ସୁପର୍ ସଣ୍ଡେରେ ସିରିଜ୍ ସିଲ୍

ସିଡନୀ: ଦିନିକିଆ ପ୍ରତିଶୋଧ ଟି-୨୦ରେ ନେଲା ଟିମ୍ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଦମଦାର ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଟିମ୍ ଇଣ୍ତିଆ ଟି-୨୦ ସିରିଜକୁ ୨-୦ରେ ଜିତି ନେଇଛି। ରବିବାର ଏସସିଜିରେ ଖେଳାଯାଇଥିବା ଏହି ମୁକାବିଲାରେ ଘରୋଇ ଅଷ୍ଟ୍ରେଲିଆ ମାଥ୍ୟୁ ୱେଡ୍ ଓ ଇନଫର୍ମ ଷ୍ଟିଭ୍ […]

ind

Ranjit Kumar Jena
  • Published: Sunday, 06 December 2020
  • , Updated: 06 December 2020, 05:29 PM IST

ସିଡନୀ: ଦିନିକିଆ ପ୍ରତିଶୋଧ ଟି-୨୦ରେ ନେଲା ଟିମ୍ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଦମଦାର ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଟିମ୍ ଇଣ୍ତିଆ ଟି-୨୦ ସିରିଜକୁ ୨-୦ରେ ଜିତି ନେଇଛି।

ରବିବାର ଏସସିଜିରେ ଖେଳାଯାଇଥିବା ଏହି ମୁକାବିଲାରେ ଘରୋଇ ଅଷ୍ଟ୍ରେଲିଆ ମାଥ୍ୟୁ ୱେଡ୍ ଓ ଇନଫର୍ମ ଷ୍ଟିଭ୍ ସ୍ମିଥଙ୍କ ଉପଯୋଗୀ ଇନିଂସ୍ ବଳରେ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଜବାବରେ ଭାରତ ୧୯.୪ ଓଭରରେ ୧୯୫ ରନ୍ କରି ଆକର୍ଷଣୀୟ ବିଜୟ ଲାଭ କରିଛି। ଭାରତ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା ହାର୍ଦ୍ଦିକ ମାତ୍ର ୨୨ ବଲରେ ୩ ଚୌକା ଓ ୨ ଛକା ସହ ୪୨ ରନର ଅପରାଜିତ ଇନିଂସ୍ ଖେଳିଛନ୍ତି। ତାଙ୍କ ବ୍ୟତୀତ ଶିଖର ଧୱନ୍ (୫୨) ଓ କ୍ୟାପଟେନ୍ କୋହଲି (୪୦) ରନର ଉପଯୋଗୀ ଯୋଗଦାନ କରିଛନ୍ତି।

୧୯୫ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ଲୋକେଶ ରାହୁଲ୍ ଓ ଶିଖର ଧୱନ୍। ରାହୁଲ ପୁଣି ଦ୍ରୁତ ରନ୍ କରିଥିଲେ ହେଁ ଏଥର ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ। ରାହୁଲ୍ ୨୨ ବଲରେ ୩୦ (୨ ଚୌକା, ୧ ଛକା) ରନ୍ କରିଥିଲେ। ତେବେ ଆଉଟ୍ ହେବା ପୂର୍ବରୁ ସେ ଧୱନଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୫୬ ରନ୍ ଯୋଡ଼ିଥିଲେ। ପ୍ରଥମ ମ୍ୟାଚରେ ଫେଲ୍ ମାରିଥିବା ଧୱନ୍ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଥିଲେ।

ଧୱନ୍ ଓ କ୍ୟାପଟେନ୍ ବିରାଟ୍ କୋହଲି ୨ୟ ୱିକେଟ୍ ପାଇଁ ୩୯ ରନର ପାର୍ଟନରଶିପ୍ କରିଥିଲେ। ହାଫ୍ ସେଞ୍ଚୁରୀ ମାରିବା ପରେ ଧୱନ୍ ଖରାପ ଶଟ୍ ଖେଳି ନିଜ ୱିକେଟ୍ ହରାଇ ବସିଥିଲେ। ଧୱନ୍ ମାତ୍ର ୩୬ ବଲରେ ୪ ଚୌକା ସହ ୨ ଛକା ସହ ୫୨ ରନର ଇନିଂସ୍ ଖେଳି ଆଡାମ ଜାମ୍ପାଙ୍କ ଶିକାର ହୋଇଥିଲେ। ସଞ୍ଜୁ ସାମସନ୍ ପୁଣିଥରେ ଧମାକାଦାର ଶଟ୍ ସହ ଆରମ୍ଭ କରିଥିଲେ ହେଁ ଏହାକୁ ସେ କାଏମ ରଖିପାରିନଥିଲେ। ସାମସନ୍ ମାତ୍ର ୧୫ ରନ୍ କରି ସ୍ୱେପସନଙ୍କ ଶିକାର ହୋଇଥିଲେ।

