ମୁଲତାନ: ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍କୁ ୩-୦ରେ କ୍ଲିନସୁଇପ କରିଛି ପାକିସ୍ତାନ। ରବିବାର ଖେଳା ଯାଉଥିବା ତୃତୀୟ ଦିନିକିଆକୁ ପାକିସ୍ତାନ ୫୩ ରନ୍(ଡିଏଲ)ରେ ଜିତି ନେଇଛି। ପାକିସ୍ତାନ ବିପକ୍ଷ ସିରିଜ୍ରେ ପ୍ରଥମଥର ନିକୋଲସ ପୂରନଙ୍କ ଇଣ୍ଡିଜ ଟିମର ଅଧିନାୟକ ପଦ ସମ୍ଭାଳିଛନ୍ତି। କିନ୍ତୁ ସିରିଜ୍ ପରାଜୟରୁ ତାଙ୍କ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ ହୋଇଛି।
ସିରିଜ୍ ହାରିଥିଲେ ମଧ୍ୟ ଇଣ୍ଡିଜ ଟିମ୍କୁ ଅନେକ କିଛି ଫାଇଦା ମିଳିଛି। ପ୍ରଥମଥର ପାଇଁ ପୂରନଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳିଛି। ଆଜି ଯାଏ ସେ ଜଣେ ବ୍ୟାଟର ହିସାବରେ ଖେଳୁଥିଲେ। ହେଲେ ସେ ରବିବାର କୌଣସି ଦିନିକିଆରେ ପୂରା ୧୦ ଓଭର ବୋଲିଂ କରିଛନ୍ତି।
ଖାଲି ବୋଲିଂ କରି ନାହାନ୍ତି, ବରଂ ପାକିସ୍ତାନର ୪ ଜଣ ଟପ୍ ବ୍ୟାଟରଙ୍କୁ ପ୍ୟାଭିଲିୟନ ମଧ୍ୟ ପଠାଇଛନ୍ତି। ପୂରନ ଏଯାଏ ୪୨ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ ମଧ୍ୟ କେବଳ ୩ଟି ବଲ ବୋଲିଂ କରିଥିଲେ। କିନ୍ତୁ ପାକିସ୍ତାନ ବିପକ୍ଷ ତୃତୀୟ ଦିନିକିଆରେ ସେ ନିଜର ବୋଲିଂ କୋଟା ସାରିଛନ୍ତି।
ପୂରନ ତାଙ୍କ କ୍ରିକେଟ କ୍ୟାରିୟର୍ରେ ସାଧାରଣତଃ ୱିକେଟ କିପର ବ୍ୟାଟର ଭାବେ ଖେଳି ଆସୁଥିଲେ। ସେହିପରି ସେ ତାଙ୍କ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ଏଯାଏ କେବଳ ଗୋଟିଏ ଓଭର ବୋଲିଂ କରିଥିଲେ। ତାଙ୍କ ନାଁରେ ଗୋଟିଏ ୱିକେଟ ମଧ୍ୟ ରହିଥିଲା।
ହେଲେ ପାକିସ୍ତାନ ବିପକ୍ଷ ଦିନିକିଆରେ ସେ ଜବରଦସ୍ତ ଅପବ୍ରେକ ବୋଲିଂ କରିଛନ୍ତି। ସେ ପ୍ରଥମେ ପାକିସ୍ତାନ ଓପନର ଫକର ଜମାନଙ୍କୁ କ୍ଲିନ ବୋଲ୍ଡ କରି ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ୱିକେଟ ଦଖଲ କରିଥିଲେ। ଏହାପରେ ଇମାମ ଉଲ ହକ୍ ମଧ୍ୟ ପୂରନଙ୍କ ବଲରେ ବୋଲ୍ଡ ହୋଇଥିଲେ। ମହମ୍ମଦ ରିଜୱାନ ଓ ମହମ୍ମଦ ହାରିଶ ତାଙ୍କ ଶିକାର ବନିଥିଲେ। ପୂରନ ୧୦ ଓଭର୍ରେ ୪୮ ରନ୍ ଦେଇ ୪ ୱିକେଟ ଦଖଲ କରିଛନ୍ତି।
View this post on Instagram