ଚୌକା ଛକା ବର୍ଷା ସହ ପାଟିଦାରଙ୍କ ଶତକ, ଲକ୍ଷ୍ନୌକୁ ୨୦୮ ରନ୍‌ର ଟାର୍ଗେଟ ଦେଲା ଆରସିବି

କୋଲକାତା: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଜବରଦସ୍ତ ବ୍ୟାଟିଂ କରିଛନ୍ତି ମଧ୍ୟପ୍ରଦେଶର ଯୁବ ତାରକା ରଜତ ପାଟିଦାର। ତାଙ୍କର ବିସ୍ଫୋରକ ବ୍ୟାଟିଂ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୨୦୭ ରନ୍‌ କରିଛି। ଫଳରେ ଏହି ଏଲିମିନେଟର ମ୍ୟାଚ୍‌ ଜିତିବା ପାଇଁ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୨୦୮ ରନ୍‌ର ଟାର୍ଗେଟ ମିଳିଛି। ପାଟିଦାର ମାତ୍ର ୫୪ ବଲରେ ଅପରାଜିତ ୧୧୨ ରନ୍‌ର ଇନିଂସ ଖେଳି ନିଜର ଜଳୱା ଦେଖାଇଛନ୍ତି। ଆଜିର ମ୍ୟାଚ ଯେଉଁ […]

Patidar

Hemant Lenka
  • Published: Wednesday, 25 May 2022
  • , Updated: 25 May 2022, 10:09 PM IST

କୋଲକାତା: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଜବରଦସ୍ତ ବ୍ୟାଟିଂ କରିଛନ୍ତି ମଧ୍ୟପ୍ରଦେଶର ଯୁବ ତାରକା ରଜତ ପାଟିଦାର। ତାଙ୍କର ବିସ୍ଫୋରକ ବ୍ୟାଟିଂ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୨୦୭ ରନ୍‌ କରିଛି। ଫଳରେ ଏହି ଏଲିମିନେଟର ମ୍ୟାଚ୍‌ ଜିତିବା ପାଇଁ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୨୦୮ ରନ୍‌ର ଟାର୍ଗେଟ ମିଳିଛି। ପାଟିଦାର ମାତ୍ର ୫୪ ବଲରେ ଅପରାଜିତ ୧୧୨ ରନ୍‌ର ଇନିଂସ ଖେଳି ନିଜର ଜଳୱା ଦେଖାଇଛନ୍ତି।

ଆଜିର ମ୍ୟାଚ ଯେଉଁ ଦଳ ଜିତିବ, ସିଏ ରାଜସ୍ଥାନ ରୟାଲ୍ସ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ। ହାରିବା ଦଳ ଆଇପିଏଲରୁ ଆଉଟ ହୋଇଯିବ। ବର୍ଷା ଯୋଗୁ ଆଜିର ମ୍ୟାଚ୍‌ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ଟସ୍‌ ଜିତିବା ପରେ ଆରସିବିକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କିନ୍ତୁ ଦଳ ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ ପ୍ରଥମ ଓଭର୍‌ରେ ହିଁ ହରାଇଥିଲା। ସେ ପ୍ରଥମ ଓଭର୍‌ର ୪ର୍ଥ ବଲ ସାମ୍ନା କରିଥିଲେ। କିନ୍ତୁ ମୋହଶିନ ଖାନ ତାଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ଏହାପରେ କ୍ରିଜ୍‌କୁ ଆସିଥିଲେ ଆରସିବି ଇନିଂସର ହିରୋ ରଜତ ପାଟିଦାର। ସେ ଆରମ୍ଭରୁ ହିଁ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଏହି ସମୟରେ କ୍ରିଜ୍‌ରେ ଥିବା ବିରାଟ କୋହଲି ତାଙ୍କୁ କେବଳ ସାଥ ଦେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୬୬ ରନ୍‌ ଯୋଡ଼ିଥିଲେ ହେଁ ବିରାଟ କେବଳ ୨୧ ରନର ସହଯୋଗ କରିଥିଲେ। ବାକି ରନ୍‌ ପାଟିଦାରଙ୍କ ବ୍ୟାଟରୁ ବାହାରିଥିଲା। ଦଳୀୟ ସ୍କୋର ୭୦ ଥିବା ବେଳେ ବିରାଟ(୨୫) ବଡ଼ ଶଟ ଖେଳିବା ଲୋଭରେ ଆଭେଶ ଖାନଙ୍କ ବଲରେ ଆଉଟ ହୋଇଥିଲେ।

ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ କେବଳ ୯ ରନ୍‌ କରିପାରି ଥିଲେ। ତାଙ୍କ ୱିକେଟ କୃନାଲ ପାଣ୍ଡ୍ୟାଙ୍କ ଖାତାକୁ ଯାଇଥିଲା। ମହିପାଲ ଲୋମର(୧୪) ରବି ବିଷ୍ଣୋଇଙ୍କ ଶିକାର ବନିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ପାଟିଦାର ଧୂଆଁଧାର ବ୍ୟାଟିଂ କରିଥିଲେ। ଟୁର୍ଣ୍ଣାମେଣ୍ଟର ସବୁଠାରୁ କଞ୍ଜୁସ ବୋଲର କୃନାଲ ପାଣ୍ଡ୍ୟାଙ୍କ ଗୋଟିଏ ଓଭର୍‌ରେ ସେ ଛକା ଓ ଚୌକା ବର୍ଷା କରିଥିଲେ। ସେହିପରି ରବି ବିଷ୍ଣୋଇଙ୍କ ଗୋଟିଏ ଓଭରରୁ ପାଟିଦାର ୨୭ ରନ୍‌ ଆଦାୟ କରି ନିଜର ବିସ୍ଫୋରକ ଅନ୍ଦାଜ ଦେଖାଇଥିଲେ।

ବିଶେଷ କରି ଅର୍ଦ୍ଧଶତକ ହାସଲ କରିବା ପରେ ସେ କେବଳ ଚୌକା ଓ ଛକା ମାରିଥିଲେ। ଏଥିସହ ମୋହଶିନ ଖାନଙ୍କୁ ଛକା ମାରି ପାଟିଦାର ୫୧ ବଲ୍‌ରେ ନିଜ ଆଇପିଏଲ କ୍ୟାରିୟର୍‌ର ପ୍ରଥମ ଶତକ ହାସଲ କରିଥିଲେ। ତାଙ୍କୁ ଏହି ଇନିଂସରେ ଅଭିଜ୍ଞ ଦୀନେଶ କାର୍ତ୍ତିକ ମଧ୍ୟ ଭରପୂର ସହଯୋଗ କରିଥିଲେ। ଉଭୟ ଦୁଇଟି ଯାକ ଏଣ୍ଡରୁ ଆଟାକ କରି ଲକ୍ଷ୍ନୌ ବୋଲରଙ୍କୁ ଘାଇଲା କରିଥିଲେ। କାର୍ତ୍ତିକ ଓ ପାଟିଦାର ୫ମ ୱିକେଟ ପାଇଁ ଅପରାଜିତ ୯୨ ରନ୍‌ ଯୋଡ଼ି ଆରସିବିର ସ୍କୋରକୁ ୨୦୭ରେ ପହଞ୍ଚାଇଛନ୍ତି।

ପାଟିଦାର ଶେଷ ଯାଏ ୫୪ ବଲରେ ୧୧୨ ଓ କାର୍ତ୍ତିକ ୨୩ ବଲରେ ୩୭ ରନ୍‌ର ଇନିଂସ ଖେଳିଛନ୍ତି। ପାଟିଦାର ତାଙ୍କ ଇନିଂସରେ ୭ଟି ଛକା ଓ ୧୨ଟି ଚୌକା ମାରିଛନ୍ତି। ସେହିପରି କାର୍ତ୍ତିକ ୫ଟି ଚୌକା ଓ ୧ ଛକା ମାରିଛନ୍ତି।

Related story