ସାରଜା: ପୁଣିଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ପଞ୍ଜାବ କିଙ୍ଗସ। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପ୍ରଥମ ବ୍ୟାଟିଂ କରୁଥିବା କେଏଲ ରାହୁଲଙ୍କ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୨୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ଥିବା ହାଇଦ୍ରାବାଦକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୨୬ ରନର ଟାର୍ଗେଟ ମିଳିଛି।
ହାଇଦ୍ରାବାଦ ପକ୍ଷରୁ ଜେସନ ହୋଲ୍ଡର ସର୍ବାଧିକ ୩ଟି ୱିକେଟ ନେଇ ପଞ୍ଜାବ ବ୍ୟାଟିଂ ବିପର୍ଯ୍ୟୟର ପ୍ରମୁଖ କାରଣ ସାଜିଛନ୍ତି।
ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଖେଳୁଥିବା କ୍ରିସ ଗେଲ୍ ଓ ଦକ୍ଷିଣ ଆଫ୍ରିକାର ଆଡେନ ମାର୍କମ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଏପରି କି ଉଭୟ ତୃତୀୟ ୱିକେଟ ପାଇଁ ୩୦ ରନ୍ ମଧ୍ୟ ଯୋଡ଼ିଥିଲେ। କିନ୍ତୁ ୧୭ ବଲରେ ୧୪ ରନ୍ କରିଥିବା ଗେଲ୍ଙ୍କୁ ଆଉଟ କରି ରସିଦ ଖାନ ପଞ୍ଜାବର ସବୁ ଆଶାରେ ପାଣି ପକାଇ ଦେଇଥିଲେ।
ଏହାପରେ ସନ୍ଦୀପ ଶର୍ମା ଦମଦାର ବୋଲିଂ କରି ନିକୋସଲ ପୁରନ(୮)ଙ୍କୁ ପ୍ୟାଭଲିୟନ ପଠାଇଥିଲେ। ଦଳୀୟ ସ୍କୋର ୮୮ ଥିବା ବେଳେ ମାର୍କମ ୨୭ ବି ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ ଯୁବ ତାରକା ଅବଦୁଲ ସାମଦ ଆଉଟ କରିଥିଲେ। ଦୀପକ ହୁଡ୍ଡା ୧୩ ମଧ୍ୟ ବେଶୀ ସମୟ କ୍ରିଜରେ ରହି ପାରି ନଥିଲେ। ତାଙ୍କ ୱିକେଟ ହୋଲ୍ଡରଙ୍କ ଖାତାକୁ ଯାଇଛି।
ପଞ୍ଜାବ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳୁଥିବା ନାଥନ ଇଲ୍ଲିସ ୧୨ ରନ୍ କରି ଶେଷ ଓଭର୍ରେ ଭୁବନେଶ୍ୱର କୁମାରଙ୍କ ଶିକାର ବନିଥିଲେ। ହରପ୍ରୀତ ବ୍ରାର ଶେଷ ଯାଏ ୧୮ ରନ୍ କରି ଅପରାଜିତ ରହିବା ସହ ପଞ୍ଜାବ ସ୍କୋରକୁ ୧୨୫ ରନ୍ରେ ପଞ୍ଚାଇବାକୁ ସକ୍ଷମ ହୋଇଥିଲେ।
ହାଇଦ୍ରାବାଦ ପକ୍ଷରୁ ହୋଲ୍ଡର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା, ଭୁବନେଶ୍ୱର କୁମାର, ରସିଦ ଖାନ ଓ ଅବଦୁଲ ସାମଦ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।