ ସ୍ଥଗିତ ଥିବା ଟେଷ୍ଟ ମ୍ୟାଚ୍‌, ଘୋଷଣା ହେଲା ତାରିଖ

ଲଣ୍ଡନ: ମହାମାରୀ କରୋନା ପାଇଁ ସ୍ଥଗିତ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ୫ମ ମ୍ୟାଚ୍‌ ପାଇଁ ତାରିଖ ଘୋଷଣା କରିଛି ଇଂଲଣ୍ଡ। ଆସନ୍ତା ବର୍ଷ ଜୁଲାଇ ମାସରେ ଦୁଇ ଦେଶ ମଧ୍ୟରେ ସ୍ଥଗିତ ରହିଥିବା ଇନ୍ସ୍ୟୁରାନ୍ସ ଟେଷ୍ଟ ସିରିଜ୍‌ର ୫ମ ମ୍ୟାଚ୍‌ ଖେଳାଯିବ ବୋଲି ଆଜି ଇଂଲଣ୍ଡ କ୍ରିକେଟ ବୋର୍ଡ ଟ୍ୱିଟ କରି ସୂଚନା ଦେଇଛି। ଏହି ସିରିଜ୍‌ରେ ୪ଟି ମ୍ୟାଚ୍‌ ପୂର୍ବରୁ ଖେଳା ଯାଇ ସାରିଛି। ଯେଉଁଥିରେ ଭାରତ ୨-୧ରେ ଆଗୁଆ ରହିଛି। ଶେଷ […]

india1

Hemant Lenka
  • Published: Friday, 22 October 2021
  • , Updated: 22 October 2021, 06:21 PM IST

ଲଣ୍ଡନ: ମହାମାରୀ କରୋନା ପାଇଁ ସ୍ଥଗିତ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ୫ମ ମ୍ୟାଚ୍‌ ପାଇଁ ତାରିଖ ଘୋଷଣା କରିଛି ଇଂଲଣ୍ଡ। ଆସନ୍ତା ବର୍ଷ ଜୁଲାଇ ମାସରେ ଦୁଇ ଦେଶ ମଧ୍ୟରେ ସ୍ଥଗିତ ରହିଥିବା ଇନ୍ସ୍ୟୁରାନ୍ସ ଟେଷ୍ଟ ସିରିଜ୍‌ର ୫ମ ମ୍ୟାଚ୍‌ ଖେଳାଯିବ ବୋଲି ଆଜି ଇଂଲଣ୍ଡ କ୍ରିକେଟ ବୋର୍ଡ ଟ୍ୱିଟ କରି ସୂଚନା ଦେଇଛି।

ଏହି ସିରିଜ୍‌ରେ ୪ଟି ମ୍ୟାଚ୍‌ ପୂର୍ବରୁ ଖେଳା ଯାଇ ସାରିଛି। ଯେଉଁଥିରେ ଭାରତ ୨-୧ରେ ଆଗୁଆ ରହିଛି। ଶେଷ ମ୍ୟାଚ୍‌ ଖେଳିବାକୁ ଭାରତ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ କରୋନା ଏଥିରେ ପ୍ରତିବନ୍ଧକ ସାଜିଥିଲା। ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ଙ୍କ ସମେତ ଆଉ କିଛି ସପୋର୍ଟ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ଦୁଇ ବୋର୍ଡ ଆପୋଷ ବୁଝାମଣା ଦ୍ୱାରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଉକ୍ତ ସ୍ଥଗିତ ମ୍ୟାଚ୍‌ ଜୁଲାଇ ୧ ତାରିଖ ୨୦୨୨ରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।

ଇଂଲଣ୍ଡ ବୋର୍ଡ କହିଛି, ଜୁଲାଇ ୧ ତାରିଖରୁ ୫ମ ଟେଷ୍ଟ ମ୍ୟାଚ୍‌ଟି ଏଜବାଷ୍ଟନରେ ଖେଳାଯିବ। ଏଥିପାଇଁ ଦୁଇ ଦେଶର ବୋର୍ଡ ମଧ୍ୟରେ ବୁଝାମଣା ହୋଇଛି। ଏହି ଟେଷ୍ଟ ମ୍ୟାଚ୍‌ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ଟି-୨୦ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ ମଧ୍ୟ ଖେଳାଯିବ।

୧ରୁ ୫ ତାରିଖ ଯାଏ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ପରେ ୭ ତାରିଖରୁ ସୀମିତ ଓଭର ସିରିଜ ଆରମ୍ଭ ହେବ। ଜୁଲାଇ ୭ ତାରିଖ, ୯ ତାରିଖ ଓ ୧୦ ତାରିଖରେ ଉଭୟ ଦେଶ ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହାପରେ ଜୁଲାଇ ୧୨, ୧୪ ଓ ୧୭ ତାରିଖରେ ଦିନିକିଆ ମ୍ୟାଚ୍‌ ଖେଳାଯିବ ବୋଲି ବୋର୍ଡ କହିଛି।


ସୂଚନାଯୋଗ୍ୟ, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଥିଲା । ଲଣ୍ଡନର ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ ୧୫୭ ରନରେ ହରାଇଥିଲା। ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ୍ ହୋଇଥିଲା।

ଜବାବରେ ଇଂଲଣ୍ଡ ୨୯୦ ରନ୍ କରି ୯୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ରୋହିତ୍ ଶର୍ମାଙ୍କ ଶତକ ସାଙ୍ଗକୁ ଶାର୍ଦ୍ଦୁଲ ଠାକୁର ଓ ଋଷଭ ପନ୍ତଙ୍କ ଉପଯୋଗୀ ଇନିଂସ୍ ବଳରେ ଭାରତ ୪୬୬ ରନ୍ କରି ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଏକ ସମୟରେ ବିନା ୱିକେଟ୍ ହରାଇ ୧୦୦ ରନ୍ କରିଥିଲା। କିନ୍ତୁ ପରେ ଟିମ୍ ୨୧୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହ ଟିମ ଇଣ୍ଡିଆ ୨-୧ରେ ସିରିଜ୍‌ରେ ଆଗୁଆ ହୋଇଥିଲା।

Related story