ଲଢ଼ିଲେ ପନ୍ତ ଓ ଜାଡେଜା, ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୩୮/୭

ବର୍ମିଂହାମ: ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଜବରଦସ୍ତ କମବ୍ୟାକ କରିଛି ଟିମ୍ ଇଣ୍ଡିଆ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ପାଇଁ କମାଲ କରିଛନ୍ତି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା। ପନ୍ତଙ୍କ ବିସ୍ଫୋରକ ୧୪୬ ଓ ଜାଡେଜାଙ୍କ ଅପରାଜିତ ୮୩ ରନ୍ ବଳରେ ଟିମ୍ ଇଣ୍ଡିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ ହରାଇ ୩୩୮ ରନ କରିଛି। ଜାଡେଜା କ୍ରିଜରେ ଥିବାରୁ ଭାରତ ବଡ଼ […]

Pant

Hemant Lenka
  • Published: Saturday, 02 July 2022
  • , Updated: 02 July 2022, 07:12 AM IST

ବର୍ମିଂହାମ: ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଜବରଦସ୍ତ କମବ୍ୟାକ କରିଛି ଟିମ୍ ଇଣ୍ଡିଆ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ପାଇଁ କମାଲ କରିଛନ୍ତି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା। ପନ୍ତଙ୍କ ବିସ୍ଫୋରକ ୧୪୬ ଓ ଜାଡେଜାଙ୍କ ଅପରାଜିତ ୮୩ ରନ୍ ବଳରେ ଟିମ୍ ଇଣ୍ଡିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ ହରାଇ ୩୩୮ ରନ କରିଛି। ଜାଡେଜା କ୍ରିଜରେ ଥିବାରୁ ଭାରତ ବଡ଼ ସ୍କୋରର ଲକ୍ଷ୍ୟ ରଖିଛି। ଷ୍ଟମ୍ପ ଅପସାରଣ ବେଳକୁ ଜାଡେଜାଙ୍କ ସହ ମହମ୍ମଦ ଶାମି କ୍ରିଜରେ ରହିଥିଲେ।

ବର୍ମିଂହାମର ଏଜବାଷ୍ଟନରେ ଟିମ୍‌ ଇଣ୍ଡିଆର ଅଧିନାୟକ ଯଶପ୍ରୀତ ବୁମ୍ରା ଟସ୍‌ ହାରିବା ପରେ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପାଇଁ ଶୁବମନ ଗିଲଙ୍କ ସହ ଚେତେଶ୍ୱର ପୂଜାରା ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଗିଲ ମାତ୍ର ୧୭ ରନ୍‌ କରି ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ପୂଜାରା(୧୩) ଆଣ୍ଡରସନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବର୍ଷା ଯୋଗୁ ପ୍ରଥମ ଦିନର ଲଞ୍ଚ ଆଗୁଆ ହୋଇ ଯାଇଥିଲା।

ଲଞ୍ଚ ପରେ ଇଂଲିଶ ଟିମର ଯୁବ ଦ୍ରୁତ ବୋଲର ମାଥ୍ୟୁ ପଟ୍ଟସ ଭାରତକୁ ଯୁଗଳ ଝଟକା ଦେଇଥିଲେ। ସେ ପ୍ରଥମେ ହନୁମା ବିହାରୀ(୨୦) ଓ ପରେ ବିରାଟ କୋହଲି(୧୧)ଙ୍କୁ ଆଉଟ କରି ଦେଇଥିଲେ। ଶ୍ରେୟସ(୧୫) ଆଣ୍ଡରସନଙ୍କ ତୃତୀୟ ଶିକାର ବନିଥିଲେ। ମାତ୍ର ୯୮ ରନ୍‌ରେ ଭାରତୀୟ ଟିମ୍‌ ୫ ଜଣ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା।

