ଆଇସିସିର ବଡ଼ ପୁରସ୍କାର ଦୌଡ଼ରେ ଅଶ୍ୱିନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଚଳିତ ବର୍ଷ ଜାନୁଆରୀ ଶେଷରୁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଆରମ୍ଭ କରିଛି। ମାସକରେ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଶ୍ରେଷ୍ଠ ମହିଳା ଓ ପୁରୁଷ ଖେଳାଳିଙ୍କୁ ଚୟନ କରାଯାଇଥାଏ। ଏହି କ୍ରମରେ ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ସେହିପରି ଫେବୃଆରୀ ମାସର ଶ୍ରେଷ୍ଠ ଖେଳାଳି ପାଇଁ ଆଇସିସି ଭାରତର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ମନୋନୀତ କରିଛି। ଅଶ୍ୱିନଙ୍କ ବ୍ୟତୀତ […]

R-Ashwin

R-Ashwin

Ranjit Kumar Jena
  • Published: Tuesday, 02 March 2021
  • Updated: 02 March 2021, 05:16 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଚଳିତ ବର୍ଷ ଜାନୁଆରୀ ଶେଷରୁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଆରମ୍ଭ କରିଛି। ମାସକରେ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଶ୍ରେଷ୍ଠ ମହିଳା ଓ ପୁରୁଷ ଖେଳାଳିଙ୍କୁ ଚୟନ କରାଯାଇଥାଏ। ଏହି କ୍ରମରେ ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ସେହିପରି ଫେବୃଆରୀ ମାସର ଶ୍ରେଷ୍ଠ ଖେଳାଳି ପାଇଁ ଆଇସିସି ଭାରତର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ମନୋନୀତ କରିଛି। ଅଶ୍ୱିନଙ୍କ ବ୍ୟତୀତ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଓ ୱେଷ୍ଟଇଣ୍ଡିଜର କାଇଲ୍ ମେୟର୍ସ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଏଥିପାଇଁ ଭୋଟି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ମାର୍ଚ୍ଚ ୮ ତାରିଖରେ ଫଳାଫଳ ଜଣାପଡ଼ିବ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ୱିନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି। ଅଶ୍ୱିନ୍ ଏପର୍ଯ୍ୟନ୍ତ ୩ଟି ଟେଷ୍ଟ ମ୍ୟାଚରେ ୧୭୬ ରନ୍ ଏବଂ ୨୪ ୱିକେଟ୍ ଅକ୍ତିଆର କରିସାରିଛନ୍ତି। ଅଶ୍ୱିନଙ୍କ ଏହି ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଆଇସିସି ତାଙ୍କୁ ମନୋନୀତ କରିଛି। ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ୍ ୧୦୬ ରନର ଶତକୀୟ ଇନିଂସ୍ ଖେଳିଥିଲେ, ଯାହା ଦମରେ ଭାରତ ମୁକାବିଲାକୁ ଜିତିଥିଲେ।

ସେହିପରି ଇଂଲଣ୍ଡ କ୍ୟାପଟେନ୍ ରୁଟ୍ ମଧ୍ୟ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଛନ୍ତି। ରୁଟ୍ ୩ଟି ଟେଷ୍ଟରେ ୩୩୩ ରନ୍ ଓ ୬ ୱିକେଟ୍ ନେଇଛନ୍ତି। ୱେଷ୍ଟଇଣ୍ଡିଜର କାଇଲ୍ ମେୟର୍ସ ନିଜର ପଦାର୍ପଣ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ୨୧୦ ରନର ମାରାଥନ୍ ଇନିଂସ୍ ଖେଳିଥିଲେ। ତାଙ୍କର ଏହି ଇନିଂସ୍ ବଳରେ ୱେଷ୍ଟଇଣ୍ଡିଜ୍ ବିଶାଳ ଟାର୍ଗେଟର ପିଛା କରି ବିଜୟୀ ହୋଇଥିଲା। ଆଇସିସିର ମହିଳା ପୁରସ୍କାର ତାଲିକାରେ ଇଂଲଣ୍ଡର ମହିଳା କ୍ରିକେଟର ଟାମି ବ୍ୟୁମଣ୍ଟ, ନାଟାଲୀ ସ୍କିଭର ଓ ବ୍ରୁକ୍ ହାଲିଡେ ମନୋନୀତ ହୋଇଛନ୍ତି।

ଏହା ପୂର୍ବରୁ ଜାନୁଆରୀ ମାସର ଶ୍ରେଷ୍ଠ କ୍ରିକେଟର ବିବେଚିତ ହୋଇଥିଲେ ପନ୍ତ। ସେ ଜୋ ରୁଟ୍ ଓ ଆୟର୍ଲ୍ୟାଣ୍ଡର ପଲ୍ ଷ୍ଟର୍ଲିଙ୍ଗଙ୍କୁ ପଛରେ ଏହି ପୁରସ୍କାର ଜିତିଥିଲେ। ଭାରତର ଏହି ୨୩ ବର୍ଷୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ସିଡନୀ ଟେଷ୍ଟରେ ୯୭ ରନର ଇନିଂସ୍ ଖେଳି ଭାରତକୁ ପରାଜୟରୁ ରକ୍ଷା କରିବାରେ ପ୍ରମୁଖ ଭୂମିକା ବହନ କରିଥିଲେ। ଏହା ପରେ ବ୍ରିସବେନ୍ ଟେଷ୍ଟରେ ସେ ଅପରାଜିତ ୮୯ ରନ୍ କରି ଭାରତକୁ ଐତିହାସିକ ସିରିଜ୍ ବିଜୟୀ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos