ନିଲାମ ବେଳେ କିଣି ନଥିଲା ଆରସିବି, ବଦଳ ଖେଳାଳି ଭାବେ ଆସି ଜିତାଇଲେ ପାଟିଦାର

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ଏଲିମିନେଟର ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳି ଚର୍ଚ୍ଚାରେ ଯୁବ ତାରକା ରଜତ ପାଟିଦାର। ବଡ଼ ମ୍ୟାଚ୍‌ରେ ପାଟିଦାର ନିଜର ଦକ୍ଷତା ଦେଖାଇ ମାତ୍ର ୫୪ ବଲରେ ଅପରାଜିତ ୧୧୨ ରନ୍‌ର ଇନିଂସ ଖେଳିଛନ୍ତି। ପାଟିଦାର ବ୍ୟାଟିଂ କରିବାକୁ ଆସିବା ବେଳେ ଆରସିବିର ସ୍କୋର ମାତ୍ର ୪ ଥିଲା। ହେଲେ ସେ ଶେଷ ଯାଏ ଅପରାଜିତ ରହି ଦଳୀୟ ସ୍କୋରକୁ ୨୦୭ରେ ପହଞ୍ଚାଇ ଥିଲେ। ଫଳରେ ଆରସିବି ପ୍ରତିପକ୍ଷ […]

Patidar

Hemant Lenka
  • Published: Thursday, 26 May 2022
  • , Updated: 26 May 2022, 03:54 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ଏଲିମିନେଟର ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳି ଚର୍ଚ୍ଚାରେ ଯୁବ ତାରକା ରଜତ ପାଟିଦାର। ବଡ଼ ମ୍ୟାଚ୍‌ରେ ପାଟିଦାର ନିଜର ଦକ୍ଷତା ଦେଖାଇ ମାତ୍ର ୫୪ ବଲରେ ଅପରାଜିତ ୧୧୨ ରନ୍‌ର ଇନିଂସ ଖେଳିଛନ୍ତି। ପାଟିଦାର ବ୍ୟାଟିଂ କରିବାକୁ ଆସିବା ବେଳେ ଆରସିବିର ସ୍କୋର ମାତ୍ର ୪ ଥିଲା। ହେଲେ ସେ ଶେଷ ଯାଏ ଅପରାଜିତ ରହି ଦଳୀୟ ସ୍କୋରକୁ ୨୦୭ରେ ପହଞ୍ଚାଇ ଥିଲେ। ଫଳରେ ଆରସିବି ପ୍ରତିପକ୍ଷ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୪ ରନ୍‌ରେ ହରାଇ ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ମଧ୍ୟପ୍ରଦେଶରୁ ଆସିଥିବା ରଜତ ପାଟିଦାର ନିଜର ଗୋଟିଏ ଇନିଂସ ବଳରେ ସମସ୍ତଙ୍କ ନଜରରେ ହିରୋ ବନି ଯାଇଛନ୍ତି। ସେ ଶତକୀୟ ଇନିଂସରେ ୧୨ଟି ଚୌକା ଓ ୭ଟି ବିଶାଳ ଛକା ମାରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ୍‌ ୨୦୦ ଉପରେ ରହିଥିବା ବେଳେ ଆଇପିଏଲରେ ଏହା ତାଙ୍କର ପ୍ରଥମ ଶତକ। ରଜତ ପାଟିଦାର ତାଙ୍କର ଶତକୀୟ ଇନିଂସ ପରେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ଚଳିତ ସିଜିନରେ ସେ ସବୁଠାରୁ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ପାଟିଦାର କେବଳ ୪୯ଟି ବଲରେ ନିଜର ଶତକ ହାସଲ କରିଥିଲେ।