ଏହା ପରେ କୋହଲି ରନ୍ ଗତି ବଢ଼ାଇବା ସହ ଭାରତ ପାଇଁ ଆଶାକୁ ଉଜ୍ଜୀବିତ ରଖିଥିଲେ। କିନ୍ତୁ ଡେବ୍ୟୁଟାଣ୍ଟ ଡାନିଏଲ୍ ସାମ୍ସଙ୍କ ଅଫସାଇଡ୍ ବାହାରେ ଯାଉଥିବା ବଲକୁ ମାରିବାକୁ ଯାଇ କୋହଲି ଶସ୍ତାରେ ନିଜ ୱିକେଟ୍ ହରାଇଥିଲେ। କୋହଲି ୨୪ ବଲରେ ୪୦ (୨ ଚୌକା, ୨ ଛକା) ରନର ଇନିଂସ୍ ଖେଳିଥିଲେ। ତେବେ ହାର୍ଦ୍ଦିକ ଓ ଶ୍ରେୟସ ଆୟର୍ ଦମଦାର ବ୍ୟାଟିଂ କରି ଭାରତକୁ ଦୁଇ ବଲ୍ ବାକି ଥାଇ ବିଜୟୀ କରାଇଥିଲେ। ଆୟର୍ ମାତ୍ର ୫ ବଲରେ ଦ୍ରୁତ ୧୨ (୧ ଚୌକା, ୧ ଛକା) ରନ୍ କରିଥିଲେ।

ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ମିଳିଥିଲା। ଆରୋନ୍ ଫିଞ୍ଚଙ୍କ ସ୍ଥାନରେ ଟିମର ନେତୃତ୍ୱ ନେଉଥିବା ମାଥ୍ୟୁ ୱେଡ୍ ଠିକଣା ସମୟରେ ଫର୍ମକୁ ଫେରିଛନ୍ତି। ସେ ସାଥୀ ଓପ୍ନର ଡାର୍ସି ଶର୍ଟଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୪୭ ରନ୍ ଯୋଡ଼ିଥିଲେ। ଶର୍ଟ (୯) ପୁଣିଥରେ ନିରାଶ କରିଥିଲେ ଏବଂ ତାଙ୍କୁ ଟି. ନଟରାଜନ୍ ପ୍ୟାଭିଲିୟନ ପଠାଇଥିଲେ।

ୱେଡ୍ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଅର୍ଦ୍ଧଶତକ ମାରିବା ପରେ ସେ ଦୁର୍ଭାଗ୍ୟଜନକ ଭାବେ ରନଆଉଟ୍ ହୋଇଥିଲେ। ୱେଡ୍ ୩୨ ବଲରେ ୧୦ ଚୌକା ଓ ୧ ଛକା ସହ ୫୮ ରନ୍ କରି ଆଉଟ୍ ହୋଇଥିଲେ। ମିଡିଲ୍ ଅର୍ଡରରେ ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମୋଜେସ୍ ହେନରିକ୍ସଙ୍କ ମିଳିତ ସହଯୋଗରେ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମ୍ୟାକ୍ସୱେଲ୍ ୧୩ ବଲରେ ୨୨ ରନ୍ (୨ ଛକା) ରନ୍ କରି ଆଉଟ୍ ହେବା ପରେ ସ୍ମିଥ୍ ଓ ହେନରିକ୍ସ ଚତୁର୍ଥ ୱିକେଟ୍ ପାଇଁ ୪୮ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ।

ସ୍ମିଥ୍ ୪୬ (୩୮ ବଲ୍, ୩ ଚୌକା, ୨ ଛକା) ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ବଲରେ ଆଉଟ୍ ହୋଇଥିଲେ। ସେହିପରି ହେନରିକ୍ସ (୨୬)ଙ୍କୁ ନଟରାଜନ୍ ଆଉଟ୍ କରିଥିଲେ। ଶେଷ ଆଡ଼କୁ ମାର୍କସ୍ ଷ୍ଟୋଇନିସ୍ ମାତ୍ର ୭ ବଲରେ ଦ୍ରୁତ ୧୬ (୧ ଛକା) ରନ୍ କରି ଅଷ୍ଟ୍ରେଲିଆ ସ୍କୋରକୁ ୧୯୪ରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ ପୁଣିଥରେ ସଫଳ ସାବ୍ୟସ୍ତ ହୋଇଛନ୍ତି ନଟରାଜନ୍। ନଟରାଜନ୍ ୪ ଓଭରରେ ମାତ୍ର ୨୦ ରନ୍ ନେଇ ୨ଟି ସଫଳତା ହାସଲ କରିଛନ୍ତି।

Related story