କିନ୍ତୁ ପନ୍ତ ଓ ଜାଡେଜା ହାର ମାନିବା ମୁଡରେ ନଥିଲେ। ଉଭୟ କାଉଣ୍ଟର ଆଟାକ କରି ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ପନ୍ତ ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ରବୀନ୍ଦ୍ର ଜାଡେଜା ଭରପୂର ସହଯୋଗ କରିଥିଲେ। ଅର୍ଦ୍ଧ ଶତକ ହାସଲ କାରିବା ପରେ ପନ୍ତ ଅଟକି ନଥିଲେ। ସେ ମାତ୍ର ୮୯ ବଲରେ ନିଜ ଟେଷ୍ଟ କ୍ୟାରିୟରର ୫ମ ଶତକ ହାସଲ କରିଥିଲେ। ଜାଡେଜା ମଧ୍ୟ ୧୦୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି।

ଶତକ ହାସଲ କରିବା ପରେ ପନ୍ତ ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ସେ କ୍ରମାଗତ ଭାବେ ଇଂଲିଶ ବୋଲରଙ୍କୁ ବଡ଼ବଡ଼ ଶଟ ଖେଳି ଚାଲିଥିଲେ। ତେବେ ଦଳୀୟ ସ୍କୋର ୩୨୦ ଥିବା ବେଳେ ବ୍ୟକ୍ତିଗତ ୧୪୬ ରନ୍‌ କରି ପନ୍ତ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ଜୋ ରୁଟ ଦଖଲ କରିଛନ୍ତି। ଆଉଟ ହେବା ପୂର୍ବରୁ ସେ ଜାଡେଜାଙ୍କ ସହ ମିଶି ୬ଷ୍ଟ ୱିକେଟ ପାଇଁ ୨୨୨ ରନ୍‌ର ଭାଗିଦାରୀ କରିଥିଲେ। ଏହି ଭାଗିଦାରୀ ଯୋଗୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଟିମ୍‌ ଇଣ୍ଡିଆ ଜବରଦସ୍ତ କମବ୍ୟାକ କରିବାକୁ ସକ୍ଷମ ହୋଇଛି। ପନ୍ତ ତାଙ୍କ ୧୪୬ ରନ୍‌ର ଇନିଂସରେ ୪ଟି ଛକା ଓ ୧୯ଟି ଚୌକା ମାରିଛନ୍ତି। ସେ ମାତ୍ର ୧୧୧ ବଲର ସମ୍ମୁଖୀନ ହୋଇଥିଲେ।

ପନ୍ତଙ୍କ ପରେ ଶାର୍ଦ୍ଦୁଲ ଠାକୁର ମାତ୍ର ୧ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କୁ ଇଂଲଣ୍ଡ ଟିମ୍‌ର ଅଧିନାୟକ ବେନ ଷ୍ଟୋକ୍ସ ଆଉଟ କରିଥିଲେ। ଲଗାତର ୨ଟି ୱିକେଟ ହରାଇ ଭାରତ ସାମାନ୍ୟ ବ୍ୟାକଫୁଟକୁ ଚାଲି ଯାଇଥିଲା। ହେଲେ ଦିନର ଖେଳ ଶେଷ ହେବା ଯାଏ ଜାଡେଜା ଓ ଶାମି ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ।

ଉଭୟ ଷ୍ଟମ୍ପ ଅପସାରଣ ହେବା ଯାଏ ଇଂଲଣ୍ଡ ବୋଲରଙ୍କ କଡ଼ା ମୁକାବିଲା କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୩୩୮ ରନ୍‌ରେ ପହଞ୍ଚାଇଥିଲେ। ୮୩ ରନ୍‌ରେ ଅପରାଜିତ ଥିବା ଜାଡେଜା ୧୦ଟି ଚୌକା ମାରିଛନ୍ତି।

ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ୩ଟି ୱିକେଟ ନେଇଥିବା ବେଳେ ମାଥ୍ୟୁ ପଟ୍ଟସ ୨ଟି, ଜୋ ରୁଟ ଓ ଷ୍ଟୋକ୍ସ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Related story