ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ସିରିଜ୍ରୁ ବାଦ୍ ପଡିଛନ୍ତି ବିରାଟ କୋହଲି। ତାଙ୍କୁ ବିଶ୍ରାମ ଦିଆଯାଇଛି। ଏଥିସହ ଯଶପ୍ରୀତ ବୁମ୍ରାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇନାହିଁ। ତାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି।
କେଏଲ୍ ରାହୁଲ ଓ କୁଲଦୀପ ଯାଦବ ଟିମ୍କୁ କମ୍ବ୍ୟାକ୍ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ରାହୁଲ ଆହତ ହୋଇଥିଲେ। ଏହା ପରେ ସେ ଚିକିତ୍ସା ପାଇଁ ଜର୍ମାନୀ ଯାଇଥିଲେ। ନିକଟରେ ସେଠାରୁ ସେ ଫେରିଛନ୍ତି। ସେହିପରି କୁଲଦୀପ ଯାଦବ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ କେବଳ ଫିଟନେସ୍ ପରୀକ୍ଷା ପରେ ଦଳରେ ସ୍ଥାନ ପାଇବେ। ତେବେ ବଡ଼ ଖବର ହେଉଛି- ଏହି ଟି-ଟ୍ୱେଣ୍ଟି ସିରଜ୍ରେ ଆର୍ ଅଶ୍ୱିନ୍ ଦଳକୁ ଫେରିଛନ୍ତି। ଟି–ଟ୍ୱେଣ୍ଟି ୱାର୍ଲ୍ଡକପ୍ ପରେ ଆର୍ ଅଶ୍ୱିନଙ୍କୁ ଟି- ଟ୍ୱେଣ୍ଟି ଦଳରେ ଚୟନ କରାଯାଇ ନଥିଲା।
https://twitter.com/BCCI/status/1547501290489614338?s=20&t=Ae3NketUYIZgRX2XwMVGAw
ବିସିସିଆଇ ଦ୍ୱାରା ପ୍ରକାଶିତ ତାଲିକାରେ ବିରାଟ କୋହଲି ଏବଂ ବୁମ୍ରାଙ୍କ ନାଁ ନାହିଁ। ଉଭୟଙ୍କୁ ବିଶ୍ରାମ ଦିଆଯିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୋହଲି ଖେଳି ପାରି ନଥିଲେ। ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ ମଧ୍ୟ ସେ ଫିଲ୍ଡକୁ ଓହ୍ଲାଇବା ସମ୍ଭାବନା କମ୍ ରହିଛି। ଅନ୍ୟପକ୍ଷରେ, ବୁମ୍ରାଙ୍କୁ କାର୍ଯ୍ୟଭାର ପରିଚାଳନା ଅଧୀନରେ ବିଶ୍ରାମ ଦିଆଯାଇଛି।
ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କ ହାତରେ ରହିଛି। ସେହିପରି ଉପ-ଅଧିନାୟକ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି। ରିଷଭ ପନ୍ତ ମଧ୍ୟ ଦଳରେ ସାମିଲ ହୋଇଛନ୍ତି।
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍ ଜୁଲାଇ ୨୯ରୁ ଆରମ୍ଭ ହେବ। ଏଥିରେ ୫ଟି ମ୍ୟାଚ୍ ଖେଳାଯିବ। ତେବେ ଏହା ପୂର୍ବରୁ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୨ରେ ଖେଳାଯିବ।