ଆଇପିଏଲର ପ୍ଲେ ଅଫ ମୁକାବିଲାରେ ଶତକ ଅର୍ଜନ କରିଥିବା କିଛି ହାତ ଗଣତି ଖେଳାଳିଙ୍କ ତାଲିକାରେ ମଧ୍ୟ ପାଟିଦାର ନିଜକୁ ସାମିଲ କରିଛନ୍ତି। ତାଙ୍କ ପୂର୍ବରୁ ପ୍ଲେ ଅଫରେ ବୀରେନ୍ଦ୍ର ସେହୱାଗ, ଶେନ ୱାଟସନ, ରିଦ୍ଧିମାନ ସାହା ଓ ମୁରଲୀ ବିଜୟ ଶତକ ହାସଲ କରିଥିଲେ। ପାଟିଦାର ୪ର୍ଥ ଅନକ୍ୟାପଡ ଖେଳାଳି ଭାବେ ଆଇପିଏଲରେ ଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତାଙ୍କ ପୂର୍ବରୁ ପଲ ଭାଲଥାଟୀ, ମନୀଷ ପାଣ୍ତେ ଓ ଦେବଦତ୍ତ ପାଡିକ୍କଲ ଅନକ୍ୟାପଡ ଖେଳାଳି ଭାବେ ଆଇପିଏଲରେ ଶତକ ହାସଲ କରିଥିଲେ।

ପାଟିଦାର ଆରସିବି ପାଇଁ ବଡ଼ ଇନିଂସ ଖେଳିଥିଲେ ମଧ୍ୟ ତାଙ୍କ ଉପରେ ଦଳ ଏକଦା ବିଶ୍ୱାସ କରୁ ନଥିଲା। ଚଳିତ ବର୍ଷ ହୋଇଥିବା ମେଗା ନିଲାମ ବେଳେ ଆରସିବି କିମ୍ବା ଅନ୍ୟ କୌଣସି ଟିମ୍‌ ତାଙ୍କୁ କିଣି ନଥିଲେ। ଅର୍ଥାତ ସେ ଅନସୋଲ୍ଡ ରହିଥିଲେ। ତେବେ ଆଇପିଏଲର ଠିକ୍‌ ପୂର୍ବରୁ ଆରସିବି ଟିମ୍‌ରେ ଥିବା ଲବନୀତ ସିସୋଦିୟା ଆହତ ହୋଇଥିଲେ। ଏହି ସମୟରେ ଆରସିବି ବିକ୍ରି ହୋଇ ନଥିବା ରଜତ ପାଟିଦାରଙ୍କ ପାଖକୁ ଯାଇଥିଲା। ତାଙ୍କୁ ମାତ୍ର ୨୦ ଲକ୍ଷ ଟଙ୍କା ଦେଇ ନିଜ ସହ ସାମିଲ କରିଥିଲା। ଏବେ ସେହି ପାଟିଦାର ଆରସିବିକୁ ଫାଇନାଲ ଟିକେଟର ଅତି ନିକଟରେ ପହଞ୍ଚାଇ ଦେଇଛନ୍ତି।

୨୦୨୧ରେ ବି ସେ ଆରସିବି କ୍ୟାମ୍ପରେ ରହିଥିଲେ। ଉକ୍ତ ସିଜିନରେ ସେ ଦଳ ପକ୍ଷରୁ ମାତ୍ର ୪ଟି ମ୍ୟାଚ୍‌ରେ ସୁଯୋଗ ପାଇଥିଲେ।

ସେ ଏହି ୪ଟି ମ୍ୟାଚ୍‌ରେ ୧୭.୭୫ ହାରରେ ୭୧ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୧୪.୫୨ ଥିଲା। ଏହାପରେ ତାଙ୍କୁ ପୂରା ସିଜିନ ବେଞ୍ଚରେ ବସିବାକୁ ପଡ଼ିଥିଲା। ଚଳିତ ବର୍ଷ ଆରମ୍ଭରୁ ମଧ୍ୟ ପାଟିଦାରଙ୍କୁ ସୁଯୋଗ ମିଳି ନଥିଲା। ହେଲେ ଆରସିବି ଲିଗ୍‌ ମ୍ୟାଚ୍‌ରେ ଦ୍ୱିତୀୟ ଭାଗରେ ତାଙ୍କୁ ସୁଯୋଗ ଦେଇଥିଲେ। ଏହି ସୁଯୋଗକୁ ସେ ଆଦୌ ହାତଛଡ଼ା କରି ନଥିଲେ। ଶେଷରେ ଲକ୍ଷ୍ନୌ ବିପକ୍ଷ ଏଲିମିନେଟର ମୁକାବିଲାରେ ନିଜ କ୍ରିକେଟ କ୍ୟାରିୟରର ସବୁଠାରୁ ବଡ଼ ଇନିଂସ ଖେଳିଛନ୍ତି ପାଟିଦାର।

Related story