ପାକିସ୍ତାନକୁ ଆଉ ଏକ ଝଟକା, ନ୍ୟୁଜିଲ୍ୟାଣ୍ଡ ପରେ ଇଂଲଣ୍ଡ ବି ଗସ୍ତ ବାତିଲା କଲା

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟକୁ ଆଉଏକ ବଡ଼ ଝଟକା ଲାଗିଛି। ଆଉ ଏହି ଝଟକା ଦେଇଛି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)। ନ୍ୟୁଜିଲ୍ୟାଣ୍ଡ ପରେ ଇଂଲଣ୍ଡ ମହିଳା ଓ ପୁରୁଷ ଟିମ୍ ଏବେ ପାକିସ୍ତାନ ଗସ୍ତ ବାତିଲ କରିଦେଇଛି। ଆନ୍ତା ମାମରେ ଇଂଲଣ୍ଡ ମହିଳା ଓ ପୁରୁଷ ଟିମ୍ ପାକିସ୍ତାନ ଗସ୍ତ କରିଥାନ୍ତା। କିନ୍ତୁ ମାନସିକ ଚାପ ଓ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସିବି ଏହି ଗସ୍ତକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି।

ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍‌ ଟିମ୍ ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆର କିଛି ମିନିଟ୍‌ ପୂର୍ବରୁ ଗସ୍ତ ବାତିଲ କରିଦେଇଥିଲା।  ଏହାରି ଭିତରେ ପିସିବି ସ୍ପଷ୍ଟ କରିଦେଇଛି ଯେ ସେମାନେ ଘରୋଇ ମୁକାବିଲା ନିରପେକ୍ଷ ଭେନ୍ୟୁରେ ଖେଳିବେ ନାହିଁ। ଏବେ ଇଂଲଣ୍ଡ ତା’ର ପାକିସ୍ତାନ ଗସ୍ତ ବାତିଲ କରିବା ପରେ ପାକିସ୍ତାନ କ୍ରିକେଟକୁ ବଡ଼ କ୍ଷତି ସହିବାକୁ ପଡ଼ିବ।

ପାକିସ୍ତାନ ଗସ୍ତ ବାତିଲ କରିବା ନେଇ ଇସିବି ଏକ ବିବୃତ୍ତି ଜାରି କରିଛି। ଇସିବି କହିଛି, ଅକ୍ଟୋବରରେ ପାକିସ୍ତାନରେ ହେବାକୁଥିବା ଇଂଲଣ୍ଡର ମହିଳା ଓ ପୁରୁଷ ମ୍ୟାଚ୍ ବାତିଲ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଆମ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ମାନସିକ ଓ ଶାରୀରିକ ସୁସ୍ଥତା ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ବର୍ତ୍ତମାନ ଆମେ ଯେଉଁ ପରିବେଶରେ ରହୁଛୁ, ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ବେଶ୍ ମହତ୍ତ୍ୱପୂର୍ଣ୍ଣ। ଆମର ପୁରୁଷ ଟି-୨୦ ଟିମ୍ ପାଇଁ ଅତିରିକ୍ତ ଜଟିଲତା ରହିଛି। ଆଉ ଏଭଳି ପରିସ୍ଥିତିରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ପାକିସ୍ତାନ ଗସ୍ତ କରିବା ଠିକ୍ ହେବ ନାହିଁ।

ଇସିବି ଆହୁରି କହିଛି, ଆମେ ବୁଝିପାରୁଛୁ ଯେ ଏହି ନିଷ୍ପତ୍ତି ପିସିବି ପାଇଁ ନିଶ୍ଚିତ ନିରାଶାଜନକ ହେବ। କାରଣ ସେମାନେ ନିଜ ଦେଶରେ ଅନ୍ତର୍ଜାତୀୟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ ପାଇଁ ବହୁ ଉଦ୍ୟମ କରିଛନ୍ତି। ଗସ୍ତ ବାତିଲ ପାକିସ୍ତାନରେ କ୍ରିକେଟ୍ ଉପରେ ବହୁତ ପ୍ରଭାବ ପକାଇବ। ସେଥିପାଇଁ ଆମେ ଦୁଃଖିତ।

ସୂଚନାଯୋଗ୍ୟ, ଇଂଲଣ୍ଡ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ପାକିସ୍ତାନ ଗସ୍ତ ବାତିଲ କରିଥିଲା। ଯାହା ପରେ ଆଶଙ୍କା କରାଯାଉଥିଲା ଯେ ଇଂଲଣ୍ଡ ମଧ୍ୟ ଗସ୍ତ ବାତିଲ କରିଦେବ। ଆଉ ତାହାହିଁ ହେଲା। ନ୍ୟୁଜିଲ୍ୟାଣ୍ଡ ଟିମ୍ ସେପ୍ଟେମ୍ବର ୧୧ ତାରିଖରେ ପାକିସ୍ତାନରେ ପହଞ୍ଚିଥିଲା। ନ୍ୟୁଜିଲ୍ୟାଣ୍ଡ ଟିମ୍ ୧୮ ବର୍ଷ ପରେ ପାକିସ୍ତାନ ଗସ୍ତ କରିଥିଲା, ଯେଉଁଠାରେ ସେମାନେ ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିଥାନ୍ତା। ହେଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ପ୍ରଥମ ଦିନିକିଆର ଠିକ୍ ପୂର୍ବରୁ ପାକିସ୍ତାନ ଗସ୍ତ ବାତିଲ କରିଦେଇଥିଲା। ସୁରକ୍ଷା କାରଣ ଦର୍ଶାଇ ସେମାନେ ଏହି ଗସ୍ତ ବାତିଲ କରିଥିବା କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।