ଦୁବାଇ: ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। କେମିତି ଗୋଟିଏ ମ୍ୟାଚ୍ରେ ବ୍ୟାଟିଂ କରିବା ପରେ ଜଣେ ଖେଳାଳିଙ୍କ ଓଜନ ସିଧା ୪.୪ କେଜି କମିବ? କିନ୍ତୁ ଏପରି ଘଟଣା ଘଟିଛି। ନ୍ୟୁଜିଲ୍ୟାଣ୍ଡର ଓପନର ମାର୍ଟିନ ଗପ୍ଟିଲଙ୍କ ସହ ଏପରି ହୋଇଛି। ଚଳିତ ଟି-୨୦ ବିଶ୍ୱକପରେ ବୁଧବାର ନ୍ୟୁଜିଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ।
ଭାରତୀୟ ସମୟ ଦିନ ୩.୩୦ ଅର୍ଥାତ ଖରା ବେଳେ ହିଁ ମ୍ୟାଚ୍ ହୋଇଥିଲା। ଏହି ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା ଓ ଦଳ ପାଇଁ ଇନିଂସ ଆରମ୍ଭ କରିଥିଲେ ଗପ୍ଟିଲ। ସେ ଆରମ୍ଭରୁ ୧୯ ଓଭର ଯାଏ କ୍ରିଜ୍ରେ ରହିଥିଲେ। ଏଥିସହ ଦଳ ପାଇଁ ୯୩ ରନ୍ର ବିସ୍ଫୋରକ ଇନିଂସ୍ ଖେଳିଥିଲେ।
୭ଟି ଛକା ଓ ୬ଟି ଚୌକା ମାରିଥିବା ଗପ୍ଟିଲ ବ୍ୟାଟିଂ କରିବା ବେଳେ ବାରମ୍ବାର ହାଲିଆ ହୋଇଯାଉଥିଲେ। ତଥାପି ଦୁବାଇର ଖରା ଓ ଗୁଳୁଗୁଳିକୁ ସହ୍ୟ କରି ସେ ୧୯ ଓଭର ଯାଏ ବ୍ୟାଟିଂ କରିଥିଲେ। ତେବେ ଖରା ଓ ଗୁଳୁଗୁଳିରେ ବ୍ୟାଟିଂ କରିବା ଯୋଗୁ ତାଙ୍କ ଓଜନ ୪.୪ କେଜି କମିଯାଇଥିବା ନିଜେ ଗପ୍ଟିଲ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ମୁଁ ଯେତେବେଳେ ବ୍ୟାଟିଂ ପରେ ପ୍ୟାଭିଲିୟନକୁ ଆସିଲି ସେତେବେଳେ ମୋର ଓଜନ ୪.୪ କେଜି କମି ଯାଇଥିଲା। ତେଣୁ ଡିହାଇଡ୍ରେସନ ପ୍ରୋସେସ ତୁରନ୍ତ ଆରମ୍ଭ କରିବାକୁ ପଡ଼ିଥିଲା। ପଡ଼ିଆରେ ପ୍ରବଳ ଗରମ। ମୁଁ ସିଝି ଗଲା ଭଳି ଅନୁଭବ କରୁଥିଲି। ଏହା ସବୁଠାରୁ ଚ୍ୟାଲେଞ୍ଜ। ବିଶେଷ କରି ଗ୍ଲେନ ଫିଲିପ୍ସ ଯେତେବେଳେ ପ୍ରତିବଲରେ ଦୁଇ ରନ୍ ନେଉଥିଲେ, ତାହା ମୋ ପାଇଁ କଷ୍ଟକର ହେଉଥିଲା।
ଶେଷ ଭାଗରେ ଆମେ ବଡ଼ ଶଟ ଖେଳିଥିଲୁ। ବ୍ୟାଟିଂ ବେଳେ ବେଶ ହାଲିଆ ଲାଗିବାରୁ ମୁଁ ଦ୍ୱିତୀୟ ଇନିଂସର ଅଧାରେ ପଡ଼ିଆକୁ ଆସିଥିଲି। ସେହିପରି ମୋ ମାଂସପେଶୀରେ ମଧ୍ୟ ସାମାନ୍ୟ ସମସ୍ୟା ରହିଥିଲା।”
ସୂଚନାଯୋଗ୍ୟ, ଗପ୍ଟିଲଙ୍କ ୯୩ ରନ୍ର ଇନିଂସ୍ ଯୋଗୁ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ ହରାଇ ୧୭୨ ରନ୍ କରିଥିଲା। ଏହାର ଜବାବରେ ସ୍କଟଲ୍ୟାଣ୍ଡ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ୧୬ ରନ୍ ପଛରେ ରହି ଯାଇଥିଲା। ଗପ୍ଟିଲ ୯୩ ରନ୍ କରିବା ପରେ ଟି-୨୦ରେ ଦ୍ୱିତୀୟ ଖେଳାଳି ଭାବେ ୩ ହଜାର ପୂରଣ କରିଛନ୍ତି। ପୂର୍ବରୁ କେବଳ ବିରାଟ କୋହଲି ଏକମାତ୍ର ବ୍ୟାଟସମ୍ୟାନ ଭାବେ ଟି-୨୦ରେ ୩ ହଜାର ରନ୍ କରିବାକୁ ସକ୍ଷମ ହୋଇଥିଲେ।